ଭଉଣୀ ବାହାଘର ପାଇଁ ପାଖରେ ନ ଥିଲା ଟଙ୍କା, ଆଜି ବଡ଼ ଷ୍ଟାର

ମୁମ୍ବାଇ: ଆଜି ଅର୍ଥାତ୍‌ ଏପ୍ରିଲ ୨ରେ କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ଜନ୍ମଦିନ। ୧୯୮୧ରେ କପିଲ ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ଲୋକଙ୍କ ମୁହଁରେ ହସ ଫୁଟାଉଥିବା କପିଲ ଆଜି ଘରେ ଘରେ ପରିଚିତ। ମାତ୍ର ଏହି ଜାଗାରେ ପହଞ୍ଚିବା ପାଇଁ ତାଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଛି। ଆଜିର ଏହି ଖାସ୍‌ ଦିନରେ ଜାଣନ୍ତୁ କପିଲଙ୍କ ବିଷୟରେ କିଛି କଥା…

କପିଲ କହିଛନ୍ତି, ଏକଦା ସମୟ ଥିଲା ମୋ’ ପାଖରେ ପଇସା ନ ଥିଲା। ଏହି କାରଣରୁ ସେ ଭଉଣୀ ବାହାଘର ବି କରି ପାରୁ ନ ଥିଲେ। ଭଉଣୀଙ୍କୁ ମୁଦି ଉପହାର ଦେବାକୁ ବି ତାଙ୍କ ପାଖରେ ଟଙ୍କାଟିଏ ନ ଥିଲା। ଏକଥା ଏକ ସାକ୍ଷାତକାରରେ ନିଜେ କହିଛନ୍ତି କମେଡିକିଙ୍ଗ୍‌।

୨୦୦୭ରେ ତାଙ୍କ ଭଉଣୀ ବାହାଘର ହେବା ପାଇଁ ସ୍ଥିର ହୋଇଥିଲା। ଭଉଣୀଙ୍କ ଶାଶୁ ଚାହୁଁଥିଲେ ରିଙ୍ଗ୍‌ ସେରିମନି ଭଲ ଭାବରେ ହେଉ। ମାତ୍ର ମୋ’ ପାଖରେ ସେତେବେଳେ ଟଙ୍କା ନ ଥିଲା। ପିତାଙ୍କ ଦେହ ଅସୁସ୍ଥ ଥିବାରୁ ସାଢ଼େ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଥିଲି। ମୋ’ ପାଖରେ ଆଉମାତ୍ର ଅଢ଼େଇ ଲକ୍ଷ ଟଙ୍କା ଥିଲା। ଯେଉଁଥିରେ ଭଉଣୀ ବାହାଘର କରିବା କଷ୍ଟସାଧ୍ୟ ଥିଲା। ଫଳରେ ଏହି ବାହାଘର ଅଟକି ଯାଇଥିଲା।

ଏହା ପରଠାରୁ କପିଲ ମୁମ୍ବାଇ ଆସିବାକୁ ସ୍ଥିର କରିଥିଲେ। ଭାଗ୍ୟ ସାଥ୍‌ ଦେବାରୁ ସେ ‘ଦ ଗ୍ରେଟ୍‌ ଇଣ୍ଡିଆନ୍‌ ଲାଫ୍ଟର ଚ୍ୟାଲେଞ୍ଜ’ର ବିଜେତା ହୋଇଥିଲେ। ସେତେବେଳେ ତାଙ୍କୁ ୧୦ ଲକ୍ଷ ଟଙ୍କା ମିଳିଥିଲା। ଏହା ପରେ ସେ ଭଉଣୀଙ୍କୁ ଫୋନ୍‌ କରି କହିଥିଲେ ଏବେ ତୁମ ବାହାଘର ହେବ। ମନ ପସନ୍ଦର ମୁଦି କିଣିନିଅ। ଏହା ପରଠାରୁ କପିଲ ପ୍ରତ୍ୟେକ ଶୋ’ରେ ୩୦ ଲକ୍ଷ ଟଙ୍କା କମାଉଥିଲେ। ସେହି ପଇସାରେ ସେ ଭଉଣୀଙ୍କ ବାହାଘର କରିଥିଲେ।

Share