ରାସ୍ତା ନାହିଁ: ନାଳ ପାର୍‌ ହେଉଛନ୍ତି ଗ୍ରାମବାସୀ

ଘଣ୍ଟାପଡ଼ା, ୧୨ା୯(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ନାରାୟଣପ୍ରସାଦ ପଞ୍ଚାୟତର ନାଦେନ ଗାଁକୁ ସବୁଦିନିଆ ରାସ୍ତା ନାହିଁ। ରାସ୍ତା ଖରାପ ଯୋଗୁ ବର୍ଷା ଦିନେ ଲୋକଙ୍କ ସମସ୍ୟା ଦିଗୁଣିତ ହୋଇଯାଏ। ଏହି ଗାଁକୁ ଯାଇଥିବା ରାସ୍ତା ଉପରେ ପଞ୍ଚାୟତର ୮ଟି ଗ୍ରାମ ସମାଡାଙ୍କି, ତୁଡିବାହାଲ, ଲୁଣ୍ଡୁରୁ, ସେରକାମୁରା, ଗଣ୍ଡାରାସୁର, କୁମ୍ଭେଖେତା, କାମୁଠାନ ଓ ଅନୁଗୁଭାର ଲୋକେ ପ୍ରତିଦିନ ଯାତାୟାତ କରିଥାନ୍ତି। କିନ୍ତୁ ରାସ୍ତା ଅବସ୍ଥା ଅତି ବେହାଲ ହୋଇ ପଡିଥିବାବେଳେ ସ୍ଥାନେ ସ୍ଥାନେ ବଡ଼ବଡ଼ ନାଳ ମଧ୍ୟ ରହିଛି। ଫଳରେ ଟିକିଏ ବର୍ଷାରେ ଲୋକେ ଜଳବନ୍ଦୀ ଜୀବନ କାଟୁଛନ୍ତି। ଏପଟେ ଆଖପାଖ ଅଞ୍ଚଳର ଛାତ୍ରୀଛାତ୍ର ନାଦେନ ଗ୍ରାମକୁ ପାଠପଢିବାକୁ ଆସୁଥିବାବେଳେ ସେମାନେ ଆଣ୍ଠୁଏ ପାଣିରେ ଆସି ବହୁ ଅସୁବିଧା ଭୋଗୁଥିବା କହିଛନ୍ତି ଛାତ୍ରୀଛାତ୍ର। ଉକ୍ତ ରାସ୍ତା ବନବିଭାଗ ଅଧୀନରେ ଥିବାବେଳେ ବିଭାଗ ପକ୍ଷରୁ ନାଳ ଉପରେ ପୋଲ ନିର୍ମାଣ କରାଯାଉନାହିଁ। ଫଳରେ ଲୋକେ ଯାତାୟାତ ପାଇଁ ବହୁ ଅସୁବିଧା ଭୋଗୁଛନ୍ତି। ଛାତ୍ରୀଛାତ୍ର ନାଳ ପାରିହୋଇ ପଢିବାକୁ ଯାଇଥାନ୍ତି। ବର୍ଷା ହେଲେ ଛାତ୍ରୀଛାତ୍ରଙ୍କ ପାଠ ପଢାରେ ଅସୁବିଧା ହୁଏ। ଏପରିକି ଭରା ନାଳରେ ପାରିହୋଇ ବିପଦପୂର୍ଣ୍ଣ ଭାବରେ ପାଠ ପଢିବାକୁ ଯାଇଥାନ୍ତି। ଗ୍ରାମର ଲୋକଙ୍କୁ ସାମାନ୍ୟ ଜ୍ୱର ହେଲେ ମଧ୍ୟ୍ୟ ଗାଁକୁ ଆମ୍ବୁଲାନ୍ସ ଆସି ପାରୁନାହିଁ। ଫଳରେ ଗ୍ରାମବାସୀ ରୋଗୀଙ୍କୁ ଖଟିଆରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହିବାକୁ ବାଧ୍ୟ ହେଉଛନ୍ତି। ନିର୍ବାଚନ ଆସିଲେ ଗାଁକୁ ଆସି ନେତାମାନେ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇ ଚାଲିଯାଉଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରତିଶ୍ରୁତି ମଧ୍ୟ ପୂରଣ ହୋଇପାରିଲା ନାହିଁ। ଗ୍ରାମବାସୀ ପଞ୍ଚାୟତ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ବି କିଛି ସୁଫଳ ମିଳି ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଶେଷରେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ କଡ଼ା ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ କଣ୍ଟାମାଳ ରେଞ୍ଜର କ୍ଷୀରାବ୍ଧି ପ୍ରଧାନଙ୍କୁ ପରିବାରୁ ଉକ୍ତ ରାସ୍ତା ପାଇଁ ଉଚ୍ଚ ଅଧିକାରୀଙ୍କୁ ଜଣାଇଛୁ। ଏଲଟମେଣ୍ଟ ଆସିଲେ କାମ ହେବ।