Categories: ଜାତୀୟ

ଚାଷୀଙ୍କ ପ୍ରତି ସମ୍ମାନ ନାହିଁ

ନୂଆଦିଲ୍ଲୀ/ଲକ୍ଷ୍ନୌ/ଜୟପୁର/ଚଣ୍ଡିଗଡ଼,୧୬ା୧:ଚାଷୀଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦୌ ସମ୍ମାନ ନାହିଁ। କୃଷି ଆଇନ ବିରୋଧରେ ଆନ୍ଦୋଳନରତ କୃଷକମାନଙ୍କୁ ପ୍ରତିହତ କରିବା ଲାଗି ମୋଦି ଉଦ୍ୟମ ଚଳାଇଛନ୍ତି। ସରକାର କାଳକ୍ଷେପଣ କୌଶଳ ଆପଣାଇ ଆନ୍ଦୋଳନ କରୁଥିବା କୃଷକଙ୍କ ସହ ଆଲୋଚନା କରୁଥିବା ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ଷିଛନ୍ତି।
ଯନ୍ତରମନ୍ତରରେ କଂଗ୍ରେସ ଏମ୍‌ପିମାନଙ୍କ ପକ୍ଷରୁ କୃଷି ଆଇନ ବିରୋଧରେ ଚାଲିଥିବା ବିକ୍ଷୋଭରେ ରାହୁଲ ଓ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସାମିଲ ହୋଇଥିଲେ। ଏହି ଅବସରରେ ରାହୁଲ କହିଥିଲେ, କୃଷି ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ କୃଷକମାନେ ଶାନ୍ତିରେ ବସିବେ ନାହିଁ। ପ୍ରଧାନମନ୍ତ୍ରୀ ମୋଦି ମନେକରୁଛନ୍ତି ଯେ, ତାଙ୍କ ନିକଟରେ କ୍ଷମତା ଅଛି, ଯାହାକୁ ଉପଯୋଗ କରି ସେ ଚାଷୀଙ୍କୁ ଦିନେ ନା ଦିନେ କ୍ଳାନ୍ତ କରିଦେବେ। ଚାଷୀଙ୍କ ପ୍ରତି ତାଙ୍କର ମୌଳିକ ସମ୍ମାନ ମଧ୍ୟ ନାହିଁ। ଏହା ମୋଦିଙ୍କ ଭୁଲ୍‌। ୧୦୦ କୃଷକ ମରିଗଲେ ବି ମୋଦି ଆଦୌ ଚିନ୍ତିତ ନୁହନ୍ତି। ଏହି ଅବସରରେ କୃଷକଙ୍କ ଆନ୍ଦୋଳନକୁ ଖଲିସ୍ତାନୀଙ୍କ ସହ ଯୋଡ଼ିବାକୁ ରାହୁଲ ନିନ୍ଦା କରିଥିଲେ।
କୃଷି ଆଇନ ବିରୋଧରେ କଂଗ୍ରେସ ପକ୍ଷରୁ ‘କିଷାନ ଅଧିକାର ଦିବସ’ ପାଳନ କରାଯାଇ ବିଭିନ୍ନ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଉତ୍ତରପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁ ଦଳୀୟ କର୍ମୀଙ୍କ ସହ ରାଜଭବନ ଘେରାଉ କରିବାବେଳେ ପୋଲିସ ତାଙ୍କୁ ଅଟକ ରଖିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମେତ ଦଳୀୟ ନେତା ଓ କର୍ମୀ ଜୟପୁରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କେନ୍ଦ୍ର ସରକାର କୃଷି ଆଇନକୁ ନ ହଟାଇବା ଯାଏ କଂଗ୍ରେସ ଲଢ଼େଇ ଜାରି ରଖିବ ବୋଲି ଗେହଲଟ କହିଥିଲେ। ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଗୋବିନ୍ଦ ସିଂ ଦୋତାସ୍ରାଙ୍କ ନେତୃତ୍ୱରେ ସିଭିଲ୍‌ ଲାଇନ୍ସ ଏରିଆରୁ ରାଜଭବନକୁ ଶୋଭାଯାତ୍ରାରେ ଯାଉଥିବାବେଳେ ପୋଲିସ ନେତା ଓ କର୍ମୀଙ୍କୁ ଅଟକାଇଥିଲା। ଚଣ୍ଡିଗଡ଼ରେ ହରିୟାଣା କଂଗ୍ରେସ ପକ୍ଷରୁ ଅନୁରୂପ ବିକ୍ଷୋଭ ପ୍ରଦର୍ଶନ ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡାଙ୍କ ସମେତ ବହୁ ନେତାଙ୍କୁ ଅଟକ ରଖାଯାଇଥିଲା। ମଧ୍ୟପ୍ରଦେଶର ଛିନ୍ଦଓ୍ବାଡାରେ ରାଜ୍ୟ କଂଗ୍ରେସ କମିଟି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ନିଜ ସମର୍ଥକଙ୍କ ସହ ଟ୍ରାକ୍ଟର ରାଲି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦେଶବ୍ୟାପୀ କଂଗ୍ରେସର କିଷାନ ଅଧିକାର ଦିବସ ପାଳନ ବେଳେ ବହୁସଂଖ୍ୟକ ନେତା ଓ କର୍ମୀଙ୍କୁ ପୋଲିସ ଅଟକ ରଖିଥିଲା।

Share