କେହି କାହାର ଚିର ଶତ୍ରୁ ନୁହନ୍ତି କି ମିତ୍ର ନୁହନ୍ତି: ବାଇଡେନ

ଓ୍ବାଶିଂଟନ,୧୬ା୬: ଅନ୍ତର୍ଜାତୀୟ ରାଜନୀତିରେ ସମ୍ପର୍କକୁ ନେଇ ଏକ ପ୍ରବାଦ ଅଛି ଯେ ‘କେହି କାହାର ସ୍ଥାୟୀ ବନ୍ଧୁ ନୁହନ୍ତି କିମ୍ବା ସ୍ଥାୟୀ ଶତ୍ରୁ ନୁହନ୍ତି’। ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ ଏହି କଥା କହିଛନ୍ତି। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସମୟରେ ବାଇଡେନ ରୁଷିଆର ରାଷ୍ଟ୍ରପତି ପୁଟିନଙ୍କୁ ନିର୍ବାଚନରେ ହସ୍ତକ୍ଷେପ ବିଷୟରେ ଚେତାବନୀ ଦେଇଥିଲେ। କେବଳ ଏତିକି ନୁହେଁ ଗତ ମାର୍ଚ୍ଚରେ ସେ ପୁଟିନଙ୍କୁ ହତ୍ୟାକାରୀ ବୋଲି ମଧ୍ୟ କହିଥିଲେ। ଜେନେଭାରେ ପୁଟିନଙ୍କୁ ଭେଟିବା ପୂର୍ବରୁ ଯେତେବେଳେ ବାଇଡେନଙ୍କୁ ହତ୍ୟାକାରୀ ବିଷୟରେ ପଚରାଯାଇଥିଲା, ସେତେବେଳେ ସେ ଏହି ଉତ୍ତରଟି ଅତି ଚତୁରତାର ସହ ଦେଇଥିଲେ।

ନିକଟରେ ବାଇଡେନ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପୁଟିନଙ୍କୁ ତାଙ୍କ ହସ୍ତକ୍ଷେପ ପାଇଁ ମୂଲ୍ୟ ଦେବାକୁ ପଡ଼ିବ। ପୁଟିନ ଗତ ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ହସ୍ତକ୍ଷେପ ଅଭିଯାନ ମାଧ୍ୟମରେ ନିର୍ବାଚନକୁ ଟାମ୍ପରିଂ କରିବାକୁ ଚେଷ୍ଟା କରିଥିଲେ। ଏହି ରିପୋର୍ଟରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସପକ୍ଷରେ ନିର୍ବାଚନ ଫଳାଫଳକୁ ନେବା ପାଇଁ ଚେଷ୍ଟା କରାଯାଇଥିବା ବାଇଡେନ ଅଭିଯୋଗ କରିଥିଲେ।

ତେବେ ଗତ ସୋମବାର ବେଲଜିୟମରେ ଏକ ଖବରଦାତା ସମ୍ମିଳନୀରେ ଯେତେବେଳେ ବାଇଡେନଙ୍କୁ ପଚରାଯାଇଥିଲା ଯେ, ସେ ପୁଟିନଙ୍କୁ ହତ୍ୟାକାରୀ ବୋଲି ଭାବୁଛନ୍ତି କି, ସେ ଏହି ପ୍ରଶ୍ନ ଶୁଣି ହସିଥିଲେ। କହିଥିଲେ କେହି କାହାର ଚିର ଶତ୍ରୁ କି ମିତ୍ର ନୁହନ୍ତି। ଅନେକ କ୍ଷେତ୍ରରେ ଆମେ ସହଯୋଗୀ ଏବଂ ଅନେକ କ୍ଷେତ୍ରରେ ଆମେ ଶତ୍ରୁ ବି ଅଟୁ। ସେ କହିଛନ୍ତି ଯେ, ଯେତିକି ଶବ୍ଦର ବ୍ୟବହାର ହେଉଛି, ମୁଁ ଭାବୁଛି ଏହା ଆମେରିକାର ସଂସ୍କୃତିର ଏକ ଅଂଶ।

Share