ଇମ୍ରାନ୍‌ଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ବାନା

ଇସ୍‌ଲାମାବାଦ, ୧୪ା୩: ମହିଳା ବିଚାରପତି ଜେବା ଚୌଧରୀଙ୍କୁ ଧମକ ଦେବା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ସୋମବାର ଏକ ସିଭିଲ ଜଜ୍‌ ଡିଷ୍ଟ୍ରିକ୍ଟ ସେସନ୍ସ କୋର୍ଟ ଜାମିନବିହୀନ ଗିରଫ ପରଓ୍ବାନା ଜାରି କରିଛନ୍ତି। ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ(ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ସୋମବାର କୋର୍ଟରେ ହାଜର ହେବାକୁ ଥିବାବେଳେ ସୁରକ୍ଷା କାରଣ ଦର୍ଶାଇ ସେ ଉପସ୍ଥିତ ହୋଇ ନ ଥିଲେ। ଫଳରେ ଅଦାଲତ ତାଙ୍କ ଆବେଦନକୁ ଖାରଜ କରିଦେବା ସହ ଗିରଫ ପରଓ୍ବାନା ଜାରି କରିଛନ୍ତି। ତାଙ୍କୁ ମାର୍ଚ୍ଚ ୨୯ରେ ହାଜର କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସହଯୋଗୀ ଶାହବାଜ୍‌ ଗିଲ୍‌ଙ୍କୁ ହାଜତରେ ନିର୍ଯାତନା ଦିଆଯାଉଥିବା ଘଟଣାରେ ସମବେଦନା ଜଣାଇବାକୁ ଗତବର୍ଷ ଅଗଷ୍ଟରେ ଇମ୍ରାନ୍‌ ଏକ ରାଲିରେ ଜଜ୍‌ ଜେବା ଚୌଧରୀଙ୍କୁ ଧମକ ଦେଇଥିଲେ। କାର୍ଯ୍ୟାନୁଷ୍ଠାନ ପାଇଁ ସେ ପ୍ରସ୍ତୁତ ରହନ୍ତୁ ବୋଲି ଇମ୍ରାନ କହିଥିଲେ। ପିଟିଆଇ ନେତାଙ୍କ ଏଭଳି ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା।

Share