ସର୍ବସାଧାରଣରେ ହୋଲି, ମେଳଣ ମନା

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଆସନ୍ତା ୨୮ ଓ ୨୯ ତାରିଖରେ ରଙ୍ଗର ପର୍ବ ହୋଲି ପାଳନ ହେବ। ହେଲେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଜ୍ୟରେ ହୋଲି ଖେଳ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ସର୍ବସାଧାରଣ ସ୍ଥାନରେ ହୋଲି ପାଳନ ନ କରିବାକୁ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ଶୁକ୍ରବାର ନିର୍ଦ୍ଦେଶନାମା ଜାରି କରିଛନ୍ତି। କିନ୍ତୁ ଘର ଭିତରେ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି। ଦେଶରେ ଏବେ କରୋନାର ଦ୍ୱିତୀୟ ଲହର ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ହୋଲି ପାଳନ ହେଲେ ଅଧିକ ଲୋକ ଏକାଠି ହେବାର ଆଶଙ୍କା ରହିଛି।

ତେଣୁ ହୋଲି ପାଳନ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଗାଇଡ଼ଲାଇନ୍‌ ପ୍ରସ୍ତୁତ କରିଛନ୍ତି। ଏହାସହ ଦୋଳ ମେଳଣକୁ ମଧ୍ୟ ରାଜ୍ୟ ସରକାର ମନା କରିଛନ୍ତି। ଏକାଠି ହୋଇ ଦୋଳଯାତ୍ରା ପାଳନକୁ ଅନୁମତି ଦିଆଯିବନି। କୋଭିଡ୍‌ ନିୟମ ମାନି ଶ୍ରଦ୍ଧାଳୁ ମନ୍ଦିରରେ ପୂଜାର୍ଚ୍ଚନା କରିପାରିବେ। ଯଥା ରୀତିରେ ମନ୍ଦିରରେ ନୀତିକାନ୍ତି ଓ ପୂଜାର୍ଚ୍ଚନା ହେବ। ସ୍ଥାନୀୟ ପ୍ରଶାସନ ଚାହିଁଲେ ମନ୍ଦିର ପ୍ରବେଶ ନେଇ କଟକଣା ଲଗାଇ ପାରିବେ। ଏହା ବ୍ୟତୀତ ସର୍ବସାଧାରଣରେ କୌଣସି ପର୍ବ ପାଳନ ହେବନି ବୋଲି କୁହାଯାଇଛି। ହୋଲି ଓ ଦୋଳ ମେଳଣରେ ପ୍ରବଳ ଲୋକଙ୍କ ସମାଗମ ହୋଇଥାଏ। ତେଣୁ ଏହାକୁ ପାଳନ କଳେ ସଂକ୍ରମଣ ବୃଦ୍ଧି ପାଇବ ବୋଲି ଡାକ୍ତର ଓ ବିଶେଷଜ୍ଞମାନେ କହିବା ପରେ ରାଜ୍ୟ ସରକାର ଏହା ଉପରେ କଟକଣା ଲଗାଇଛନ୍ତି।
ଅନ୍ୟପକ୍ଷରେ କଟକଣା ଜାରି କରିଛି ସାଧାରଣ ପ୍ରଶାସନ (ଜିଏ) ବିଭାଗ। ଗତବର୍ଷ ଜୁନ୍‌ରେ ଲାଗୁ ହୋଇଥିବା କଟକଣା ପୁନଃ ଲାଗୁ କରିବା ପାଇଁ ନିର୍ଦ୍ଦେଶ ହୋଇଛି। ସମସ୍ତ ଅଫିସ ପରିସରରେ କର୍ମଚାରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ଦୁଇ ମିଟର ଦୂରତା ଜରୁରୀ ହୋଇଛି। ଅନାବଶ୍ୟକ ଗହଳି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ କର୍ମଚାରୀମାନେ ନିୟମିତ ୨୦ସେକେଣ୍ଡ ହାତ ଧୋଇବାକୁ କୁହାଯାଇଛି। ଅଫିସିଆଲ ମିଟିଂ ପାଇଁ ଭିଡିଓ କନଫରେନ୍ସକୁ ଗୁରୁତ୍ୱ ଦେବା ସହ ଆଗନ୍ତୁକଙ୍କୁ ଯଥାସମ୍ଭବ ଅଫିସ ଭିତରକୁ କମ୍‌ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।