Categories: ଜାତୀୟ

ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ,୧୬।୬: ଉତ୍ତରପ୍ରଦେଶ ସରକାର ଉପଯୁକ୍ତ ଆଇନଗତ ପ୍ରକ୍ରୟା ବିନା ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଚଳାଇଥିବାରୁ ଏହାକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେବାକୁ ଜମାଏତ୍‌-ଉଲେମା-ଇ-ହିନ୍ଦ୍‌ ଓ ଅନ୍ୟମାନେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏନେଇ ସର୍ବୋଚ୍ଚ ଅଦାଲତ ୟୁପି ସରକାରଙ୍କୁ ଜବାବ ମାଗିଛନ୍ତି। ଉଚ୍ଛେଦ ଅଭିଯାନକୁ ବନ୍ଦ କରାଯାଇପାରିବ ନାହିଁ। ତେବେ ବେଆଇନ ଭାବେ ଉଚ୍ଛେଦକୁ ସୁପ୍ରିମକୋର୍ଟ ବାରଣ କରିଛନ୍ତି। ଉଚ୍ଛେଦ ଉପଯୁକ୍ତ ଆଇନଗତ ପ୍ରକ୍ରିୟାରେ ହେବା ଆବଶ୍ୟକ ବୋଲି ଜଷ୍ଟିସ ଏ.ଏସ୍‌. ବୋପନ୍ନା ଏବଂ ବିକ୍ରମ ନାଥଙ୍କ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ କହିଛନ୍ତି। ୩ ଦିନ ମଧ୍ୟରେ ସତ୍ୟପାଠ ଜରିଆରେ ଜବାବ ଦେବାକୁ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହକୁ ଧାର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ଉତ୍ତରପ୍ରଦେଶର କେତେକ ଅଞ୍ଚଳରେ ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିଲା। ହିଂସାରେ ସମ୍ପୃକ୍ତ କେତେଜଣ ଆନ୍ଦୋଳନକାରୀଙ୍କ ଘରକୁ ୟୁପି ପ୍ରଶାସନ ବୁଲ୍‌ଡୋଜର ଲଗାଇ ଭାଙ୍ଗିଦେଇଥିଲା।

Share