ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜିଠୁ ନାମାଙ୍କନ

ଭୁବନେଶ୍ୱର, ୧୮।୪(ସୁନିତ୍‌ ମିଶ୍ର) ଦେଶରେ ୭ଟି ପର୍ଯ୍ୟାୟରେ ୨୦୨୪ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ସେଥିମଧ୍ୟରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଯଥାକ୍ରମେ ଆସନ୍ତା ମେ ୧୩, ୨୦ ଏବଂ ୨୫ ଓ ଜୁନ୍‌ ୧ରେ ମତଦାନ କରାଯିିବ। ଗତ ମାର୍ଚ୍ଚ ୧୬ ରେ ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ସେହି କ୍ରମରେ ଓଡ଼ିଶାରେ ହେବାକୁ ଥିବା ୪ଟି ପର୍ଯ୍ୟାୟ ନିର୍ବାଚନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇବ। ଅର୍ଥାତ୍‌ ଏହି ପର୍ଯ୍ୟାୟରେ ଓଡ଼ିଶାର ୪ଟି ଲୋକ ସଭା ଆସନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟରେ ଭୋଟ ଗ୍ରହଣ ହେବ। ଏହା ସହ ଏହାର ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମଧ୍ୟ ଭୋଟ ଗ୍ରହଣ କରାଯିବ। ତେଣୁ ଗୁରୁବାରଠାରୁ ଏହି ଲୋକ ସଭା ଏବଂ ଏହାର ଅନ୍ତର୍ଗତ ୨୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀମାନେ ଗୁରୁବାରଠାରୁ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଏପ୍ରିଲ ୨୪ରେ ପ୍ରାର୍ଥତ୍ପତ୍ର ଦାଖଲ ପାଇଁ ଶେଷ ତାରିଖ ନିର୍ଘଣ୍ଟ ହୋଇଛି। ଏପ୍ରିଲ ୨୬ରେ ପ୍ରାର୍ଥତ୍ପତ୍ର ଯାଞ୍ଚ ହେବା ସହ ୨୯ରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ରହିଛି। ଏହାପରେ ମେ ୧୩ରେ ଭୋଟ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ରାଜ୍ୟରେ ଏଥର ୩,୩୪,୭୩,୫୬୧ ଜଣ ମତଦାତା ଥିବାବେଳେ ଏଥିପାଇଁ ୩୦,୬୫୩ ମତଦାନ ସ୍ଥାନରେ ୩୭,୮୦୯ ପୋଲିଂ ବୁଥ୍‌ ରହିବ। ସହରାଞ୍ଚଳରେ ୪୩୮୦ ଏବଂ ଗ୍ରାମାଞ୍ଚଳରେ ୩୩,୪୨୯ କେନ୍ଦ୍ର ରହିଛି।