ମୁଣ୍ଡଳିରେ ଫସିଥିବା ଦନ୍ତାର ପତ୍ତା ମିଳୁନି

କଟକ ଅଫିସ/ବାରଙ୍ଗ(ଡି.ଏନ୍‌.ଏ.),୨୪।୯: ମହାନଦୀର ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିବା ହାତୀର ପତ୍ତା ମିଳୁନାହିଁ। ତେବେ ଶୁକ୍ରବାର ବିଳମ୍ବିତ ରାତିରେ ହାତୀଟି ମହାନଦୀ ତଳଆଡକୁ ଭାସିଯାଇଥିବା ଆଠଗଡ଼ ରେଞ୍ଜର କହିଛନ୍ତି। ଏପରିସ୍ଥଳେ ହାତୀଟି ଜୀବିତ ନା ମୃତ ତାହାକୁ ନେଇ ଉଠିଛି ପ୍ରଶ୍ନ।

ପ୍ରକାଶ ଯେ, ଶୁକ୍ରବାର ସକାଳେ ଆଠଗଡ଼ ସୁକାସନ ଜଙ୍ଗଲରୁ ୧୮ ଜଣିଆ ହାତୀ ପଲ ଚନ୍ଦକା ଜଙ୍ଗଲକୁ ଆସୁଥିଲା। ସେଥିରୁ ୧୭ଟି ହାତୀ ନଦୀ ପାର ହୋଇଯାଇଥିବା ବେଳେ ଏକ ଦନ୍ତା ପାଣିରେ ଫସି ଯାଇଥିଲା। ତାକୁ ଉଦ୍ଧାର କରିବା ଲାଗି ଆଉ ୨ ହାତୀ ନଦୀରେ ପୁଣି ପଶିଥିଲେ। ହେଲେ ଉକ୍ତ ହାତୀ ୨ଟି ମଧ୍ୟ ପାଣିର ପ୍ରଖର ସ୍ରୋତରେ ଭାସିଯାଇ ବ୍ୟାରେଜ ନିକଟସ୍ଥ ଅନନ୍ତପୁରରେ ଲାଗି ଉପରକୁ ଉଠିଯାଇଥିଲେ। ଅପରପକ୍ଷେ ଦୀର୍ଘ ସମୟ ଧରି ଦନ୍ତାଟି ପାଣିରେ ରହିବା ପରେ ଧୀରେ ଧୀରେ ନଦୀର ବାମ ପାର୍ଶ୍ୱକୁ ଯାଇଥିଲା। ହେଲେ ଉପରକୁ ଉଠିପାରି ନ ଥିଲା। ଫଲରେ ପୁଣି ନଦୀ ଭିତରକୁ ଚାଲିଯାଇଥିଲା। ହାତୀଟିକୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍‌ ଏବଂ ବନବିଭାଗ ଜୋରଦାର ଉଦ୍ୟମ ଚଳାଇଥିଲେ ମଧ୍ୟ ରାତି ପର୍ଯ୍ୟନ୍ତ କୌଣସି ସୁଫଳ ପାଇପାରି ନ ଥିଲା। ସନ୍ଧ୍ୟା ପରେ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିବା ବେଳେ ହାତୀଟି ଭାସିଯାଇଥିଲା। ତେବେ ଖବର ଲେଖାଯିବା ସୁଦ୍ଧା ହାତୀଟିର ସନ୍ଧାନ ମିଳିପାରି ନାହିଁ।