ବିଜ୍ଞାନରେ ନୋବେଲ: ମହିଳା ବାଦ୍‌

ଟକ୍ସନ, ୧୧ା୧୦: ବିଜ୍ଞାନରେ ୨୦୨୧ ବର୍ଷର ନୋବେଲ ବିଜେତା ତାଲିକାରୁ ବାଦ୍‌ ପଡ଼ିଛନ୍ତି ମହିଳା। ମାତ୍ର କିଛି ବର୍ଷ ଏହି ପୁରସ୍କାର ପାଇଁ ମହିଳାଙ୍କୁ ବଛାଯିବା ପରେ ପୁଣି ଫେରିଛି ପୂର୍ବର ସେହି ପୁରୁଷ ପ୍ରଧାନ ସମାଜ ମନୋଭାବର ଚିରାଚରିତ ଢଙ୍ଗ। ଚଳିତ ବର୍ଷ ବିଜ୍ଞାନରେ ନୋବେଲ ପାଇଁ କେବଳ ପୁରୁଷଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି। ୨୦୨୦ରେ କ୍ରିସ୍‌ପର୍‌ ଜିନ୍‌ ଏଡିଟିଂରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଇମାନୁଏଲ ଚାର୍‌ପେଣ୍ଟିଅର ଏବଂ ଜେନିଫର ଦୌଦ୍‌ନାଙ୍କୁ ରସାୟନ ବିଜ୍ଞାନରେ ଓ ବିରାଟକାୟ କୃଷ୍ଣଗର୍ତ୍ତ ବା ବ୍ଲାକହୋଲ୍‌ ଠାବ କରିବା ନେଇ ଆନ୍ଦ୍ରିୟା ଗେଜ୍‌ଙ୍କୁ ନୋବେଲ ମିଳିଥିଲା। ଏହା ପୂର୍ବବର୍ଷ ଅର୍ଥାତ ୨୦୧୯ରେ ବିଜ୍ଞାନରେ ସମସ୍ତ ନୋବେଲ ବିଜେତା ପୁରୁଷ ରହିଥିଲେ। ୨୦୧୮ରେ ରସାୟନ ବିଜ୍ଞାନରେ ବାୟୋକେମିକାଲ ଇଞ୍ଜିନିୟର ଫ୍ରାନ୍ସେସ୍‌ ଆର୍ନୋଲ୍ଡ ଏବଂ ପଦାର୍ଥ ବିଜ୍ଞାନରେ ଡୋନା ଷ୍ଟ୍ରିକ୍‌ଲାଣ୍ଡ ନୋବେଲ ବିଜୟିନୀ ହୋଇଥିଲେ। ୧୯୦୩ରେ ମ୍ୟାରି କ୍ୟୁରୀ ଏବଂ ୬୦ ବର୍ଷ ପରେ ମାରିଆ ଗୋଏପ୍‌ପର୍ଟ ତୃତୀୟ ଓ ଚତୁର୍ଥ ପଦାର୍ଥ ବିଜ୍ଞାନୀ ଭାବେ ଏହି ସମ୍ମାନଜନକ ପୁରସ୍କାର ହାସଲ କରିଥିଲେ।
ଶତାବ୍ଦୀରେ ମହିଳାମାନେ ଗବେଷଣା କ୍ଷେତ୍ରରେ ବହୁ ଆଗକୁ ଆସିଛନ୍ତି। କିନ୍ତୁ ବିଜ୍ଞାନ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଏବଂ ଗଣିତ(ଏସ୍‌ଟିଇଏମ୍‌)ରେ ସେମାନଙ୍କ ପ୍ରତିନିଧିତ୍ୱକୁ ଅଣଦେଖା କରାଯାଉଛି। ଅଧ୍ୟୟନରୁ ଜଣାପଡିଛି, ଏହି କ୍ଷେତ୍ରରେ ଅବିରତ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ଅନେକ ବାଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ପୁରୁଷପ୍ରଧାନ ସମାଜରେ ପକ୍ଷପାତ ଯୋଗୁ ସେମାନେ ଅସମାନତାର ସାମ୍‌ନା କରୁଛନ୍ତି।

Share