ବରଗଡ଼,୧୮।୮(ପ୍ରେମାନନ୍ଦ ଖମାରୀ):ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପଞ୍ଜୀକରଣରେ ଏଥର ନୂଆଁ କଟକଣାଗୁଡ଼ିକ ଚାଷୀଙ୍କ ପାଇଁ ଅଡୁଆ ସାଜିଛି। ପଞ୍ଜୀକରଣରେ ଏଗ୍ରିଷ୍ଟାକ୍ ଆଇଡିକୁ ନେଇ ଆରମ୍ଭରୁ ଅସନ୍ତୋଷ ତେଜି ଉଠିଥିଲା ଏବଂ ଆନ୍ଦୋଳନ ଚାପରେ ରାଜ୍ୟ ସରକାର ପରବର୍ତ୍ତୀ ସମୟରେ ଧାନବିକ୍ରି ପଞ୍ଜୀକରଣରୁ ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି। ଅନ୍ୟପଟେ ଏବେ ଦେବୋତ୍ତର ଜମିକୁ ଧାନବିକ୍ରି ପଞ୍ଜୀକରଣରେ ସାମିଲ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏପରି କି ବିଭିନ୍ନ ମନ୍ଦିର ସେବାୟତ, ପୂଜକମାନେ ଅନ୍ୟବର୍ଷ ଭଳି ଏଥର ଧାନବିକ୍ରି ପଞ୍ଜୀକରଣ ପାଇଁ ସ୍ଥାନୀୟ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)କୁ ଗଲେ ସେଠାରେ ବିଭାଗୀୟ ଅଧିକାରୀମାନେ ଦେବୋତ୍ତର ଜମିରେ ଧାନବିକ୍ରି ପଞ୍ଜୀକରଣକୁ ରୋକଠୋକ୍ ମନା କରି ଦେଉଛନ୍ତି ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ ନେଇ ସୋମବାର ଜିଲାର ଅତାବିରା, ବରପାଲି, ଭେଡ଼େନ ସମେତ ବିଭିନ୍ନ ବ୍ଲକର ସେବାୟତମାନେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଭେଟିଥିଲେ ଏବଂ ସ୍ମାରକପତ୍ର ପ୍ରଦାନ କରିଥିଲେ। ସମବାୟ ସମିତି ସମୂହ ଉପନିବନ୍ଧକ(ଡିଆରସିଏସ୍)ଙ୍କ ସହିତ ସେ ନେଇ ଆଲୋଚନା କରି ବିହିତ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ କହିଥିଲେ।
ସୂଚନା ଅନୁଯାୟୀ, ଜିଲାରେ ରହିଥିବା ବିଭିନ୍ନ ଦେବଦେବୀଙ୍କ ନାମରେ ଅନେକ ଜମି ରହିଛି। ଦେବୋତ୍ତର ବିଭାଗ ଅଧୀନରେ ସେବାୟତମାନେ ସେହି ଜମିରେ ଧାନଚାଷ କରି ଆସୁଛନ୍ତି। ସେଥିରେ ଅମଳ ହେଉଥିବା ଧାନରେ ଦେବଦେବୀଙ୍କ ଭୋଗ ପ୍ରସ୍ତୁତ ହେଉଥିବାବେଳେ ବଳକା ଧାନକୁ ପ୍ରତିବର୍ଷ ବିକ୍ରି କରି ମନ୍ଦିରର ଅନ୍ୟକାମରେ ତାହା ବିନିଯୋଗ ହୋଇଆସୁଛି। ତେବେ ପୂର୍ବରୁ ପ୍ରତିବର୍ଷ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ସେହି ଜମିରେ ଧାନବିକ୍ରି ପଞ୍ଜୀକରଣ ହୋଇ ଆସୁଥିଲା। ଗତବର୍ଷ ପଞ୍ଜୀକରଣ ପାଇଁ ପ୍ରଥମରୁ ମନା କରିଥିଲେ ସୁଦ୍ଧା ଶେଷ ମୁହୂର୍ତ୍ତରେ ପୁଣି ସେହି ଜମି ଧାନବିକ୍ରି ପାଇଁ ପଞ୍ଜୀକରଣ ହୋଇଥିଲା ଏବଂ ସେବାୟତମାନେ ମଣ୍ଡିରେ ଧାନବିକ୍ରି କରିବାର ସୁଯୋଗ ପାଇଥିଲେ।
କିନ୍ତୁ ଏଥର ଆରମ୍ଭରୁ ଦେବୋତ୍ତର ଜମିରେ ଧାନବିକ୍ରି ପଞ୍ଜୀକରଣକୁ ବିଭାଗୀୟ ଅଧିକାରୀମାନେ ମନା କରି ଦେଉଥିବା ଅଭିଯୋଗ ହୋଇଛି। ଏହା ମନ୍ଦିରଗୁଡ଼ିକରେ କାର୍ଯ୍ୟରତ ସେବାୟତଙ୍କ ଚିନ୍ତା ବଢ଼ାଇ ଦେଇଛି। ଦେବଦେବୀଙ୍କ ନାମରେ ରହିଥିବା ଜମିରୁ ଅମଳ ଧାନ ବିକ୍ରି ନ କଲେ ସେମାନଙ୍କ ସେବା ପାଇଁ ଲାଗୁଥିବା ଅର୍ଥ କୁଆଡୁ ଆଣିବେ ବୋଲି ସେବାୟତମାନେ ପ୍ରଶ୍ନ କରିବା ସହିତ ଏ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ସେହିପରି ପଞ୍ଜୀକରଣ ସମୟରେ ଅନ୍ୟଚାଷୀଙ୍କ କ୍ଷେତ୍ରରେ ମଧ୍ୟ ବିଦ୍ୟୁତ୍ ଦେୟ ପ୍ରଦାନକୁ ବାଧ୍ୟତାମୂଳକ କରାଯାଉଥିବା, ଭାଗଚାଷୀଙ୍କ ପଞ୍ଜୀକରଣ ପାଇଁ ମୋବାଇଲ ଆପ୍ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଯାଇ ନ ଥିବା ଆଦି ଅଭିଯୋଗ ହୋଇଛି। ସାର ସଂକଟ ନେଇ ମଧ୍ୟ ଚାଷୀମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆବଶ୍ୟକ ସମୟରେ ସେମାନଙ୍କୁ ସାର ମିଳୁ ନ ଥିବାବେଳେ ସାର କଳାବଜାର ହେଉଥିବା ଅଭିଯୋଗ ହୋଇଛି। ଉପରୋକ୍ତ ସମସ୍ୟା ସମୂହର ତ୍ୱରିତ୍ ସମାଧାନ ଦିଗରେ ପଦକ୍ଷେପ ନିଆ ନ ଗଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ସଂଯୁକ୍ତ କୃଷକ ସଂଗଠନର ସୁରେଶ ନିକାଣ୍ଟି, ନିରଞ୍ଜନ ପ୍ରଧାନ, ଈଶାନ୍ତ ଭୋଇ, ରବିଶଙ୍କର ପ୍ରଧାନ, କାରଣ ସାହୁ, ଥବିର ସାହୁ, ସୁବଳ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।