Categories: ଜାତୀୟ

ଅପେକ୍ଷାର ହେଲା ଅନ୍ତ, ଶେଷରେ ମାଟିରେ ମିଶିଲା ଟ୍ୱିନ ଟାୱାର

ନୋଏଡା,୨୮ ।୮: ସମସ୍ତ ପ୍ରସ୍ତୁତି ପରେ ଅପେକ୍ଷାର ଅନ୍ତ ଘଟାଇ ଶେଷରେ ମାଟିରେ ମିଶିଛି ଉତ୍ତର ପ୍ରଦେଶରେ ଅବୈଧ ଭାବେ ନିର୍ମାଣ କରାଯାଇଥିବା ଟ୍ୱିନ ଟାୱାର । ଆଖି ପୁଛୁଳାକେ ମାତ୍ର ୮ ସେକେଣ୍ଡରେ ମାଟିରେ ମିଶିଗଲା ଏହି ଉଚ୍ଚ ଅଟ୍ଟାଳିକା । ନୋଏଡା ସେକ୍ଟର-୯୩ଏରେ ଥିବା ଏହି ଟ୍ୱିନ ଟାୱାରକୁ ଧ୍ୱଂସ କରିବାକୁ ୩୭୦୦ କିଲୋଗ୍ରାମର ବିସ୍ଫୋରକ ବ୍ୟବହାର କରାଯାଇଥିଲା । ଏଥିପାଇଁ ଉକ୍ତ କୋଠାରେ ୯,୬୪୦ଟି କଣା କରାଯାଇ ବିସ୍ଫୋରକୁ ଭର୍ତ୍ତି କରାଯାଇଥିଲା । ଏହି ଟ୍ୱିନ ଟାୱାରକୁ ଧ୍ୱଂସ କରିବାକୁ ପ୍ରାୟ ୧୭.୫୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅନୁମାନ କରାଯାଉଛି ।

ଦୀର୍ଘ ପ୍ରାୟ ୧୩ ବର୍ଷ ଧରି ନିର୍ମାଣ କରାଯାଇଥିବା ଏହି ଅଟ୍ଟାଳିକା ଆଖି ପୁଛୁଳାକେ ମାତ୍ର ୮-୧୦ ସେକେଣ୍ଡ ମଧ୍ୟରେ ମାଟିରେ ମିଶିଯାଇଛି । ତେବେ ପୂର୍ବ ଯୋଜନା ଅନୁଯାୟୀ, ଟାୱାରଟିକୁ ଧ୍ୱଂସ କରାଯିବା ବେଳେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଟାୱାର ଭାଙ୍ଗିବା ସମୟରେ ଖୁବ ଯୋରରେ ଶବ୍ଦ ହେବା ସହ ଆଖପାଖର ଘର ଗୁଡିକ ଥରିଯାଇଥିବା କହିଛନ୍ତି ସ୍ଥାନୀୟ ଲୋକେ । ତେବେ କୋଠା ଭୁଷୁଡିବା ପରେ ଉକ୍ତ ଅଞ୍ଚଳଟି ଧୂଳି ଧୂଆଁରେ ଭର୍ତ୍ତି ହୋଇଯାଇଥିଲା । କିନ୍ତୁ ପୂର୍ବ ପ୍ରସ୍ତୁତି ଅନୁଯାୟୀ, ଏହାକୁ କମ୍ କରିବାକୁ ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସେଠାରେ ପୂର୍ବରୁ ରଖାଯାଇଥିବା ସ୍ମୋକ ଗ୍ୟାସର ସାହାଯ୍ୟ ନିଆଯିବା ସହ ପାଣି ସିଞ୍ଚନ ଆରମ୍ଭ କରାଯାଇଛି ।

Share