ମୁମ୍ବାଇ,୨୯।୧୦: ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ନୋଏଲ ଟାଟା ଆସନ୍ତା ନଭେମ୍ବର ୧୨ରେ ଟାଟା ଗ୍ରୁପ୍ର ଅନ୍ତର୍ଭୁକ୍ତ ୬ଟି ପ୍ରମୁଖ କମ୍ପାନୀର ବୋର୍ଡ ସଦସ୍ୟ ପଦରୁ ଓହରିଯିବେ । ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମାନଙ୍କ ପାଇଁ ଟାଟା ଗ୍ରୁପ୍ର ରହିଥିବା ଅବସର ନୀତି ଆଧାରରେ ଏହି ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି । ତେବେ ଏହି ଶିଳ୍ପ ଗୋଷ୍ଠୀର ଏକ ହୋଲ୍ଡିଂ କମ୍ପାନୀ ଭାବେ ‘ଟାଟା ସନ୍ସ’ ବୋର୍ଡରେ ନୋଏଲ ଟାଟା ଟ୍ରଷ୍ଟର ମନୋନୀତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ଜାରି ରଖିବେ ବୋଲି କୁହାଯାଇଛ। ନୋଏଲ ବର୍ତ୍ତମାନ ଟ୍ରେଣ୍ଟ , ଭୋଲ୍ଟାସ୍ , ଟାଟା ଇନ୍ଭେଷ୍ଟମେଣ୍ଟ କର୍ପୋରେଶନ, ଟାଟା ଇଣ୍ଟରନ୍ୟାଶନାଲ, ଟ୍ରେଣ୍ଟ ହାଇପରମାର୍କେଟ ପ୍ରାଇଭେଟ ଲିମିଟେଡ୍ ଏବଂ ଦୁବାଇସ୍ଥିତ ଟାଟା ଇଣ୍ଟରନ୍ୟାଶନାଲ ୱେଷ୍ଟ ଏସିଆର ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ଏହା ବ୍ୟତୀତ ସେ ଟାଟା ଷ୍ଟିଲ ଏବଂ ଟାଇଟାନ କମ୍ପାନୀର ଅଣ-କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଥିବାବେଳେ ସ୍ପେନ୍ର ଫ୍ୟାଶନ ରିଟେଲର ଇଣ୍ଡିଟେକ୍ସ ସହ ଜଡ଼ିତ ଯୌଥ ଉଦ୍ୟୋଗ ‘ଇଣ୍ଡିଟେକ୍ସ ଟ୍ରେଣ୍ଟ ରିଟେଲ ଇଣ୍ଡିଆ’ର ନିର୍ଦ୍ଦେଶକ ରହିଛନ୍ତି। ସେହିପରି ଷ୍ଟାର ବଜାର ଏବଂ ଷ୍ଟାର ଡେଲି ରିଟେଲ ଚେନ୍ ପରିଚାଳନା କରୁଥିବା ଟ୍ରେଣ୍ଟ ଏବଂ ଟେସ୍କୋର ଯୌଥ ଉଦ୍ୟୋଗ ‘ଟ୍ରେଣ୍ଟ ହାଇପରମାର୍କେଟ’ ସହ ନୋଏଲ ନିଜର ସମ୍ପର୍କ ଜାରି ରଖିବେ। ତାଙ୍କର ଅନ୍ୟାନ୍ୟ ନିର୍ଦ୍ଦେଶକ ପଦଗୁଡ଼ିକ ପାଇଁ ବ୍ୟବସ୍ଥା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ।
ଟାଟା ସନ୍ସର ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନ୍ଙ୍କ ପୁନଃ ନିଯୁକ୍ତି ଏବଂ ହୋଲ୍ଡିଂ କମ୍ପାନୀର ପ୍ରସ୍ତାବିତ ଶେୟାର ବଜାର ତାଲିକାଭୁକ୍ତ(ଲିଷ୍ଟିଂ)କୁ ନେଇ ନୋଏଲ ଏବଂ ଟାଟା ସନ୍ସ ମଧ୍ୟରେ ବଢୁଥିବା ବିବାଦ ମଧ୍ୟରେ ଏହି ପରିବର୍ତ୍ତନ ଆସିଛି। ଉଲ୍ଲେଖଯୋଗ୍ୟ ,ସେପ୍ଟେମ୍ବର ୧୭ରେ ଟାଟା ସନ୍ସ ବୋର୍ଡ ଚନ୍ଦ୍ରଶେଖରନଙ୍କ ପାଇଁ ଆଉ ୫ ବର୍ଷର କାର୍ଯ୍ୟକାଳକୁ ୪-୧ ଭୋଟରେ ମଞ୍ଜୁର କରିଥିଲା। ନୋଏଲ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ। ଅକ୍ଟୋବର ୨୬ରେ ସେ ପୁଣି ଥରେ ଏହାର ବୈଧତାକୁ ଚ୍ୟାଲେଞ୍ଜକର ଏହା ଟ୍ରଷ୍ଟର ‘ଆର୍ଟିକିଲ୍ସ ଅଫ୍ ଆସୋସିଏଶନ’ର ଆବଶ୍ୟକତା ପୂରଣ କରୁନାହିଁ ବୋଲି ଯୁକ୍ତି ଦର୍ଶାଇଥିଲେ। ଅପରପକ୍ଷରେ ଚନ୍ଦ୍ରଶେଖରନ୍ଙ୍କ ପୁନଃ ନିଯୁକ୍ତି ବୈଧ ବୋଲି ଟାଟା ସନ୍ସ ଦାବି କରୁଛି।