ତାଲିକାରେ ନାଁ ନାହିଁ, ଅନେକ ବ୍ୟବସାୟୀ ନିରାଶ

ପୁରୀ ଅଫିସ,୮ା୫: ପୁରୀ ସହରରେ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଉଥିବା ମାର୍କେଟ କମ୍ପ୍ଲେକ୍ସକୁ ବେଆଇନ ଭାବେ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ହାତେଇଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି। ବିଶେଷକରି ମାର୍କେଟ ଛକସ୍ଥିତ ଦଇତାପଡ଼ାସାହି ମାର୍କେଟ କମ୍ପ୍ଲେକ୍ସ, ମୋଚି ସାହିସ୍ଥିତ ମହୋଦଧି ମାକେର୍ଟ କମ୍ପ୍ଲେକ୍ସ ଏବଂ ଜେଲ ରୋଡସ୍ଥିତ ବହୁତଳ ପାର୍କିଂ ମାର୍କେଟ କମ୍ପ୍ଲେକ୍ସରେ ଥିବା ଦୋକାନ ଘର ଆବଣ୍ଟନ ନେଇ କିଛି ଦିନ ତଳେ ତାଲିକା ପ୍ରକାଶ ପାଇଥିଲା। ତେବେ ଉକ୍ତ ତାଲିକାରେ ଦୋକାନ ପାଇଥିବା ଯୋଗ୍ୟ ହିତାଧିକାରୀଙ୍କ ଅପେକ୍ଷା ଅନେକ ମୁଷ୍ଟିମେୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ରହିଛି। ଏହାକୁ ନେଇ କ୍ଷତିଗ୍ରସ୍ତ ହୋଇଥିବା ବ୍ୟବସାୟୀଙ୍କଠାରୁ ଆରମ୍ଭ କରି କ୍ଷୁଦ୍ର ଓ ଉଠାଦୋକାନୀ କ୍ଷୋଭ ପ୍ରକାଶ କରିଛନ୍ତି। ସେମାନଙ୍କୁ ମଧ୍ୟ ପ୍ରଶାସନ ମାର୍କେଟ କମ୍ପ୍ଲେକ୍ସରେ ଦୋକାନ ଘର ଦେବାକୁ ଦାବି କରିଛନ୍ତି। ଏପରିକି ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ତାଲିକା ବାତିଲ କରାଯାଇ ସ୍ବଚ୍ଛତା ଅନୁଯାୟୀ ପୁନର୍ବାର ଦୋକାନ ଘର ଆବଣ୍ଟନ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଉ। ସେଥିରେ କ୍ଷତିଗ୍ରସ୍ତଙ୍କୁ ସାମିଲ କରିବା ସହ ସହରରେ ଥିବା ଉଠାଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ବଳକା ଦୋକାନ ଘର ଆବଣ୍ଟନ କରିବା ପାଇଁ ଏକ ମାନଦଣ୍ଡ ପ୍ରସ୍ତୁତ କରାଯାଉ। ଏହି ମାନଦଣ୍ଡ ଆଧାରରେ ଉଠାଦୋକାନୀ ଏବଂ କ୍ଷୁଦ୍ରବ୍ୟବସାୟୀଙ୍କୁ ସ୍ବଚ୍ଛତା ଭିତ୍ତିରେ ଦୋକାନ ବଣ୍ଟନ କରାଯାଉ। ସେହିପରି ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଥିବା ତାଲିକାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଉ ବୋଲି ଅନେକ କ୍ଷୁଦ୍ର ବ୍ୟବସାୟୀ ଓ ଉଠା ଦୋକାନୀ ଦାବି କରିଛନ୍ତି। ଏନେଇ କ୍ଷୁଦ୍ର ବ୍ୟବସାୟୀ ଉମାଶଙ୍କର ମହାନ୍ତି କହିଛନ୍ତି, ସେ ଦୀର୍ଘ ୧୫ ବର୍ଷ ହେବ ମୋଚିସାହିସ୍ଥିତ ମହୋଦଧି ମାର୍କେଟରେ ଭଡ଼ା ସୂତ୍ରରେ ଦୋକାନ କରି ପରିବାର ଭରଣପୋଷଣ କରୁଥିଲେ। ତେବେ ପ୍ରଶାସନ ପକ୍ଷରୁ ମାର୍କେଟ ପୁନଃ ନିର୍ମାଣ କାର୍ଯ୍ୟ କରାଯିବାରୁ ତାଙ୍କ ଦୋକାନକୁ ଉଚ୍ଛେଦ କରାଯାଇଥିଲା। ମାତ୍ର ପ୍ରଶାସନ ପକ୍ଷରୁ ଜାରି ତାଲିକାରେ ତାଙ୍କ ନାମ ନାହିଁ। ତେଣୁ ସେ ଚିନ୍ତାରେ ପଡ଼ିଛନ୍ତି। ତାଙ୍କୁ ମାର୍କେଟ କମ୍ପ୍ଲେକ୍ସ ପରିସରରେ ଥଇଥାନ କରାଯାଉ। ସେହିପରି ବ୍ୟବସାୟୀ ଅମୀୟ ରଞ୍ଜନ ଦାଶ କହିଛନ୍ତି, ସେ ୧୦ ବର୍ଷ ହେବ ମହୋଦଧି ମାର୍କେଟ କମ୍ପ୍ଲେକ୍ସରେ ଭଡ଼ା ସୂତ୍ରରେ କମ୍ପ୍ୟୁଟର ଦୋକାନ ଖୋଲିଥିଲେ। ପ୍ରଶାସନ ପକ୍ଷରୁ ଉଚ୍ଛେଦ ହେବା ପରେ ସେ ବର୍ତ୍ତମାନ ଜଣେ ଦୋକାନୀଙ୍କ ପାଖରେ କାର୍ଯ୍ୟ କରୁଛନ୍ତି। ତେବେ ପ୍ରଶାସନ ପକ୍ଷରୁ ମୌଖିକ ଭାବେ ତାଙ୍କୁ ଦୋକାନ ଘର ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ମାତ୍ର ତାଲିକାରେ ତାଙ୍କ ନାମ ନାହିଁ। ଏହା ତାଙ୍କୁ ମାନସିକ ଆଘାତ ଦେଇଛି। ତୁରନ୍ତ ତାଙ୍କ ନାମ ତାଲିକାରେ ସ୍ଥାନ ଦେବାକୁ ସେ ପ୍ରଶାସନକୁ ଗୁହାରି କରିଛନ୍ତି। ସେହିପରି ବଡ଼ଦାଣ୍ଡରେ ଉଠାଦୋକାନୀ କରି ପରବାର ପୋଷୁଥିବା ରାଜେନ୍ଦ୍ରଙ୍କ କହିବା ଅନୁଯାୟୀ ପ୍ରଶାସନ ପକ୍ଷରୁ ତାଙ୍କୁ ଥଇଥାନ କରା ନ ଗଲେ ସେ ଆହୁରି ଦୁର୍ଦ୍ଦଶା ଭିତରକୁ ଠେଲି ହୋଇଯିବେ।