ଠିକା କର୍ମଚାରୀଙ୍କୁ ମିଳୁନି ଦରମା

ଚୌଦ୍ୱାର,୨୧ା୪(ଡି.ଏନ୍‌.ଏ.): ଚୌଦ୍ୱାର ପୌରପାଳିକାରେ କାର୍ଯ୍ୟରତ ୩୦ ଜଣ ଠିକା କର୍ମଚାରୀ ୨ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଦରମା ପାଇନାହାନ୍ତି। ଫଳରେ ସେମାନଙ୍କ ପରିବାର ଚଳିବା କଷ୍ଟକର ହୋଇପଡିଛି। ଏ ସମ୍ପର୍କରେ ସେମାନେ ପୌରପାଳିକା ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତୁରନ୍ତ ପୌର କର୍ତ୍ତୃପକ୍ଷ ଏହାର ସମାଧାନ କରି ଦରମା ପ୍ରଦାନ କରିବାକୁ କର୍ମଚାରୀମାନେ ଦାବି କରିଛନ୍ତି ା ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଏକ ଘରୋଇ ସଂସ୍ଥା ଦ୍ୱାରା ୩୦ ଠିକା କର୍ମଚାରୀଙ୍କୁ ଚୌଦ୍ୱାର ପୌରପାଳିକାର ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇଛି।
ପୌରପାଳିକା ପକ୍ଷରୁ ଉକ୍ତ ସଂସ୍ଥାକୁ କର୍ମଚାରୀଙ୍କ ପାରିଶ୍ରମିକ ବାବଦକୁ ଟଙ୍କା ଦିଆଯାଇଥାଏ। ପରେ ସଂସ୍ଥାର କର୍ତ୍ତୃପକ୍ଷ କର୍ମଚାରୀମାନଙ୍କୁ ଦରମା ପ୍ରଦାନ କରିଥାନ୍ତି। ଇତିମଧ୍ୟରେ ସଂସ୍ଥାର ମୁଖ୍ୟଙ୍କ ମୃତ୍ୟୁ ଘଟିବା ପରେ ସମସ୍ୟା ଉପୁଜିଛି। ଭାଗିଦାରୀରେ ଚାଲିଥିବା ଏହି ସଂସ୍ଥାରେ ଫାଟ ଦେଖାଦେବାରୁ ଠିକା କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୌରପାଳିକା ପକ୍ଷରୁ ଠିକାଦାରଙ୍କ ପରିବାର ତଥା ବ୍ୟବସାୟିକ ପାର୍ଟନରକୁ ଆଲୋଚନା ପାଇଁ ବାରମ୍ବାର ପୌର କାର୍ଯ୍ୟାଳୟକୁ ଡକାଯାଇ ଥିଲେ ମଧ୍ୟ ସମାଧାନର ବାଟ ଫିଟିପାରୁନାହଁି। ଏନେଇ ପୌର ନିର୍ବାହୀ ଅଧିକାରୀ ସଞ୍ଜିବ କୁମାର ମହାପାତ୍ର କହିଛନ୍ତି, ଠିକା କର୍ମଚାରୀଙ୍କ ଅସୁବିଧାକୁ ହୃଦୟଙ୍ଗମ କରୁଛି। ପୌରପାଳିକା ତରଫରୁ ସେମାନଙ୍କୁ ସିଧାସଳଖ ଦରମା ପ୍ରଦାନ କରିବାର ବ୍ୟବସ୍ଥା ନାହିଁ। ନୋଟିସ୍‌ ମାଧ୍ୟମରେ ଉକ୍ତ ସଂସ୍ଥାର ଚୁକ୍ତିନାମା ରଦ୍ଦ କରି ନୁତନ ଭାବେ ଟେଣ୍ଡର କରାଯିବା ପାଇଁ ପ୍ରସ୍ତୁତି ଚାଲିଛି। କର୍ମଚାରୀମାନଙ୍କ ଇଏସ୍‌ଆଇ ଓ ଇପିଏଫ୍‌ ବାଦ୍‌ ଦେଇ କିଛିଦିନ ଭିତରେ ବେତନ ବ୍ୟବସ୍ଥା ପାଇଁ ଚେଷ୍ଟା କରୁଛି ବୋଲି ସେ କହିଥିଲେ।