୫ ବର୍ଷ ତିଷ୍ଠି ନାହାନ୍ତି କୌଣସି ପ୍ରଧାନମନ୍ତ୍ରୀ

ଇସଲାମାବାଦ, ୧ା୪: ୧୯୪୭ରେ ସ୍ବାଧୀନତା ପରଠାରୁ ପାକିସ୍ତାନରେ ୧୮ ଜଣ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ହେଲେ ଏ ଯାଏ ସେଠାରେ କୌଣସି ପ୍ରଧାନମନ୍ତ୍ରୀ ୫ ବର୍ଷ କାର୍ଯ୍ୟକାଳ ପୂରଣ କରିପାରିନାହାନ୍ତି। ଏବେ ସେହି ତାଲିକାରେ ଇମ୍ରାନ୍‌ ଖାନ୍‌ଙ୍କ ନାଁ ଆସିବା ଏକ ପ୍ରକାର ନିଶ୍ଚିତ। ୧୯୪୭ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ହୋଇଥିବା ଲିଆକତ୍‌ ଅଲି ଖାନ୍‌ ୪ ବର୍ଷ ୬୩ ଦିନ କ୍ଷମତାରେ ରହିବା ପରେ ତାଙ୍କୁ ୧୯୫୧ ଅକ୍ଟୋବର ୧୬ରେ ହତ୍ୟା କରାଯାଇଥିଲା। ୧୯୫୩ ଏପ୍ରିଲ ୧୭ରେ ଖ୍ବାଜା ନାଜିମୁଦ୍ଦିନ ୧୯୫୫ ଅଗଷ୍ଟ ୧୧ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିଲେ। ଗଭର୍ନର ଜେନେରାଲ ତାଙ୍କ ସରକାର ଭଙ୍ଗ କରିଥିଲେ। ପରେ ଚୌଧରୀ ମହମ୍ମଦ ଅଲ୍ଲୀ ୧୯୫୫ ଅଗଷ୍ଟ ୧୨ରୁ ୧୯୫୬ ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ଶାସନରେ ରହି ଇସ୍ତଫା ଦେଇଥିଲେ। ଶାହିଦ୍‌ ସୁହ୍‌ରାଓ୍ବର୍ଦି ୧୯୫୬ ସେପ୍ଟେମ୍ବର ୧୨ରୁ ୧୯୫୭ ଅକ୍ଟୋବର ୧୮ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହି ଇସ୍ତଫା ଦେଇଥିଲେ। ୧୯୫୭ ଅକ୍ଟୋବର ୧୮ରେ କ୍ଷମତାକୁ ଆସିଥିବା ଇବ୍ରାହିମ୍‌ ଇସ୍‌ମାଇଲ୍‌ ଚୁନ୍ଦ୍ରିଗରଙ୍କୁ ସେହି ବର୍ଷ ଡିସେମ୍ବର ୧୬ରେ ହଟାଇ ଦିଆଯାଇଥିଲା। ଫିରୋଜ ଖାନ୍‌ ନୁନ୍‌ ୧୯୫୭ ଡିସେମ୍ବର ୧୬ରେ ପ୍ରଧାନମନ୍ତ୍ରୀ ହୋଇଥିଲେ ହେଁ ସେନା ଆଇନ ଲାଗୁ ଯୋଗୁ ୧୯୫୮ ଅକ୍ଟୋବର ୭ରେ ତାଙ୍କ ସରକାର ଭାଙ୍ଗିଯାଇଥିଲା। ୧୯୫୮ରୁ ୧୯୭୧ ପର୍ଯ୍ୟନ୍ତ ଆୟୁବ ଖାନ୍‌ ଉଭୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ମିଶାଇ ଦେଇଥିଲେ। ପରେ ନୁରମୂଲ୍‌ ଆମିନ୍‌ ୧୯୭୧ ଡିସେମ୍ବର ୭ରୁ ମାତ୍ର ୧୪ ଦିନ ପ୍ରଧାନମନ୍ତ୍ରୀ ରହି ଇସ୍ତଫା ଦେଇଥିଲେ। ଜୁଲ୍‌ଫିକର ଅଲି ଭୁଟ୍ଟୋ ପ୍ରଧାନମନ୍ତ୍ରୀ ପଦକୁ ପୁନଃ ସ୍ଥାପନ କରି ୧୯୭୩ ଅଗଷ୍ଟ ୧୪ରେ ଶାସନକୁ ଆସିଥିଲେ ହେଁ ସେନା ବିଦ୍ରୋହ କରାଯାଇ ୧୯୭୭ ଜୁଲାଇ ୫ରେ ତାଙ୍କୁ ପଦରୁ ହଟାଇ ଦିଆଯାଇଥିଲା।
ମାର୍ଚ୍ଚ ୨୩ରେ ପ୍ରଧାନମନ୍ତ୍ରୀ ହୋଇଥିବା ମହମ୍ମଦ ଖାନ୍‌ ଜୁନେଜୋଙ୍କୁ ୧୯୮୮ ମେ ୨୯ରେ ରାଷ୍ଟ୍ରପତି ପଦରୁ ହଟାଇ ଦେଇଥିଲେ। ୧୯୮୮ ମେ ୨୯ରୁ ଡିସେମ୍ବର ୨ ପର୍ଯ୍ୟନ୍ତ ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦ ଶୂନ୍ୟ ରହିଥିଲା। ସେହିପରି ବେନଜିର ଭୁଟ୍ଟୋ ୧୯୮୮ ଡିସେମ୍ବରରୁ ୧୯୯୦ ଅଗଷ୍ଟ ୬ ପର୍ଯ୍ୟନ୍ତ ଶାସନରେ ରହିଥିଲେ। ରାଷ୍ଟ୍ରପତି ଗୁଲାମ୍‌ ଇସକ୍‌ ଖାନ୍‌ ତାଙ୍କ ସରକାରକୁ ଭାଙ୍ଗି ଦେଇଥିଲେ। ୧୯୯୦ ନଭେମ୍ବର ୬ରେ ଶାସନକୁ ଆସିଥିବା ନଓ୍ବାଜ୍‌ ଶରିଫ୍‌ଙ୍କୁ ମଧ୍ୟ ରାଷ୍ଟ୍ରପତି ଗୁଲାମ୍‌ ଖାନ୍‌ ୧୯୯୩ ଏପ୍ରିଲ ୧୮ରେ ପଦରୁ ହଟାଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶରିଫ୍‌ ପୁନଃ ପ୍ରଧାନମନ୍ତ୍ରୀ ରହି ଜୁଲାଇ ୧୮ ୧୯୯୩ରେ ଇସ୍ତଫା ଦେଇଥିଲେ। ସେହିବର୍ଷ ୧୯ ଅକ୍ଟୋବରରୁ ୫ ନଭେମ୍ବର ୧୯୯୬ ପର୍ଯ୍ୟନ୍ତ ବେନଜିର ଭୁଟ୍ଟୋ ଶାସନ କରି ପୁନଃ ରାଷ୍ଟ୍ରପତିଙ୍କ ଦ୍ୱାରା କ୍ଷମତାରୁ ହଟିଥିଲେ। ୧୯୯୭ ଫେବୃୟାରୀ ୧୭ରୁ ୧୯୯୯ ଅକ୍ଟୋବର ୧୨ ପର୍ଯ୍ୟନ୍ତ ନଓ୍ବାଜ ଶରିଫ୍‌ ପ୍ରଧାନମନ୍ତ୍ରୀ ରହି ସେନା ବିଦ୍ରୋହ ଯୋଗୁ ପଦ ହରାଇଥିଲେ। ପୁଣି ୧୯୯୯ ଅକ୍ଟୋବରରୁ ୨୦୦୨ ନଭେମ୍ବର ପର୍ଯ୍ୟନ୍ତ ପାକିସ୍ତାନରେ ଏହି ପଦବୀ ଖାଲି ପଡ଼ିଥିଲା। ୨୦୦୨ ନଭେମ୍ବର ୨୩ରେ ପ୍ରଧାନମନ୍ତ୍ରୀ ହୋଇଥିବା ଜଫାରୁଲ୍ଲା ଖାନ୍‌ ଜମାଲି ୨୦୦୪ ଜୁନ୍‌ ୨୬ରେ ଇସ୍ତଫା ଦେଇଥିଲେ। ସେହିବର୍ଷ ଜୁନ୍‌ ୩୦ରୁ ଅଗଷ୍ଟ ୨୬ ପର୍ଯ୍ୟନ୍ତ ଶାସନରେ ରହି ଚୌଧୁରୀ ଶୁଜତ୍‌ ହୁସେନ୍‌ ଇସ୍ତଫା ଦେଇଥିଲେ।
ଅଗଷ୍ଟ ୨୮ରେ ପ୍ରଧାନମନ୍ତ୍ରୀ ହୋଇଥିବା ଶୌକତ୍‌ ଅଜିଜ୍‌ ୨୦୦୭ ନଭେମ୍ବର ୧୫ରେ ତାଙ୍କ ପାର୍ଲାମେଣ୍ଟାରି କାର୍ଯ୍ୟକାଳ ଶେଷ ହେବାରୁ ପଦ ଛାଡ଼ିଥିଲେ। ୨୦୦୮ ମାର୍ଚ୍ଚ ୨୫ରେ ଶାସନକୁ ଆସିଥିବା ୟୁସଫ୍‌ ରାଜା ଗିଲାନିଙ୍କୁ ସୁପ୍ରିମକୋର୍ଟ ଅଯୋଗ୍ୟ ଘୋଷିତ କରିବା ପେରେ ସେ ୨୦୧୨ ଜୁନ୍‌ ୧୯ରେ ଶାସନରୁ ହଟିଥିଲେ। ୨୦୧୨ ଜୁନ୍‌ ୨୨ରେ ରାଜା ପରଭେଜ୍‌ ଅଶ୍ରଫ୍‌ ୨୦୧୩ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହି ପିପିପି ସରକାରଙ୍କୁ ପୂର୍ଣ୍ଣ କରିଥିଲେ। ୨୦୧୩ ଜୁନ୍‌ ୫ରେ ପୁଣି ପ୍ରଧାନମନ୍ତ୍ରୀ ହୋଇଥିବା ନଓ୍ବାଜ ଶରିଫ୍‌ଙ୍କୁ ସୁପ୍ରିମକୋର୍ଟ ଅଯୋଗ୍ୟ ଘୋଷଣା କରିବାରୁ ୨୦୧୭ ଜୁନ୍‌ ୨୮ରେ ଶାସନରୁ ହଟିଥିଲେ। ୨୦୧୭ ଅଗଷ୍ଟ ୧ରୁ ୨୦୧୮ ମେ ୩୧ ପର୍ଯ୍ୟନ୍ତ ଶାହିଦ୍‌ ଖାକ୍ୱାନ ଅବ୍ବାସୀ ପଦରେ ରହି ପିଏମ୍‌ଏଲ୍‌-ଏନ୍‌ ସରକାରକୁ ପୂର୍ଣ୍ଣ କରିଥିଲେ। କ୍ରିକେଟର୍‌ରୁ ରାଜନେତା ପାଲଟିଥିବା ଇମ୍ରାନ୍‌ ଖାନ୍‌ ୨୦୧୮ ଅଗଷ୍ଟ ୧୮ରେ ପ୍ରଧାନମନ୍ତ୍ରୀ ହୋଇଥିଲେ।

Share