Categories: ଜାତୀୟ

‘ହତ୍ୟାକାରୀଙ୍କୁ ଛଡ଼ାଯିବ ନାହିଁ’

ଚଣ୍ଡିଗଡ଼,୨୯।୫: ପଞ୍ଜାବ ସରକାର ୪୨୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିନେବାର ଦିନକ ପରେ ମନସା ଜିଲାରେ ଖ୍ୟାତନାମା ପଞ୍ଜାବୀ ଗାୟକ ସିଧୁ ମୂସଓ୍ବୋଲାଙ୍କୁ ରବିବାର କେତେଜଣ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି। ଗାୟକଙ୍କୁ ହତ୍ୟା ଘଟଣାରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ଶୋକବ୍ୟକ୍ତ କରିବା ସହ ତାଙ୍କ ମୃତ୍ୟୁ ପାଇଁ ଏଏପି ସରକାରଙ୍କ ସୁରକ୍ଷା ପ୍ରତ୍ୟାହାରକୁ ଦାୟୀ କରିଛନ୍ତି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ରାଜ୍ୟବାସୀଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଛନ୍ତି।  ହତ୍ୟା ଘଟଣାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କୁ ଛଡ଼ାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ କହିଛନ୍ତି।

୨୭ ବର୍ଷୀୟ ଗାୟକ ତାଙ୍କର ଦୁଇଜଣ ବନ୍ଧୁଙ୍କ ସହ ଏକ ଜିପ୍‌ରେ ଯାଉଥିବାବେଳେ ଜଓ୍ବାହର କେ ଗ୍ରାମ ନିକଟରେ ଆକ୍ରମଣ ହୋଇଥିଲା। ସିଧୁଙ୍କ ଦେହରେ ଅନେକ ଗୁଳି ବାଜିଥିଲା। ସିଭିଲ ହସ୍ପିଟାଲରେ ପହଞ୍ଚତ୍ବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁଳିମାଡ଼ରେ ଆହତ ହୋଇଥିବା ତାଙ୍କର ଦୁଇ ସାଙ୍ଗଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସିଧୁ ମନସା ଆସନରୁ ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ି ଏଏପି ପ୍ରାର୍ଥୀ ବିଜୟ ସିଙ୍ଗଲାଙ୍କଠାରୁ ହାରି ଯାଇଥିଲେ।

Share