ଭୁବନେଶ୍ୱର,୧।୧(ଅନୁରାଧା ମହାରଣା)- ବର୍ଷର ଶେଷ ଦିନରେ ଭୁବନେଶ୍ୱରରେ ଆମିଷ ବ୍ୟବସାୟ ଜମିଥିଲା। ପ୍ରାୟ ୭ କୋଟି ୩୦ ଲକ୍ଷ ଟଙ୍କାର ଆମିଷ କିଣିଛନ୍ତି ଗ୍ରାହକ। ଖାସି କେଜି ୮୫୦ ଟଙ୍କା ଦରରେ ୫୨୫ କୁଇଣ୍ଟାଲ ବିକ୍ରି ହୋଇଥିଲା। ଅର୍ଥାତ୍ ବୁଧବାର ସମୁଦାୟ ୨ କୋଟି ୫୨ ଲକ୍ଷ ଟଙ୍କାର ଖାସି କିଣିଥିଲେ ଗ୍ରାହକ। ଚିକେନ ଦର କିଲୋଗ୍ରମା ପ୍ରତି ୨୨୦ରୁ ୨୪୦ ଟଙ୍କାରେ ବିକ୍ରି ହୋଇଥିଲା। ୨କୋଟି ୩୫ ଲକ୍ଷ ୯୫ ହଜାର ଟଙ୍କାର ୧୯୫୦ କୁଇଣ୍ଟାଲ ଚିକେନ୍ ବ୍ୟବସାୟ ହୋଇଥିଲା।
ସେହିପରି ୧୨୦ ଟନ ମାଛ ବିକ୍ରି ହୋଇଥିଲା, ଯାହାର ମୂଲ୍ୟ ପ୍ରାୟ ୧ କୋଟି ୫୭ ଲକ୍ଷ ୯୨ ହଜାର । ଅଲ ଓଡିଶା ଆମିଷ ବ୍ୟବସାୟୀ ମହାସଂଘର ରାଜ୍ୟ ସଭାପତି ସେଖ ମୁନ୍ତାକିମ ବକ୍ସ ଏହି ସୂଚନା ଦେଇଛନ୍ତି। ରୋହି ମାଛଦର ୨୦୦ରୁ ୨୪୦ ଟଙ୍କା ରହିଥିବାବେଳେ ଭାକୁର ଦର ୨୨୦ରୁ ୪୦୦ ଟଙ୍କା ରହିଥିଲା। ଜଳଙ୍ଗ ମାଛ କିଲୋ ଗ୍ରାମ୍ ପ୍ରତି ୧୫୦ରୁ ୧୬୦ ଟଙ୍କାରେ ବିକ୍ରି ହୋଇଥିଲା।
ମିରିକାଳି ୨୨୦ରୁ ୨୪୦ ଟଙ୍କା, ମଉରାଡି ୨୦୦ରୁ ୨୫୦ ଟଙ୍କା, ଖଇଙ୍ଗା ୪୦୦ରୁ ୫୦୦ ଟଙ୍କା, ଇଲିସି ୧୦୦୦ରୁ ୨୦୦୦ ଟଙ୍କା, ଚିଙ୍ଗୁଡ଼ି ୨୫୦ରୁ ୪୦୦ ଟଙ୍କା, କଙ୍କଡ଼ା ୪୦୦ରୁ ୬୦୦ ଟଙ୍କା, ଜିଅନ୍ତା ଲୁଣି ଭେକଟି ୬୦୦ ଟଙ୍କା, ଲୁଣି କଙ୍କଡ଼ା ୩୦୦ ଟଙ୍କା, ଜିଅନ୍ତା ମାଛ ୨୪୦ରୁ ୨୬୦ ଟଙ୍କା, ମାଗୁର ୧୫୦ ଟଙ୍କା, ଟାଇଗର ଚୁଙ୍ଗୁଡ଼ି ୭୦୦ରୁ ୧୦୦୦ ଟଙ୍କା ଏବଂ ପାମ୍ପଲେଟ୍ ୧୦୦୦ରୁ ୧୫୦୦ ଟଙ୍କାରେ ବିକ୍ରି ହୋଇଥିଲା। ଅଣ୍ଡା ୫୫ ଲକ୍ଷ ୪୪ ହଜାର ଟଙ୍କା ମୂଲ୍ୟର ୪ ହଜାର କାର୍ଟୁନ୍ ବିକ୍ରି ହୋଇଥିଲା।


