ନୋବେଲ ବିଜ୍ଞାନୀ: ପେସା ଡାକ୍ତରୀ ନିଶା ଗବେଷଣା

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବିଶ୍ୱବିଦିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଆଡଲଫ ଇମଲି ଭାନ୍‌ ବେହେରିଙ୍ଗ ଥିଲେ ଅନ୍ୟତମ। ଦୃଢ଼ ଆତ୍ମବିଶ୍ୱାସ ଏବଂ ପ୍ରଗାଢ଼ ଚେଷ୍ଟା ବଳରେ ସେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ ପାରିଥିଲେ। କେବଳ ସେତିକି ନୁହେଁ, ଚିକିତ୍ସା ବିଜ୍ଞାନରେ ପ୍ରଥମ ନୋବେଲ ପୁରସ୍କାର ହାସଲ କରିବାରେ ସେ ଥିଲେ ପ୍ରଥମ ବ୍ୟକ୍ତି। ୧୮୫୪ ମାର୍ଚ୍ଚ ୧୫ରେ ଜର୍ମାନୀର ହାନ୍ସଡୋର୍ଫଠାରେ ଜନ୍ମ ଗ୍ରହଣ କରିଥିଲେ ବେହେରିଙ୍ଗ । ପେସାରେ ସେ ଥିଲେ ଜଣେ ମିଲିଟାରୀ ଡାକ୍ତର। ପାଠପଢ଼ା ଶେଷ ହେବା ପରେ ଜର୍ମାନୀ ସେନା ବାହିନୀରେ ସେ ଯୋଗ ଦେଇଥିଲେ। ହେଲେ ଗବେଷଣା ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ଚାକିରି କ୍ଷେତ୍ରରେ ବାନ୍ଧି ରଖିପାରି ନ ଥିଲା।
ବିଜ୍ଞାନରେ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆଣିବା ପାଇଁ ସେ ନିଜକୁ ଗବେଷଣାରେ ନିମଗ୍ନ ରଖିଥିଲେ। ୧୮୯୦ରେ ତାଙ୍କର ଚେଷ୍ଟା ସଫଳ ରୂପ ନେଇଥିଲା। ଡିପଥେରିଆ ଆଣ୍ଟିଟକ୍ସିନ ଟିକା ଉଦ୍ଭାବନ କରି ସେ ଚର୍ଚ୍ଚାର ପରିସରକୁ ଆସିଥିଲେ। ସେ ସମୟରେ ଡିପଥେରିଆରେ ଅନେକ ଶିଶୁ ଅକାଳ ମୃତ୍ୟୁବରଣ କରୁଥିଲେ। ଏହି ଟିକା ଉଦ୍ଭାବନ ଫଳରେ ସେତେବେଳେ ଏହି ମୃତ୍ୟୁହାରକୁ କେତେକାଂଶରେ ରୋକାଯାଇପାରିଥିଲା। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୧୯୦୧ରେ ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୧୭ ମାର୍ଚ୍ଚ ୩୧ରେ ଏହି ନୋବେଲ ବିଜ୍ଞାନୀ ଇହଲୀଳା ସମ୍ବରଣ କରିଥିଲେ।