କଲ୍ୟାଣସିଂହପୁର, ୧୨।୫ (ଦୀପକ କୁମାର ପରିଡା): ରାୟଗଡା ଜିଲା କଲ୍ୟାଣସିଂହପୁର ସହରରୁ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ଯାତ୍ରୀ ବସ୍, ଅଟୋ ରିକ୍ସାଠାରୁ ଆରମ୍ଭ କରି ବିଭିନ୍ନ ଭଡା ଗାଡିରେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ରାସ୍ତା କଡରେ ଅପେକ୍ଷା କରୁଛନ୍ତି। କଲ୍ୟାଣସିଂହପୁର ସହରରେ କୌଣସି ସ୍ଥାନରେ ଯାତ୍ରୀ ବିଶ୍ରାମାଗାର ନ ଥିବାରୁ ଖରାରେ ଯାତ୍ରୀମାନେ ଛଟପଟ ହେଉଥିବା ଦେଖିବାକୁ ମିଳିଛି।
କଲ୍ୟାଣସିଂହପୁର ସଦର ଗୁଣ୍ଡିଚା ମନ୍ଦିର ଛକ, ଜଗନ୍ନାଥ ମନ୍ଦିର ଛକ, ରାମ ମନ୍ଦିର ଛକ, ହନୁମାନ ମନ୍ଦିର ଛକ, ପୁରୁଣା ବସ୍ଷ୍ଟାଣ୍ଡ ଛକ, କାଳୀ ସୁନ୍ଦରୀ ମନ୍ଦିର ଛକ ଭଳି ଜନଗହଳି ପୂର୍ଣ୍ଣ ସ୍ଥାନରେ ଯାତ୍ରୀ ବିଶ୍ରାମଗାର ସୁବିଧା ନାହିଁ । ପୂର୍ବରୁ ପୁରୁଣା ବସ୍ଷ୍ଟାଣ୍ଡ ଛକରେ ଏକ ଯାତ୍ରୀ ବିଶ୍ରାମାଗାର ରହିଥିବାବେଳେ ରାସ୍ତା ପ୍ରଶସ୍ତିକରଣ ସମୟରେ ତାକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ଫଳରେ ଯାତ୍ରୀମାନେ ନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ବସ୍, ଅଟୋକୁ ଡହଡହ ଖରାରେ ଅପେକ୍ଷା କରିବାକୁ ପଡ଼ୁଛି। ଏଭଳି ଜନଗହଳି ପୂର୍ଣ୍ଣ ଛକ ନିକଟରେ ବିଶ୍ରାମାଗାର ନ ଥିବାରୁ ଯାତ୍ରୀମାନେ ବର୍ଷା କିମ୍ବା ଖରା ହେଲେ ଲୋକଙ୍କ ଦୋକାନ ପିଣ୍ଢାରେ ଠିଆ ହେବାକୁ ବାଧ୍ୟ ହେଉଛନ୍ତି। ନ ହେଲେ ଓଦା ହେବାକୁ ପଡୁଛି। ତେଣୁ ବ୍ଲକ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି। ଏ ସମ୍ପର୍କରେ କଲ୍ୟାଣସିଂହପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୀଷା ଦାସଙ୍କୁ ପଚାରିବାରୁ ସହରର କେଉଁ କେଉଁ ଛକରେ ଯାତ୍ରୀ ବିଶ୍ରାମଗାର ଆବଶ୍ୟକତା ରହିଛି ସେ ଦିଗରେ ପ୍ରଥମେ ଅନୁଧ୍ୟାନ କରାଯିବ। ପରବର୍ତ୍ତୀ ସମୟରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।