ଗ୍ୟାସ୍‌ ପାଇଁ ଟଙ୍କା ନାହିଁ: ଜଙ୍ଗଲ କାଠକୁ ଭରସା

ମହାକାଳପଡ଼ା,୨୪ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ)କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଦାରିଦ୍ର୍ୟ ଓ ଅଭାବରେ ଶଢୁଛନ୍ତି ଜନଜାତି ପରିବାର। ଏମାନଙ୍କ ଆର୍ଥିକ ରୋଜଗାର ନ ଥିବାରୁ ବାଧ୍ୟ ହୋଇ ନଦୀ, ସମୁଦ୍ର ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି। ନଦୀ ସମୁଦ୍ରରୁ ମାଛ, କଙ୍କଡ଼ା ଧରି ନିକଟସ୍ଥ ହାଟ ବଜାରରେ ବିକ୍ରି କରି ପରିବାର ପୋଷଣ କରନ୍ତି। ଅପରପକ୍ଷରେ ଏମାନଙ୍କ ଆର୍ଥିକ ଅଭାବ ଯୋଗୁ ଘରେ ଗ୍ୟାସ ସିଲିଣ୍ଡର କିଣି ପାରୁ ନ ଥିବାରୁ ଜଙ୍ଗଲରୁ ଶୁଖିଲା କାଠ ଓ ଅନ୍ୟ ଜଙ୍ଗଲଜାତ ଦ୍ରବ୍ୟକୁ ସଂଗ୍ରହ କରିବା ଦୈନନ୍ଦିନ କାମ ହୋଇଛି।
ଏଭଳି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜଙ୍ଗଲ ଘେରି ଶବରପଲ୍ଲୀରେ। ଗଁାର ସହଚରୀ ଅହାଡ଼ି, ଚେପି ଭକ୍ତା, ଝଡ଼ୁ ଭକ୍ତା, ରାମ ପାତ୍ର, ସୁଦନ ଭକ୍ତା, ପଇଡ଼ ଭକ୍ତା, ସଚି ଆହାଡ଼ି, ହରି ଆହାଡି, ଗୌରାଙ୍ଗ ମଲ୍ଲିକ, ସପନ ଭକ୍ତା, ୱାର୍ଡ ସଭ୍ୟ ରୂପାଲି ଭକ୍ତା ପ୍ରମୁଖ କହିଛନ୍ତି, ଗଁାରେ ମୋଟ ୩୫ ଘର ମଧ୍ୟରେ ୨ଶହରୁ ଅଧିକ ଲୋକ ବସବାସ କରୁଛୁ। ପୁରୁଷମାନେ ସକାଳୁ ସା ପର୍ଯ୍ୟନ୍ତ ନଦୀ, ସମୁଦ୍ରରୁ ମାଛ, କଙ୍କଡ଼ା ଧରନ୍ତି। ମହିଳାମାନେ ବାଲି ଢିପ ଜଙ୍ଗଲରୁ କାଠ ସଂଗ୍ରହ କରି ସାରେ ଘରକୁ ଫେରିଥାନ୍ତି। ଅପରପକ୍ଷରେ ଛୋଟ ଛୋଟ ଶିଶୁମାନେ ମା’ଙ୍କ ସହ ଜଙ୍ଗଲକୁ ଯାଇଥାନ୍ତି। ମୁଣ୍ଡରେ ବିଡା ବିଡା କାଠି, କୁଟା, କାଠ ସଂଗ୍ରହ କରି ଘରକୁ ଫେରନ୍ତି। ତେବେ ଏହି ଜନଜାତି ପରିବାରଗୁଡ଼ିକର ରୋଜଗାର ନ ଥିବାରୁ ଗ୍ୟାସ ସିଲିଣ୍ଡର କିଣିବା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି ବୋଲି ସେମାନେ କହିଛନ୍ତି। ସେମାନେ କହିବା କଥା ଆମେମାନେ ଯେଉଁଠୁ ବସବାସ କରିଆସୁଛି ସେ ଜଙ୍ଗଲ କିସମ ଜମି ରହିଛି। ଆମେ ଉକ୍ତ ଜମିରେ ସ୍ଥାୟୀ ଭାବେ କୁଡ଼ିଆ କରି ଜୀବନ ଅତିବାହିତ କରୁଛୁ।
ଆମମାନେ ସକାଳ ହେଲେ ନଦୀ ସମୁଦ୍ର ଓ ଜଙ୍ଗଲ ଉପରେ ନିର୍ଭର କରିଥାଉ। ପ୍ରାୟ ଲୋକ ନିରକ୍ଷର। ଗଁାରେ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ନାହିଁ। ପିଲାଙ୍କ ପାଠ ପଢ଼ିବା ପାଇଁ ସୁବିଧା ନ ଥିବାବେଳେ ୨ କିମିରୁ ଅଧିକ ଦୂରରେ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ରହିଛି। ଗଁାକୁ କାଦୁଅ ରାସ୍ତାରେ ବର୍ଷା ଦିନରେ ଗର୍ଭବତୀ ଓ ରୋଗୀମାନଙ୍କୁ ଦୋଳି ଭାରରେ କାନ୍ଧେଇ ୨ କିମି ଦୂର ମୁଖ୍ୟ ରାସ୍ତାକୁ ନେଇ ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟକୁ ନେଉଛୁ ବୋଲି ସେମାନେ କହିଛନ୍ତି। ତୁରନ୍ତ ଏହି ଜଙ୍ଗଲ ଘେରି ଗ୍ରାମକୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି କରାଯାଇଛି। ଏ ସଂକ୍ରାନ୍ତରେ ବ୍ଲକ ବିଡିଓ ସାଗର କୁମାର ନନ୍ଦଙ୍କୁ ପଚାରିବାରେ ଏହି ଗ୍ରାମର ସମସ୍ୟା ନଜରକୁ ଆସିଛି। ପ୍ରଶାସନ ପକ୍ଷରୁ ଖୁବ୍‌ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।