ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌କୁ ନୋବେଲ ବିଜେତାଙ୍କ ପ୍ରଶଂସା

ଭୁବନେଶ୍ୱର,୨୯।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’କୁ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ୨୦୧୯ ନୋବେଲ ବିଜେତା ମାଇକେଲ କ୍ରେମର ପ୍ରଶଂସା କରିଛନ୍ତି। ଓଡ଼ିଶାର ଏହି ଯୋଜନାରେ ଲୋକମାନଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଉଛି। ଏହି ସେବା ଯୋଗାଣ ପରେ ସରକାର ଓ ସାଧାରଣ ଲୋକମାନେ କି ପ୍ରକାର ସୁବିଧା ପାଉଛନ୍ତି ଏବଂ ସେମାନଙ୍କ ଆର୍ଥିକ ସ୍ଥିତି ଆଦି ବିଭିନ୍ନ ଦିଗ ଉପରେ ଅଧ୍ୟୟନ କରାଯାଉଛି। ଏହି କ୍ରମରେ କ୍ରେମର ପୁରୀ ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନକୁ ଯାଇ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ସହ ଜଡ଼ିତ ବିଭିନ୍ନ ଦିଗ ଉପରେ ତଥ୍ୟ ସଂଗ୍ରହ କରିବା ସହ ଏଥିରେ ଉପକୃତ ହେଉଥିବା ହିତାଧିକାରୀ ଓ ଜଳସାଥୀଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ପରେ କ୍ରେମର ଓ ତାଙ୍କ ଟିମ୍‌ ରାଜ୍ୟ ସରକାରଙ୍କ ଏହି ୨୪ ଘଣ୍ଟିଆ ବିଶୁଦ୍ଧ ଜଳ ଯୋଗାଣ ବ୍ୟବସ୍ଥାକୁ ପ୍ରଶଂସା କରିବା ସହ ଏହାଦ୍ବାରା ସହରାଞ୍ଚଳର ସାମାଜିକ ଓ ଅର୍ଥନୈତିକ ଅନଗ୍ରସର ଲୋକମାନେ ପାଣି ପାଇପାରୁଛନ୍ତି ବୋଲି କହିଛନ୍ତି। ଏହି ଅବସରରେ କ୍ରେମର ଟ୍ୟାପ୍‌ରୁ ପାଣି ମଧ୍ୟ ପିଇଥିଲେ।
ପୁରୀ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ପରିଦର୍ଶନ ପରେ କ୍ରେମର ଓ ତାଙ୍କ ଟିମ୍‌ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନଙ୍କ ସହ ଆଲୋଚନା କରିଥିଲେ। ବର୍ତ୍ତମାନ ପୁରୀ ଓ ଗୋପାଳପୁର ସହରରେ ଶତ ପ୍ରତିଶତ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇସାରିଛି। ସେହିପରି ଗତ ଡିସେମ୍ବର ମାସରେ ଆଉ ୩ଟି ସହରରେ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ଯୋଜନାରେ କାର୍ଯ୍ୟ ଆରମ୍ଭ କରାଯାଇଛି। ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ୧୧୫ଟି ସହରାଞ୍ଚଳରୁ ୮୫ଟିରେ ଶତପ୍ରତିଶତ ପାଇପ ଜଳ ଯୋଗାଣର ବ୍ୟବସ୍ଥା କରିସାରି ବାକି ୨୦ଟି ସହରରେ ଡିସେମ୍ବର ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ରାଜ୍ୟ ନଗର ଉନ୍ନୟନ ବିଭାଗ ଲକ୍ଷ୍ୟ ରଖିଛି ବୋଲି ସଚିବ କହିଛନ୍ତି।