ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ବ୍ରତ ରଖି ମଧ୍ୟରାତ୍ରିରେ ବାଳଗୋପାଳଙ୍କ ଜନ୍ମ ପରେ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥାନ୍ତି। ଲଡୁ ଗୋପାଳଙ୍କ ଶୃଙ୍ଗାରଠାରୁ ଆରମ୍ଭ କରି ନୈବେଦ୍ୟ ଅର୍ପଣ ପର୍ଯ୍ୟନ୍ତ ଜନ୍ମାଷ୍ଟମୀର ପ୍ରତ୍ୟେକ ପ୍ରକ୍ରିୟାର ସ୍ୱତନ୍ତ୍ର ଧାର୍ମିକ ମହତ୍ତ୍ୱ ରହିଛି। ବିଶ୍ୱାସ ରହିଛି ଯେ ଶ୍ରଦ୍ଧା ଓ ପ୍ରେମର ସହ ଅର୍ପିତ ଭୋଗ ଭଗବାନଙ୍କୁ ଅତ୍ୟନ୍ତ ପ୍ରସନ୍ନ କରିଥାଏ।
ଜନ୍ମାଷ୍ଟମୀ ଅବସରରେ ଶ୍ରୀକୃଷ୍ଣଙ୍କୁ ୫୬ ପ୍ରକାରର ବ୍ୟଞ୍ଜନ ଅର୍ପଣ କରିବାର ପରମ୍ପରା ରହିଛି, ଯେଉଁଥିରେ ବିଭିନ୍ନ ପ୍ରକାରର ମିଠା, ଫଳ, ପାନୀୟ ଓ ବ୍ୟଞ୍ଜନ ସାମିଲ ଥାଏ।
ପୌରାଣିକ ମାନ୍ୟତା ଅନୁସାରେ, ବାଲ୍ୟକାଳରେ ଶ୍ରୀକୃଷ୍ଣ ମାତା ଯଶୋଦାଙ୍କ ଘରେ ଦିନକୁ ଆଠ ଥର (ଆଠ ପହର) ଭୋଜନ କରୁଥିଲେ। ଗୋବର୍ଦ୍ଧନ ପୂଜାର କାହାଣୀ ଅନୁଯାୟୀ, ଯେତେବେଳେ ପ୍ରଭୁ ଶ୍ରୀକୃଷ୍ଣ ବ୍ରଜବାସୀଙ୍କୁ ରକ୍ଷା କରିବା ପାଇଁ ଗୋବର୍ଦ୍ଧନ ପର୍ବତକୁ ନିଜ ଆଙ୍ଗୁଠିରେ ଟେକି ଧରିଥିଲେ, ସେତେବେଳେ ସେ ଲଗାତାର ୭ ଦିନ ଧରି ବିନା ଭୋଜନରେ ରହିଥିଲେ। ପରବର୍ତ୍ତୀ ସମୟରେ, ୭ ଦିନର ଆଠ ପହର ହିସାବରେ (୭ × ୮ = ୫୬) ଭକ୍ତମାନେ ପ୍ରଭୁଙ୍କୁ ୫୬ ପ୍ରକାରର ଭୋଗ ଅର୍ପଣ କରିବା ଆରମ୍ଭ କରିଥିଲେ।
ଯଦି ଜନ୍ମାଷ୍ଟମୀରେ ୫୬ ପ୍ରକାରର ପ୍ରସାଦ ପ୍ରସ୍ତୁତ କରିବା ସମ୍ଭବ ନୁହେଁ, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଭଗବାନଙ୍କ ପାଖରେ ସଂଖ୍ୟା ଅପେକ୍ଷା ଭକ୍ତର ଶ୍ରଦ୍ଧା ଓ ଭାବନା ଅଧିକ ଗୁରୁତ୍ୱପୂର୍ଣ୍ଣ। ଆପଣ ନିଜ ସାମର୍ଥ୍ୟ ଅନୁସାରେ କୃଷ୍ଣଙ୍କର ପ୍ରିୟ ଜିନିଷଗୁଡ଼ିକୁ ଭୋଗ ଲଗାଇପାରିବେ:
ମାଖନ-ମିଶ୍ରି: ଏହା କାହ୍ନାଙ୍କର ସବୁଠାରୁ ପ୍ରିୟ ଭୋଗ। ତାଜା ଧଳା ସର (ମାଖନ) ରେ ମିଶ୍ରି ମିଶାଇ ଏହା ପ୍ରସ୍ତୁତ କରାଯାଏ।
ଧନିଆ ପଞ୍ଜିରୀ: ଜନ୍ମାଷ୍ଟମୀ ପୂଜାରେ ଗୁଣ୍ଡ ଧନିଆ, ଗୁଆଘିଅ ଓ ଶୁଖିଲା ଫଳ (Dry Fruits) ରୁ ତିଆରି ପଞ୍ଜିରୀର ବିଶେଷ ମହତ୍ତ୍ୱ ରହିଛି।
ପଞ୍ଚାମୃତ: କ୍ଷୀର, ଦହି, ଘିଅ, ଚିନି/ଗୁଡ଼ ଏବଂ ମହୁ ମିଶାଇ ପଞ୍ଚାମୃତ ତିଆରି କରାଯାଏ।
କାକୁଡ଼ି : ବାଳଗୋପାଳଙ୍କ ଜନ୍ମ ସମୟରେ କାକୁଡ଼ି ରଖିବା ଏବଂ ଜନ୍ମ ପରେ ତାହାକୁ କାଟିବା ଅତ୍ୟନ୍ତ ଶୁଭ ମନାଯାଏ।
ଫଳ ଓ ଶୁଖିଲା ମେବା: ଆପଣ କଦଳୀ, ସେଓ, ମଖାନା, ବାଦାମ ଓ କିସମିସ୍ ଆଦି ଅର୍ପଣ କରିପାରିବେ।
ଧାର୍ମିକ ମାନ୍ୟତା ଅନୁଯାୟୀ, ଶ୍ରୀକୃଷ୍ଣଙ୍କ ଭୋଗରେ ତୁଳସୀ ପତ୍ର (ତୁଳସୀ ଦଳ) ରହିବା ଅନିବାର୍ଯ୍ୟ। ତୁଳସୀ ବିନା ଶ୍ରୀକୃଷ୍ଣଙ୍କ ଭୋଗ ଅପୂର୍ଣ୍ଣ ମାନାଯାଏ। ମନେରଖନ୍ତୁ, ଭୋଗ ସମ୍ପୂର୍ଣ୍ଣ ସାତ୍ତ୍ୱିକ ହେବା ଆବଶ୍ୟକ ଏବଂ ଏଥିରେ ପିଆଜ କିମ୍ବା ରସୁଣର ବ୍ୟବହାର ବିଲକୁଲ୍ ହେବା ଉଚିତ୍ ନୁହେଁ।
ଶ୍ରୀକୃଷ୍ଣଙ୍କୁ ନୈବେଦ୍ୟ ଅର୍ପଣ କରିବା ସମୟରେ ଏହି ମନ୍ତ୍ର ଜପ କରିବା ଉଚିତ୍:
“ତ୍ୱଦୀୟଂ ବସ୍ତୁ ଗୋବିନ୍ଦ ତୁଭ୍ୟମେବ ସମର୍ପୟେ।
ଗୃହାଣ ସମ୍ମୁଖୋ ଭୂତ୍ୱା ପ୍ରସୀଦ ପରମେଶ୍ୱର॥”
ଏହାବ୍ୟତୀତ ଆପଣ “ଓଁ କ୍ଲୀଂ କୃଷ୍ଣାୟ ନମଃ” କିମ୍ବା “ଓଁ ଶ୍ରୀବାଲକୃଷ୍ଣାୟ ନମଃ, ନୈବେଦ୍ୟଂ ସମର୍ପୟାମି॥” ମନ୍ତ୍ର ଜପ କରି ମଧ୍ୟ ପ୍ରଭୁଙ୍କୁ ଭୋଗ ଅର୍ପଣ କରିପାରିବେ।