ବିଶ୍ୱ କପ ଫୁଟବଲରେ ରୋମାନ୍ସ ମନା, ଉଲ୍ଲଂଘନ କଲେ ୭ ବର୍ଷ ଜେଲ…

ଦୋହା, ୨୪।୬ : ଚଳିତ ବର୍ଷ ନଭେମ୍ବରରେ ଆରବ ଦେଶ କାତାରରେ ଫିଫା ଫୁଟବଲ ବିଶ୍ୱକପ ୨୦୨୨ ଆୟୋଜିତ ହେଉଛି। ଏହି ସମୟ ମଧ୍ୟରେ, ବିଶ୍ୱର ବହୁ ସଂଖ୍ୟକ ଫୁଟବଲ ପ୍ରେମୀ ଏଠାରେ ପହଞ୍ଚିବେ। ତେବେ ଏଠାରେ ଫିଫା ବିଶ୍ୱକପ ଫୁଟବଲ ପ୍ରଶଂସକଙ୍କୁ ବିଭିନ୍ନ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ।

ଏଲଜିବିଟିକ୍ୟୁ ଉପରେ ମାନବିକ ଅଧିକାରର ଉଲ୍ଲଂଘନ ଉପରେ ନିଜର ଆଭିମୁଖ୍ୟ ନେଇ କାତାର ପୂର୍ବରୁ ଆଲୋଚନା କରୁଛି। ବର୍ତ୍ତମାନ ଖବର ପ୍ରକାଶ ପାଇଛି ଯେ ବିଶ୍ୱକପ ସମୟରେ କାତାର ଓ୍ବାନ ନାଇଟ୍‌ ଷ୍ଟାଣ୍ଡ ଏବଂ ସର୍ବସାଧାରଣରେ ରୋମାନ୍ସକୁ ମଧ୍ୟ ନିଷିଦ୍ଧ କରିଛି।

ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, କାତାର ସ୍ପଷ୍ଟ କରିଛି ଯେ ବିଦେଶୀ ଅତିଥିମାନଙ୍କୁ ଏହି ଦେଶର କଠୋର ନିୟମ ମାନିବାକୁ ପଡ଼ିବ। ଦମ୍ପତି ନହୋଇ ଶାରୀରିକ ସମ୍ପର୍କ ସ୍ଥାପନ ଅବା ରୋମାନ୍ସ୍‌ କରୁଥିବା ବ୍ୟକ୍ତିଙ୍କୁ ଦେଶର ଆଇନ ବ୍ୟବସ୍ଥା ଅନୁସାରେ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଯାଇପାରେ ବୋଲି ସରକାର କହିଛନ୍ତି। ଏହା ବ୍ୟତୀତ କାତାର ସରକାରଙ୍କ ଦ୍ୱାରା ଅନ୍ୟାନ୍ୟ କଡା ନିୟମ ଲାଗୁ କରାଯାଇଛି। ଯାହା ପାଶ୍ଚାତ୍ୟ ପର୍ଯ୍ୟଟକଙ୍କ ପାଇଁ ପାଳନ କରିବା କଷ୍ଟକର ହୋଇପାରେ।

କାତାରରେ ଇସଲାମିକ ଶାରିଆ ନିୟମ ଲାଗୁ ହୋଇଛି। ଯାହା ଅନୁଯାୟୀ ବିବାହ କରି ନଥିବା ଲୋକେ ସାଥୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଏକ ବଡ ଅପରାଧ। ସମଲିଙ୍ଗୀ ସମ୍ପର୍କ ପାଇଁ ଦଣ୍ଡର ବ୍ୟବସ୍ଥା ମଧ୍ୟ ଅଛି। ଏହି ରିପୋର୍ଟରେ କାତାରରେ ଫୁଟବଲ ମ୍ୟାଚ ପରେ ପାର୍ଟି ଏବଂ ମଦ୍ୟପାନ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି। ଯଦି ଦମ୍ପତି ବୋଲି କହୁଥିବା ପୁରୁଷ ଏବଂ ମହିଳାଙ୍କ ଉପନାମ ସମାନ ନଥିବ ସେମାନଙ୍କୁ ହୋଟେଲରେ ଏକାଠି ଗୋଟିଏ କୋଠରୀରେ ରହିବାର ସୁଯୋଗ ପ୍ରଦାନ କରାଯିବ ନାହିଁ। ଏକାଠି ଏକ କୋଠରୀ ପାଇବାକୁ ହେଲେ ସେମାନଙ୍କୁ ପ୍ରମାଣ ଦାଖଲ କରିବାକୁ ପଡିବ ଯେ ସେମାନେ ସ୍ତ୍ରୀ ଏବଂ ସ୍ବାମୀ ଅଟନ୍ତି।

ଫିଫା ବିଶ୍ୱକପ ମୁଖ୍ୟ ଅଧିକାରୀ ନାସିର କହିଛନ୍ତି ଯେ ’ସର୍ବସାଧାରଣ ସ୍ଥାନରେ ରୋମାନ୍ସ କାତାର ସଂସ୍କୃତିର ଅଂଶ ନୁହେଁ। ତେଣୁ ଆମେ ବିଦେଶୀ ଅତିଥିମାନଙ୍କୁ ଏହାର ଅନୁମତି ଦେଇ ପାରିବୁ ନାହିଁ। ଏଥିସହ ସେ କହିଛନ୍ତି ଯେ ବିଶ୍ୱକପ ଦେଖିବାକୁ ଆସୁଥିବା ଫୁଟବଲ ପ୍ରେମୀମାନଙ୍କ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Share