ସ୍ତ୍ରୀଙ୍କଠୁ ୨୦ ଲକ୍ଷ ଠକିନେଲେ ଅଣଓଡ଼ିଆ ସ୍ବାମୀ

ବ୍ରହ୍ମପୁର ଅଫିସ,୨୭ା୧୨: ଦିଲ୍ଲୀର ଜଣେ ଯୁବକ ବ୍ରହ୍ମପୁରର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ହେଲେ ଶ୍ୱଶୁରଘର ଲୋକଙ୍କୁ ମିଛ କହି ପର୍ଯ୍ୟାୟକ୍ରମେ ପ୍ରାୟ ୨୦ ଲକ୍ଷ ଟଙ୍କା ଠକି ନେଇଥିଲେ। ଅଭିଯୋଗ ପରେ ଗୋଷାଣୀନୂଆଗାଁ ଥାନା ପୋଲିସ ଅଭିଯୁକ୍ତ ଯୁବକଙ୍କୁ ପଞ୍ଜାବର ମୋଗା ଜିଲା ଭାଗାପୁରାନା ଥାନା ଅଞ୍ଚଳରୁ ଗିରଫ କରିିଛି। ସେ ହେଲେ ଦିଲ୍ଲୀର ଅଜୟ କୁମାର(୩୫)। ପୋଲିସ ଏକ ମାମଲା(ନଂ.୭୪/୨୧) ରୁଜୁ କରି ସୋମବାର ଅଭିଯୁକ୍ତ ଅଜୟଙ୍କୁ କୋର୍ଟ ଚାଲାଣ କରିଛି।

ପ୍ରକାଶ ଯେ, ୨୦୧୯ରେ ବ୍ରହ୍ମପୁର ଜଣେ ଯୁବତୀଙ୍କ ସହ ଅଜୟ କୁମାରଙ୍କ ମଧ୍ୟରେ ଫେସ୍‌ବୁକ୍‌ରେ ସମ୍ପର୍କ ହୋଇଥିଲା। ପରେ ଅଜୟ ବ୍ରହ୍ମପୁର ଆସିଥିଲେ। ସେଠାରୁ ଦୁହେଁ ପଞ୍ଜାବ ଯାଇ ବିବାହ କରିଥିଲେ। ଅଜୟ ସ୍ତ୍ରୀଙ୍କୁ ଦିଲ୍ଲୀ ନେଇ କିଛି ମାସ ରଖିଥିଲେ। ବିଭିନ୍ନ ସ୍ଥାନ ବୁଲାବୁଲି କରିବା ପରେ ସ୍ତ୍ରୀଙ୍କ ସହ ବ୍ରହ୍ମପୁର ଗୋଷାଣୀନୂଆଗାଁରେ ଥିବା ଶ୍ୱଶୁରଘରକୁ ଆସିଥିଲେ। କିଛି ଦିନ ପରେ ଅଜୟ ଦିଲ୍ଲୀ ଚାଲିଯାଇଥିଲେ। ଦିଲ୍ଲୀରେ ଥିବା ବେଳେ ସ୍ବାସ୍ଥ୍ୟ ଖରାପ ଦର୍ଶାଇ ସ୍ତ୍ରୀଙ୍କ ଜରିଆରେ ବାପାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଥିଲେ। ପରେ ବିଦେଶରେ କାମ ମିଳିଛି ବୋଲି ଅଜୟ ସ୍ତ୍ରୀଙ୍କୁ କହିଥିଲେ। ବିଦେଶ ଯିବାକୁ ଟଙ୍କା ଦରକାର କହି ପର୍ଯ୍ୟାୟକ୍ରମେ ପ୍ରାୟ ୨୦ଲକ୍ଷ ଟଙ୍କା ନେଇଯାଇଥିଲେ। କିଛିଦିନ ପରେ ସ୍ତ୍ରୀଙ୍କ ଫୋନ ଅଜୟ ଉଠାଇ ନ ଥିଲେ। ସେ ବାରମ୍ବାର ଯୋଗାଯୋଗ ଓ ଖୋଜାଖୋଜି ପରେ ସ୍ବାମୀଙ୍କ କୌଣସି ପତ୍ତା ପାଇ ନ ଥିଲେ। ଏନେଇ ମହିଳା ଜଣଙ୍କ ଠକେଇର ଶିକାର ହୋଇଥିବା ନେଇ ଗତ ଜୁନ ୧୬ରେ ଗୋଷାଣୀନୂଆଗାଁ ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମୋବାଇଲ ଫୋନ ଟ୍ରାକିଂ କରି ପୋଲିସ ଅଜୟ ପଞ୍ଜାବରେ ଥିବା ପୋଲିସ ଜାଣିବାକୁ ପାଇଥିଲା। ପରେ ବ୍ରହ୍ମପୁର ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ପଞ୍ଜାବ ଯାଇ ଅଜୟଙ୍କୁ ଧରିବାରେ ସଫଳ ହୋଇଥିଲା।