ଭୁବନେଶ୍ୱର,୧୪।୧୦(ପ୍ରସନଜିତ୍ ସାହୁ): ରାଜଧାନୀ ଭୁବନେଶ୍ବରରେ ଅପରାଧୀଙ୍କ ଆତଙ୍କ ଥମିବାର ନାଁ ନେଉନି। ଅପରାଧୀମାନେ ସହରରେ ଖଣ୍ଡା ଦେଖାଇ ଭୟ ସୃଷ୍ଟି କରିବାଠୁ ଆରମ୍ଭ କରି ଖଣ୍ଡାରେ ଆକ୍ରମଣ କରି ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଉଛନ୍ତି। ଭୁବନେଶ୍ୱରର ୧ ନମ୍ବର ମାର୍କେଟରୁ ୩୨ ଇଞ୍ଚ ଲମ୍ବର ଖଣ୍ଡା ଆଣି ୨ ଅପରାଧୀ ଇନ୍ଦ୍ରଧନୁ ମାର୍କେଟରେ ରବିବାର ସାଧାରଣ ଲୋକଙ୍କୁ ଭୟଭୀତ କରୁଥିବା ଅଭିଯୋଗରେ ନୟାପଲ୍ଲୀ ଥାନାରେ ଏକ ମାମଲା (ନଂ. ୮୩୩/୨୦୨୬) ରୁଜୁ ହୋଇଥିବାବେଳେ ମାର୍କେଟ ବିଲ୍ଡିଂରେ ଜଣେ ନାବାଳକ ମଧ୍ୟ ଦୋକାନୀଙ୍କୁ ଖଣ୍ଡାରେ ଆକ୍ରମଣ କରି ଗୁରୁତର କରିଛନ୍ତି। ମାର୍କେଟରେ ଖଣ୍ଡା ସହଜରେ ମିଳିଯିବା ଏବଂ ଏହା ଉପରେ ପୋଲିସର କୌଣସି ଅଙ୍କୁଶ ନ ରହିବା କାରଣରୁ ଅପରାଧୀମାନେ କଥାକଥାରେ ଲୋକଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତିି। ରାଜଧାନୀରେ ଖୋଲାଖୋଲି ମାରଣାସ୍ତ୍ର ବିକ୍ରି ଉପରେ କାହିଁକି ନିୟନ୍ତ୍ରଣ ରହୁନାହିଁ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଦୁର୍ଗାପୂଜା। ରାଜଧାନୀର ବିଭିନ୍ନ ପୂଜାମଣ୍ଡପରେ ଜନସମାଗମ ବଢ଼ିବା ସହ ବଜାର ଓ ରାସ୍ତାଘାଟରେ ଭିଡ଼ ଜମିବ। ଏହାକୁ ନେଇ କମିଶନରେଟ ପୋଲିସ ସଜାଗ ଥିବା କହୁଥିବାବେଳେ ଏଭଳି ସମୟରେ ଅପରାଧୀଙ୍କ ହାତରେ ଖଣ୍ଡା ଭଳି ମାରଣାସ୍ତ୍ର ରହିବା ସାଧାରଣ ଲୋକଙ୍କୁ ଭୟଭୀତ କରୁଛି। ଅନ୍ୟପଟେ ଖଣ୍ଡା ବିକ୍ରିକୁ ନେଇ ଆଇନଗତ ନିୟମ କ’ଣ ରହିଛି, କେଉଁ ପ୍ରକାରର ଖଣ୍ଡା ବିକ୍ରି ପାଇଁ ଅନୁମତି ଆବଶ୍ୟକ, ବିକ୍ରେତାଙ୍କ ପାଇଁ କେଉଁ ସର୍ତ୍ତ ରହିଛି ଏବଂ ମାରଣାସ୍ତ୍ର କିଣୁଥିବା ବ୍ୟକ୍ତିଙ୍କ ପରିଚୟ ଓ ଉଦ୍ଦେଶ୍ୟ ଯାଞ୍ଚ ପାଇଁ ବ୍ୟବସ୍ଥା ରହିଛି କି ନାହିଁ, ସେନେଇ କମିଶନରେଟ ପୋଲିସ ପକ୍ଷରୁ ଯାଞ୍ଚ ହେବାର ଆବଶ୍ୟକତା ରହିଛି। ହେଲେ ଏହା କରାଯାଉ ନ ଥିବାରୁ ଅପରାଧୀଙ୍କ ମଧ୍ୟରେ ଭୟ ରହୁ ନାହିଁ। ଏନେଇ ଟୁଇନ୍ ସିଟି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ କହିଛନ୍ତି, ଘର କାମ ଅର୍ଥାତ୍ ଘାସ କାଟିବା ଭଳି କାର୍ଯ୍ୟରେ ବ୍ୟବହୃତ ହେଉଥିବା ଛୋଟ ଖଣ୍ଡା ବିକ୍ରିରେ କୌଣସି ନିୟମ ନାହିଁ। ବଡ଼ ଖଣ୍ଡା ବିକ୍ରିରେ ନିୟମ ରହିଛି। ତେବେ ସେ ଏକ ଜରୁରୀ କାମରେ ବ୍ୟସ୍ତ ଥିବାରୁ ଅଧିକ କିଛି ନ କହି ପରବର୍ତ୍ତୀ ସମୟରେ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦିଆଯିବ ବୋଲି କହି ଫୋନ୍ କାଟି ଦେଇଥିଲେ।
ରବିବାର ଅପରାହ୍ନରେ ଜଣେ ନାବାଳକ ମାର୍କେଟ ବିଲ୍ଡିଂସ୍ଥିତ ବେଡ୍ଶିଟ୍ ଦୋକାନକୁ ଯାଇ କମ୍ ମୂଲ୍ୟରେ ସାମଗ୍ରୀ ନେବାକୁ ଦାବି କରିଥିଲେ। ଏହି କାରଣରୁ ଉଭୟ ନାବାଳକ ଓ ଦୋକାନୀଙ୍କ ମଧ୍ୟରେ ଯୁକ୍ତି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ନାବାଳକ ଜଣକ ଦୋକାନୀଙ୍କ ପେଟକୁ ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ପରେ ତାଙ୍କୁ ପୋଲିସ ଧରି ବାଳ ସୁଧାର ଗୃହରେ ହାଜର କରାଇଛି।