Categories: ଜାତୀୟ

୮ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ନାମ ସୁପାରିସ

ନୂଆଦିଲ୍ଲୀ, ୧୮।୯: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ୟୁ.ୟୁ. ଲଲିତ ଏବଂ ଏ.ଏମ୍‌. ଖାନ୍‌ଓ୍ବିଲକରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ କଲେଜିୟମ୍‌ ୮ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ଲାଗି ନାମ ସୁପାରିସ କରିଛନ୍ତି। ଏକାଥରେ ୮ ଜଣଙ୍କୁ ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ପାଇଁ ସୁପାରିସ୍‌ କରାଯିବା ଏକ ରେକର୍ଡ। ଏହା ବ୍ୟତୀତ ବିଭିନ୍ନ ହାଇକୋର୍ଟର ୫ ମୁଖ୍ୟ ବିଚାରପତି ଏବଂ ୨୮ ବିଚାରପତିଙ୍କ ବଦଳି ପାଇଁ ସୁପାରିସ କରାଯାଇଛି। କାଲକାଟା ହାଇକୋର୍ଟର କାର୍ଯ୍ୟକାରୀ ବିଚାରପତି ଜଷ୍ଟିସ୍‌ ରାଜେଶ ବିନ୍ଦଲଙ୍କୁ ଆଲ୍ଲାହାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଲାଗି ସୁପାରିସ କରାଯାଇଛି। ସେହିପରି ମଧ୍ୟପ୍ରଦେଶ ହାଇକୋର୍ଟ ବିଚାରପତି ପ୍ରକାଶ ଶ୍ରୀବାସ୍ତବଙ୍କୁ କାଲକାଟା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ, ଛତିଶଗଡ଼ ହାଇକୋର୍ଟ ବିଚାରପତି ପ୍ରଶାନ୍ତ କୁମାର ମିଶ୍ରଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ, ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ଋତୁରାଜ ଅଓ୍ବସ୍ତିଙ୍କୁ କର୍ନାଟକ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ, କର୍ନାଟକ ହାଇକୋର୍ଟ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କୁ ଟେଲଙ୍ଗାନା ହାଇକୋର୍ଟ ମୁଖ୍ୟ ବିଚାରପତି, ମେଘାଳୟ ହାଇକୋର୍ଟ ବିଚାରପତି ରଞ୍ଜିତ୍‌ ଭି. ମୋରେଙ୍କୁ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି, କର୍ନାଟକ ହାଇକୋର୍ଟ ବିଚାରପତି ଅରବିନ୍ଦ କୁମାରଙ୍କୁ ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ କର୍ନାଟକ ହାଇକୋର୍ଟ ବିଚାରପତି ଆର୍‌.ଭି. ମାଲିମାଥଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ଦେବାକୁ ସୁପ୍ରିମକୋର୍ଟ କଲେଜିୟମ କହିଛି।
ବ୍ୟତୀତ ତ୍ରିପୁରା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଅକିଲ କୁରେଶୀଙ୍କୁ ରାଜସ୍ଥାନ ବଦଳି ଲାଗି ସୁପାରିସ କରାଯାଇଥିବାବେଳେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଅରୂପ କୁମାର ଗୋସ୍ବାମୀଙ୍କୁ ଛତିଶଗଡ଼, ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍‌ଙ୍କୁ ହିମାଚଳପ୍ରଦେଶ, ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତିଙ୍କୁ ତ୍ରିପୁରା ଏବଂ ମେଘାଳୟ ହାଇକୋର୍ଟ ମୁଖ୍ୟ ବିଚାରପତି ବିଶ୍ୱନାଥ ସୋମାଦେର୍‌ଙ୍କୁ ସିକ୍କିମ ହାଇକୋର୍ଟକୁ ବଦଳି ଲାଗି କଲେଜିୟମ୍‌ ସୁପାରିସ କରିଛି।

 

Share