Categories: ଖେଳ

ଖରାପ୍‌ ଶର୍ଟ ଖେଳି ଆଉଟ୍‌ ହୋଇଥିଲେ ରୋହିତ ଶର୍ମା: ସମାଲୋଚନାକୁ ନେଇ କହିଲେ ‘ପଶ୍ଚାତାପ କରୁନାହିଁ’

ବ୍ରିସବେନ୍‌,୧୬।୧: ଦଳକୁ ଆବଶ୍ୟକତା ଥିବା ବେଳେ ଭୁଲ୍‌ ଶଟ୍‌ ଖେଳି ଆଉଟ୍‌ ହେବାକୁ ନେଇ ଭାରତୀୟ ଉପଅଧିନାୟକ ରୋହିତ ଶର୍ମାଙ୍କ ଆଲୋଚନା କରାଯାଉଛି। ଏନେଇ ପ୍ରତିକ୍ରିୟା ରଖି ସେ ପଶ୍ଚାତାପ କରୁ ନ ଥିବା କହିଛନ୍ତି। ଏପରିକି ବୋଲରମାନଙ୍କୁ ଚାପରେ ରଖିବା ପାଇଁ ଏହା ତାଙ୍କର ନିଜସ୍ବ ଉପାୟ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ଅଷ୍ଟ୍ରେଲିଆ ବିପକ୍ଷ ନିର୍ଣ୍ଣାୟକ ଟେଷ୍ଟ ମ୍ୟାତ୍‌ରେ ୭୪ ବଲ୍‌ ଖେଳି ୪୪ ରନ୍‌ କରିଥିଲେ ରୋହିତ। ଏହି ପାଳିରେ ସେ ବେଶ୍‌ ଲୟରେ ନଜର ଆସୁଥିଲେ। ହେଲେ ନାଥନ୍‌ ଲାୟନଙ୍କ ବଲ୍‌କୁ ମିଡ୍‌ଉଇକେଟ୍‌ ଉପରେ ଖେଳିବାକୁ ଯାଇ ଆଉଟ୍‌ ହୋଇଯାଇଥିଲେ। ପୂର୍ବରୁ ଏହିଭଳି ଖେଳି ରୋହିତ ଟେଷ୍ଟ ମ୍ୟାଚ୍‌ରେ ଆଉଟ୍‌ ହେଉଥିଲେ। ଏଣୁ ତାଙ୍କୁ ସେହିଭଳି ଖେଳିବାକୁ ନେଇ ସମାଲୋଚନା କରାଯାଉଥିଲା। ଏହାର ଜବାବ ରଖିଛନ୍ତି ସେ।

ଶନିବାର ଖେଳ ଶେଷ ହେବା ପରେ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ସମସ୍ତଙ୍କ ପାଖରେ ଏକ ଯୋଜନା ରହିଥାଏ। ପ୍ରକୃତରେ କହିବାକୁ ଗଲେ ସେଭଳି ଶର୍ଟ ଖେଳି ମୁଁ ପଶ୍ଚାତାପ କରୁନାହିଁ। ମୁଁ ସର୍ବଦା ବୋଲରଙ୍କ ଉପରେ ଚାପ ପକାଇବାକୁ ଚାହେଁ। ଲାୟନ ଜଣେ ଚତୁର ବୋଲର୍‌। ସେ ଏଭଳି ବୋଲିଂ କଲେ ଯାହାକୁ ଉଠାଇବା କଷ୍ଟକର ହେଲା ବୋଲି ରୋହିତ କହିଛନ୍ତି।

Share