୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା କ୍ଷେତ୍ର ଓ ଏହା ଅଧୀନ ସମସ୍ତ ୨୮ ବିଧାନସଭା କ୍ଷେତ୍ର ପାଇଁ ଭୋଟ ଗ୍ରହଣ ହେବ । ଏପ୍ରିଲ ୨୫ରେ ନାମାଙ୍କନ ଦାଖଲ ଶେଷ ହୋଇଛି। ଉକ୍ତ ୪ ଲୋକ ସଭା କ୍ଷେତ୍ର ପାଇଁ ୩୯ଜଣ ପ୍ରାର୍ଥୀ ମୋଟ ୭୫ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କଳାହାଣ୍ଡି ଲୋକ ସଭା କ୍ଷେତ୍ର ପାଇଁ ୨୦ଟି ନାମାଙ୍କନପତ୍ର ଦାଖଲ ହୋଇଥିବାବେଳେ ନବରଙ୍ଗପୁର ଲୋକ ସଭା ଆସନ ପାଇଁ ୧୦, ବ୍ରହ୍ମପୁର ପାଇଁ ୨୪ ଏବଂ କୋରାପୁଟ ଲୋକ ସଭା କ୍ଷେତ୍ର ପାଇଁ ୨୧ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଶୁକ୍ରବାର ପ୍ରାର୍ଥୀପତ୍ର ଯାଞ୍ଚ ହେବା ପରେ ଜଣଙ୍କର ନାମାଙ୍କନ ଖାରଜ ହୋଇଯାଇଛି। ଏବେ ଉପରୋକ୍ତ ୪ ଲୋକସଭା ଆସନରେ ୩୮ ପ୍ରାର୍ଥୀ ରହିଛନ୍ତି। ସେହିପରି ୨୮ ବିଧାନସଭା ଆସନ ପାଇଁ ୨୬୬ଜଣ ପ୍ରାର୍ଥୀ ମୋଟ ୪୮୩ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବ୍ରହ୍ମପୁର ବିଧାନସଭା କ୍ଷେତ୍ର ପାଇଁ ସର୍ବାଧିକ ୩୦ଟି ନାମାଙ୍କନପତ୍ର ଦାଖଲ ହୋଇଥିବାବେଳେ ଦିଗପହଣ୍ଡି ୨୬, ରାୟଗଡ଼ା ୨୨, ନୂଆପଡ଼ା ୨୧, କୋରାପୁଟ ୨୦, ଭବାନୀପାଟଣା ୧୯, ଧର୍ମଗଡ଼ ୧୯, ଭବାନୀପାଟଣା ୧୯, ଛତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ବାଧିକ ୧୯ ଏବଂ ଗୋପାଳପୁର ନିର୍ବାଚନମଣ୍ଡଳୀରେ ୧୯ଟି ନାମାଙ୍କନପତ୍ର ଦାଖଲ ହୋଇଛି। ଏପ୍ରିଲ ୨୬ରେ ନାମାଙ୍କନପତ୍ର ଯାଞ୍ଚ କରାଯାଇଛି।