ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ କହିଛନ୍ତି, ବାଧ୍ୟତାମୂଳକ ଋତୁସ୍ରାବ ଛୁଟି ଦିଆଗଲେ ତାହା ମହିଳାଙ୍କ ନିଯୁକ୍ତି ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଯଦି ଏ ସଂକ୍ରାନ୍ତରେ ଆଇନ କରିଦିଆଯିବ, ତାହା ହେଲେ ନିଯୁକ୍ତିଦାତାମାନେ ମହିଳାଙ୍କୁ ଚାକିରି ଦେବେ ନାହିଁ। ଏ ସମ୍ବନ୍ଧୀୟ ଏକ ଜନସ୍ବାର୍ଥ ମାମଲା(ପିଆଇଏଲ୍‌)ର ଶୁଣାଣି କରି ଶୀର୍ଷ ଅଦାଲତ ଆହୁରି କହିଛନ୍ତି, ଏହା ମହିଳାଙ୍କୁ ପୁରୁଷଙ୍କଠାରୁ କମ୍‌ ଯୋଗ୍ୟ ବୋଲି ବିବେଚନା କରିବ ଏବଂ ସେମାନଙ୍କ କ୍ୟାରିୟର ବୃଦ୍ଧିରେ ବାଧା ସୃଷ୍ଟି ହେବ। ମହିଳାଙ୍କୁ ଋତୁସ୍ରାବଜନିତ ଛୁଟି ଦେବା ଲାଗି କର୍ନାଟକ ସରକାର ନୀତି ପ୍ରସ୍ତୁତ କରିବା, କେରଳ ସରକାର ସବୁ ସରକାରୀ ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ଏହି ସୁବିଧା ରଖିଥିବା ବେଳେ କେତେକ ଘରୋଇ ସଂସ୍ଥା ଛୁଟି ଦେଉଛନ୍ତି ବୋଲି ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଯୁକ୍ତି ବାଢ଼ିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଖଣ୍ଡପୀଠ କହିଥିଲେ, ସ୍ବେଚ୍ଛାକୃତ ଭାବେ ସେମାନେ ଯଦି ଦେଉଛନ୍ତି, ତେବେ ତାହା ଭଲ କଥା। କିନ୍ତୁ ଆଇନରେ ବାଧ୍ୟତାମୂଳକ କରାଗଲେ ତାହା କାର୍ଯ୍ୟରତ ମହିଳାଙ୍କ ପ୍ରତି କ୍ଷତି ପହଞ୍ଚତ୍ବ।
ଏଭଳି ଏକ ପିଆଇଏଲ୍‌ ଓ ତାହା ଯୋଗୁ ସୁପ୍ରିମ୍‌କୋର୍ଟଙ୍କ ମତ ସର୍ବସାଧାରଣରେ ଜଣାପଡ଼ିବା ହେତୁ ଏକ ସକାରାତ୍ମକ ଆଲୋଚନା ଭାରତୀୟ ସମାଜରେ ହେବାର ସୁଯୋଗ ସୃଷ୍ଟି କରିଛି। ଆମ ଦେଶରେ ପରିବାରର ବରିଷ୍ଠମାନେ କନ୍ୟାମାନଙ୍କୁ ଏ ବିଷୟରେ ସଚେତନ କରିବାକୁ ପଛଘୁଞ୍ଚା ଦେଇଥାନ୍ତି। ପୁରୁଣା ଚିନ୍ତାଧାରା ଆଧାରରେ ଏହା ଏକ ଖୋଲାଖୋଲି ଆଲୋଚନାର ବିଷୟ ହେବା ପରିବର୍ତ୍ତେ ଏକ ଅସ୍ବାସ୍ଥ୍ୟକର ଏବଂ ଲୁକ୍କାୟିତ ରଖିବାଯୋଗ୍ୟ କଥା ବୋଲି ଧରାହୋଇ ଆସୁଛି। ଅନେକ ସ୍ତରରେ ସେହି ସମୟରେ ଝିଅପିଲାଙ୍କୁ ମନ୍ଦିର ଓ ରୋଷେଇ ଘରକୁ ପ୍ରବେଶ ମନାକରିବା ସହିତ ଲେମ୍ବୁ ତୋଳିଲା ଭଳି କାର୍ଯ୍ୟରୁ ବାରଣ କରାଯାଉଛି। ଆଧ୍ୟାତ୍ମିକ ଚିନ୍ତାଧାରାରେ ନିଜକୁ ଆଗୁଆ କହୁଥିବା ଭାରତୀୟ ଏଭଳି ପୁରୁଣା ଚିନ୍ତାଧାରା ଯୋଗୁ ପଛକୁ ଟାଣିହୋଇ ରହୁଛି। ଏହା ପରିବର୍ତ୍ତେ ସୁପ୍ରିମ୍‌କୋର୍ଟଙ୍କ ଏହି ମତକୁ ନେଇ ଆଲୋଚନା ଆରମ୍ଭ କରାଯାଇପାରିଲେ ବିଦ୍ୟାଳୟଠାରୁ କାର୍ଯ୍ୟସ୍ଥଳୀ ପର୍ଯ୍ୟନ୍ତ ଝିଅମାନଙ୍କୁ ଗ୍ରହଣୀୟ ଓ ସୁରକ୍ଷିତ ବାତାବରଣରେ ବଢ଼ିବା ଲାଗି ସୁଯୋଗ ମିଳିପାରନ୍ତା।
ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ଯୁକ୍ତି ବାସ୍ତବବାଦୀ ମନେହେଉଛି। ଭାରତ ଜନସଂଖ୍ୟାର ପ୍ରାୟ ଅଧା ହୋଇଥିଲେ ମଧ୍ୟ ଶ୍ରମଶକ୍ତିରେ ମହିଳାଙ୍କ ଯୋଗଦାନ ହାର ପୁରୁଷଙ୍କ ତୁଳନାରେ ଯଥେଷ୍ଟ କମ୍‌ ରହୁଛି। ପୃଥିବୀର କୌଣସି ସଫଳ ଅର୍ଥନୀତି ସୃଷ୍ଟି କରିଥିବା ଦେଶରେ ଏଭଳି ତାରତମ୍ୟ ଦେଖାଯାଏ ନାହିଁ। ଅବଶ୍ୟ, ଏହା ମଧ୍ୟ ସ୍ବୀକାରଯୋଗ୍ୟ ଯେ ଭାରତରେ ଗୃହିଣୀମାନେ ଯେଉଁ ପ୍ରକାରର ଓ ଯେତେ ପରିମାଣରେ କାର୍ଯ୍ୟ କରନ୍ତି, ତାହାର କୌଣସି ବିଧିବଦ୍ଧ ଆକଳନ କରାଯାଏ ନାହିଁ। ସେଥିପାଇଁ ଗୃହିଣୀଙ୍କ ଅର୍ଥନୈତିକ ଅବଦାନର ପରିମାଣ ଏବେ ମଧ୍ୟ ଅଜଣା। ଏଭଳି ସ୍ଥଳେ ମହିଳାଙ୍କୁ ପ୍ରତ୍ୟେକ ମାସ ଛୁଟି ଦେବାର ଆଇନ ସୃଷ୍ଟି କରାଯାଇଥିଲେ ତାହା ଘରୋଇ ନିଯୁକ୍ତିଦାତାଙ୍କୁ ଅମଙ୍ଗ ହେବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଥାନ୍ତା। ବାସ୍ତବରେ ଦେଖିବାକୁ ଗଲେ ମାଲିକ ବା ନିଯୁକ୍ତିଦାତା ନିଜର କର୍ମଚାରୀଙ୍କୁ ଦରମା ଦେବା ପରେ ସ୍ବଳ୍ପ ଦିନର କାର୍ଯ୍ୟ ଚାହେଁ ନାହିଁ।
ସ୍ବାସ୍ଥ୍ୟ ବାହାନାରେ ମହିଳାଙ୍କୁ କ୍ୟାରିୟରଠାରୁ ଦୂରେଇ ରଖାଯିବା ଯଥାର୍ଥ ନୁହେଁ। ସବୁ କଥାରେ ଆଇନ କରିଦେଲେ ତାହା ଲୋକଙ୍କୁ ଆଇନ ଭାଙ୍ଗିବା ପାଇଁ ବାଧ୍ୟ କରିଥାଏ। କେବଳ ଝିଅପିଲା ନୁହେଁ, ଋତୁସ୍ରାବ ଭଳି ସ୍ବାସ୍ଥ୍ୟ ସମ୍ପର୍କିତ ବିଷୟକୁ ପୁଅପିଲାମାନେ ମଧ୍ୟ ସ୍କୁଲ ସ୍ତରରୁ ଜାଣିବା ଦରକାର। ଭାରତୀୟ ସମାଜରେ ଏଭଳି ସଚେତନତା ବୃଦ୍ଧି ପାଇଲେ ମହିଳାଙ୍କ ଜୀବନ ସହଜ ହେବା ସହିତ ଏହି ଦେଶରେ ଶ୍ରମଶକ୍ତିର ମାନ ବୃଦ୍ଧି ପାଇବ।

 

Dharitri – Odisha’s No.1 Odia Daily

 

Share