କାମ କରି ମିଳିନି ମଜୁରି

କଣ୍ଟାବାଞ୍ଜି, ୧୪ା୬(ଗୁରୁଦୟାଲ ହଂସ): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କମେଇମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ରହେନଭଟା ଗାଁର ଗଭରାମୁଣ୍ଡା ବନ୍ଧର ମାଟି ଉନ୍ନତୀକରଣ ଏମ୍‌ଜିଏନଆରଜିଏସ ଯୋଜନାରେ କରାଯାଇଛି। ୨୦୨୨ ଡିସେମ୍ବର ମାସରେ କାମ ଆରମ୍ଭ କରାଯାଇଥିଲା। କାମସ୍ଥାନରେ କୌଣସି ସୂଚନା ଫଳକ ଲଗାଯାଇନାହିଁ। ଫଳରେ କେତେ ଟଙ୍କାର କାମ, କର୍ମ ଦିବସ ଓ କେତେ ସଂଖ୍ୟକ ଶ୍ରମିକ କାମ କରିଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ମିଳି ପାରୁନାହିଁ। ଅପରପକ୍ଷରେ ଏଠାରେ କାମ କରିଥିବା ଜବ୍‌କାର୍ଡଧାରୀ ଶ୍ରମିକ ଏ ଯାଏ ମଜୁରି ପାଇ ନ ଥିବା ଅଭିଯୋଗ କରିଛନ୍ତି। ଅପରପକ୍ଷରେ କାମ କରି ନ ଥିବା ବ୍ୟକ୍ତିଙ୍କ ବ୍ୟାଙ୍କଖାତାରେ ଟଙ୍କା ଜମା କରାଯାଇଥିବା ଅଭିଯୋଗ କରିଛନ୍ତି ପ୍ରକୃତ ଶ୍ରମିକ। ପ୍ରକଳ୍ପ ଅଟକଳ ୧୦ଲକ୍ଷ ଟଙ୍କା ଥିବା ବେଳେ ଅଳ୍ପକିଛି କାମ କରି କାଗଜକଲମରେ କାମ ହୋଇଥିବା ଦେଖାଇ ଦିଆଯାଇଥିବା କହିଛନ୍ତି ରହେନଭଟା ଗ୍ରାମର ସୁନ୍ଦର ଭୋଇ, ମକରଧ୍ୱଜ ଭୋଇ, କପିଲ ଭୋଇ,ସିନ୍ଧୁ ଭୋଇ, ମାଧବ ଭୋଇ ଏବଂ ପଞ୍ଚାନନ ଭୋଇ ପ୍ରମୁଖ। ଏ ନେଇ କମେଇମୁଣ୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚ ବିନୋଦିନୀ ବାଗଙ୍କୁ ତାଙ୍କ ମୋବାଇଲ ଫୋନ ନଂ. ୭୮୫୪୯୬୭୪୭୧ରେ ଯୋଗାଯୋଗ କରାଯାଇଥିଲା। ଫୋନ ତାଙ୍କ ସ୍ବାମୀ ତଥା ସରପଞ୍ଚ ପ୍ରତିନିଧି ଭରତ ବାଗ ରିସିଭ କରିଥିଲେ। ଅଭିଯୋଗ ସମ୍ପର୍କରେ ତାଙ୍କୁ ପଚାରିବାରୁ ୫ମାସ ହେଲା ଶ୍ରମିକଙ୍କ ମଜୁରି ପ୍ରଦାନ କରା ନ ଯିବା ପରିତାପର ବିଷୟ ବୋଲି କହିଥିଲେ। କାମ ସହ ପ୍ରତ୍ୟକ୍ଷଭବେ ସମ୍ପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜିଆରଏସ୍‌, ଗ୍ରାମସାଥୀ ମଷ୍ଟରରୋଲ ବାହାର କରି ଜବକାର୍ଡ ଧାରୀ ଶ୍ରମିକଙ୍କୁ ମଜୁରି ପଇଠ କରିବାକଥା। ଆଜିକାଲି ଅନଲାଇନ ମାଧ୍ୟମରେ ସବୁ କାର୍ଯ୍ୟ ହେଉଥିବାରୁ ସବୁକଥା ସରପଞ୍ଚଙ୍କ ନଜରକୁ ଆସିପାରୁ ନାହିଁ ା ଯଦି ଏପରି ହୋଇଥାଏ ତେବେ ଅନୁସନ୍ଧାନ କରି ପ୍ରାପ୍ୟ ପ୍ରଦାନର ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ। ଏ ନେଇ ତୁରେକେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲଙ୍କୁ ପଚାରିବାରୁ ଶ୍ରମିକମାନଙ୍କ କୌଣସି ଅଭିଯୋଗ ମୋ ପାଖକୁ ଆସିନାହିଁ। ନିର୍ଦ୍ଧିଷ୍ଟଭାବେ ମଜୁରି ମିଳି ନ ଥିବା ନେଇ ଅଭିଯୋଗ ଆସିଲେ ଅନୁସନ୍ଧାନ କରିକି ପଦକ୍ଷେପ ନେବି ବୋଲି କହିଛନ୍ତି।