ଭଙ୍ଗାକୁଡ଼ିଆରେ ବିତୁଛି ଜୀବନ

ବ୍ରହ୍ମବରଦା,୯ା୪(ଡ଼ି.ଏନ.ଏ): ଯାଜପୁର ଜିଲା ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତ ବଉଳାଘାଇ ଦାଣ୍ଡିସାହି ୨ ନଂ. ୱାର୍ଡରେ ବାସ କରୁଥିବା ସମଲାତୁନ ବିବିଙ୍କ ପରିବାରକୁ ସରକାରୀ ଆବାସ ଯୋଜନାରେ ଘରଟିଏ ମିଳି ପାରିନାହିଁ। ୨୦୨୦ ବନ୍ୟାରେ ତାଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ସେଦିନଠାରୁ ଭଙ୍ଗାଘରେ ଜରିପାଲ ପକାଇ ପରିବାରବର୍ଗ ବହୁ କଷ୍ଟରେ ଜୀବନ କାଟୁଛନ୍ତି ା ସ୍ବାମୀ ଅଜମତ ଦୀର୍ଘଦିନ ହେବ ବାହାର ରାଜ୍ୟରେ କାମ କରୁଥିଲେ। କିନ୍ତୁ କରୋନା ମହାମାରି ସମୟରେ ବାହାର ରାଜ୍ୟରୁ ଫେରିବା ପରେ ଗ୍ରାମରେ ଦିନ ମଜୁରିଆ ଭାବେ କାମ କରି ଯାହା ରୋଜଗାର କରନ୍ତି ସେଥିରେ ୬ପ୍ରାଣୀ କୁଟୁମ୍ବ ଚଳନ୍ତି । ୪ ପିଲାଙ୍କୁ ପାଠ ପଢାନ୍ତି। ସବୁଦିନ କାମ ନ ମିଳିବାରୁ ଘରଟିଏ କରିବା ପାଇଁ ସମ୍ବଳ ଯୋଗାଡ଼ ହୋଇପାରୁନାହିଁ। ଘର ଛାଇବା ପାଇଁ ପଇସା ମଧ୍ୟ ନାହଁି। ପିଲାଙ୍କୁ ପାଠ ପଢାଇବା ମଧ୍ୟ ବାଧା ଉପୁଜୁଛି। ପଡିଶାଙ୍କ ସାହାଯ୍ୟରେ ତାଙ୍କ ଘରଟିକୁ ମରାମତି କରିଛନ୍ତି ା ସରକାରଙ୍କ ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ସମଲାତୁନ ବିବିଙ୍କ ପରିବାର ଅନେକ ଥର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ୍‌ ପ୍ରଶାସନ ପର୍ଯ୍ୟନ୍ତ ବିଭିନ୍ନ ଅଧିକାରୀଙ୍କ ପାଖରେ କାକୁତି ମିନତି ହୋଇ ନିଜ ଅସହାୟତା ପ୍ରକାଶ କଲେ ସୁଦ୍ଧା କେହି ଶୁଣୁନାହାନ୍ତି। ସରକାରୀ ଯୋଜନା କହିଲେ ରାଶନ କାର୍ଡ଼ରେ ୩୦କିଗ୍ରା ଚାଉଳ ଛଡ଼ା ଅନ୍ୟ କିଛି ନାହିଁ । ଏହି ଅସହାୟ ପରିବାରକୁ କିଛି ସରକାରୀ ସହାୟତା ମିଳିଲେ ସେମାନେ ଉପକୃତ ହେବେ ବୋଲି ଗ୍ରାମବାସୀ କହିଛନ୍ତି।