ନେଟ୍‌ଓ୍ବର୍କ ନାହିଁ, କେମିତି ହେବ ‘ଡିଜିଟାଲ ପ୍ରଚାର’

ବିଷମକଟକ, ୨୧।୧(ଡି.ଏନ୍‌.ଏ.): ଅବିଭକ୍ତ କୋରାପୁଟ ଜିଲାକୁ ୧୯୯୨ରେ ବିଭାଜନ କରାଯାଇ ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲା ହୋଇଥିଲା। ହେଲେ ଏବେବି ୪ ଜିଲାର ଅନେକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠିକୁ ମୌଳିକ ସୁବିଧା ପହଞ୍ଚତ୍ ପାରୁନାହିଁ। ଡିଜିଟାଲ ସମୟରେ ଅଧିକାଂଶ ଅଞ୍ଚଳକୁ ଇଣ୍ଟରନେଟ୍‌ ସଂଯୋଗ ହୋଇପାରିନି। ରାୟଗଡ଼ା ଜିଲାର ୯୬୨ ଓ କୋରାପୁଟ ଜିଲାର ୫୫୨ ଗ୍ରାମକୁ ଇଣ୍ଟରନେଟ ବ୍ୟବସ୍ଥା ମିଳିନାହିଁ ବୋଲି କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା ପାର୍ଲାମେଣ୍ଟରେ ଉଦ୍‌ବେଗ ପ୍ରକାଶ କରିଥିଲେ। କରୋନା ପରଠାରୁ ଏହି ଜିଲାଗୁଡ଼ିକରେ ଇଣ୍ଟରନେଟ୍‌ ସୁବିଧା ନ ଥିବା କାରଣରୁ ପିଲାମାନେ ଅନ୍‌ଲାଇନ୍‌ ପାଠପଢ଼ାରୁ ବଞ୍ଚତ୍ତ ହେଉଛନ୍ତି। ଏଭଳି ଅବ୍ୟବସ୍ଥା ଲାଗି ରହିଥିବାବେଳେ ଆସିଲାଣି ପଞ୍ଚାୟତ ନିର୍ବାଚନ। କରୋନା ପାଇଁ ନିର୍ବାଚନ କମିଶନ ଏଥର ଶୋଭାଯାତ୍ରା ଏବଂ ପ୍ରଚାର ଉପରେ କଟକଣା ଲଗାଇଥିବାରୁ ପ୍ରାର୍ଥୀ ଭୋଟରଙ୍କ ନିକଟତର ହେବାକୁ ଡିଜିଟାଲ ପ୍ରଚାର ଉପରେ ଗୁରୁତ୍ୱ ଦେଉଛନ୍ତି। ହେଲେ ଯେଉଁ ସ୍ଥାନରେ ନେଟ୍‌ଓର୍‌ବକ୍‌ ନାହିଁ ସେ ଅଞ୍ଚଳର ଭୋଟରଙ୍କ ନିକଟତର ହେବା ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ପାଇଁ ଚ୍ୟାଲେଞ୍ଜ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।
କଟକଣା ଯୋଗୁ ପ୍ରାର୍ଥୀମାନେ ହ୍ବାଟ୍ସଆପ୍‌, ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ ଓ ଟୁଇଟର ପୋଷ୍ଟ ଜରିଆରେ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରିବେ। କିନ୍ତୁ ରାୟଗଡ଼ାର ବିଷମକଟକ ବ୍ଲକର ରାସକୋଲା, କୁର୍ଲି, କଣାବାଇ, ସାହାଡ଼ା ପଞ୍ଚାୟତକୁ ଆଦୌ ଇଣ୍ଟରନେଟ୍‌ ସେବା ନାହିଁ। ସେହିଭଳି ଡୁକୁମୁ ପଞ୍ଚାୟତର ୧୩ ଗାଁ ଓ ଝିଗିଡ଼ିର ୩ ଗାଁକୁ ଇଣ୍ଟରନେଟ୍‌ ସଂଯୋଗ ନାହିଁ। ସେସବୁ ଅଞ୍ଚଳର ଲୋକଙ୍କ ନିକଟତର ହେବା କଷ୍ଟସାଧ୍ୟ ବୋଲି ରାଜନୀତିରେ ସକ୍ରିୟ ଥିବା କେତେଜଣ କର୍ମୀ କହିଛନ୍ତି। କିନ୍ତୁ ପ୍ରଚାର କରା ନ ଗଲେ ଭୋଟର ଉପଯୁକ୍ତ ପ୍ରାର୍ଥୀ ଚୟନରେ ଦ୍ୱନ୍ଦ୍ୱରେ ରହିବେ। ଏହା ମଧ୍ୟରେ ପ୍ରାର୍ଥୀମାନେ ସରକାରଙ୍କ ନିୟମ ଉଲ୍ଲଂଘନ ପ୍ରଚାର କଲେ ପ୍ରଶାସନ କ’ଣ ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା। ବିଷମକଟକ ସମିତି ସଭ୍ୟ ପ୍ରାର୍ଥୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ପଚାରିବାରୁ ସରକାରଙ୍କ ଗାଇଡ୍‌ଲାଇନ ମାନି ବାଇକ୍‌ରେ ୨ କିମ୍ବା ୩ ଜଣ ସମର୍ଥକଙ୍କ ପାଖକୁ ଯାଇ ପ୍ରଚାର କରିବେ ବୋଲି କହିଛନ୍ତି। ଏ ନେଇ ଜିଲା ପ୍ରଶାସନର ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ।