ଭୁବନେଶ୍ୱର,୧୩ା୨(ରବିନାରାୟଣ ଜେନା): ରାଜ୍ୟକୁ ଉନ୍ନତ କରିବାକୁ ହେବ ଓ ସରକାରୀ କାର୍ଯ୍ୟରେ ଯେଭଳି ବାଧା ନ ଉପୁଜିବ, ତାହାକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସବୁ ବିଭାଗର ସଚିବଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯୋଜନା ଓ ସଂଯୋଜନ ବିଭାଗ ଅତିରିକ୍ତ ସଚିବ ଶୁଭଶ୍ରୀ ନନ୍ଦ ଫେବୃଆରୀ ୧୦ରେ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶନାମାକୁ ନେଇ ସବୁ ବିଭାଗ ସଚିବଙ୍କୁ ଏକ ପତ୍ର ପ୍ରଦାନ କରିଛନ୍ତି। ସେଥିରେ ସେ ଦର୍ଶାଇଛନ୍ତି, ଆଗକୁ ବିଧାନସଭାର ବଜେଟ ଅଧିବେଶନ ରହିଛି। ଏହି ସମୟରେ କୌଣସି ସଚିବ ଛୁଟିରେ ରହିପାରିବେ ନାହିଁ। ଯଦି କୌଣସି ଜରୁରୀ କାର୍ଯ୍ୟ ପଡ଼େ ତେବେ ମୁଖ୍ୟ ସଚିବଙ୍କଠାରୁ ପୂର୍ବ ଅନୁମୋଦନକ୍ରମେ ଛୁଟିରେ ଯାଇପାରିବେ। ସେହିପରି ବଜେଟ ସଂକ୍ରାନ୍ତୀୟ ଯଦି କୌଣସି ନୂତନ ତଥା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥାଏ, ତାହାକୁ ତୁରନ୍ତ ଅବଗତ କରାଇଲେ ରାଜ୍ୟପାଳଙ୍କ ବଜେଟ ଅଭିଭାଷଣରେ ସ୍ଥାନ ଦିଆଯାଇପାରିବ। ତେବେ ଉକ୍ତ ତଥ୍ୟ ସରକାରଙ୍କ ପାଇଁ ସକାରାତ୍ମକ ଓ ବିକାଶମୁଖୀ ହୋଇଥିବା ଆବଶ୍ୟକ। ଏହାବାଦ୍ ବିଭାଗକୁ ଯଦି କେହି ଡେଲିଗେଟ୍ସ ଆସିବାର ସମ୍ଭାବନା ରହିଛି, ତେବେ ତାହା ପୂର୍ବରୁ ଜଣାଇବା ଆବଶ୍ୟକ। ବଜେଟ ଅଧିବେଶନ ପାଇଁ ତାହାକୁ ଠିକଣା ଭାବେ ସୂଚୀ ପ୍ରସ୍ତୁତ କରିବା ଲାଗି ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିବା ନନ୍ଦଙ୍କ ବିବରଣୀରୁ ଜଣାପଡ଼ିଛି।

