ହିନ୍ଦୀ ନୁହେଁ

ଇଂଲିଶର ବିକଳ୍ପ ହିନ୍ଦୀ ହେବା ଉଚିତ ବୋଲି ନିକଟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିବା ପରେ ଦେଶର ବିଭିନ୍ନ ଭାଗରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ, ଶିବସେନା, ଡିଏମ୍‌କେ ଓ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏହାକୁ ବିରୋଧ କରିଛନ୍ତି। କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା କହିଛନ୍ତି, ହିନ୍ଦୀ ଭାରତର ଜାତୀୟ ଭାଷା ନୁହେଁ ଏବଂ ତାହା କରାଇ ଦିଆଯିବ ନାହିଁ। ସେହିପରି ଟିଏମ୍‌ସିର ପ୍ରବକ୍ତା କୁନାଲ ଘୋଷ କହିଛନ୍ତି, ହିନ୍ଦୀକୁ ତାଙ୍କ ଦଳ ସମ୍ମାନ ଦିଏ। କିନ୍ତୁ ଆମମାନଙ୍କ (ବଙ୍ଗାଳୀ) ଉପରେ ତାହାକୁ ଲଦିବାକୁ ଦିଆ ନ ଯାଉ। ଶିବସେନାର ମନୀଷା କାୟାଣ୍ଡେ ଆଞ୍ଚଳିକ ଭାଷା ଓ ଦଳର ଗୁରୁତ୍ୱକୁ କମାଇବା ଲାଗି ଭାଜପା ଏଭଳି କାର୍ଯ୍ୟସୂଚୀ କରିଥିବା ସେ କହିଛନ୍ତି।
୩୭ତମ ସଂସଦୀୟ ଭାଷା କମିଟିରେ ପୌରୋହିତ୍ୟ କରିବା ବେଳେ ଅମିତ ଶାହା ହିନ୍ଦୀକୁ ଗୁରୁତ୍ୱ ଦେବା ନେଇ ଯେଭଳି ପ୍ରସ୍ତାବ ଦେଇଛନ୍ତି ତାହା ଭାଜପାର ଅନ୍ୟତମ ଏଜେଣ୍ଡା ବୋଲି କୁହାଯାଇପାରେ। ଏଥିରୁ ବୁଝିବାକୁ ହେବ ଯେ ‘ଏକ ଭାରତ ଶ୍ରେଷ୍ଠ ଭାରତ’, ‘ଏକ ଦେଶ ଏକ ପରିଚୟପତ୍ର’ରୁ ଆରମ୍ଭକରି ‘ଏକ ଦେଶ ଏକ ଭାଷା’ କରିବାରେ ଯେଭଳି ରୀତିମତ ଉଦ୍ୟମ ହେଉଛି। ଯେହେତୁ ହିନ୍ଦୀ ଭାରତବ୍ୟାପୀ ସବୁ ଅଞ୍ଚଳରେ ମାତୃଭାଷା ଭାବେ ବ୍ୟବହୃତ ହୁଏନାହିଁ, ସେଥିପାଇଁ ସେଭଳି ଭାଷା କାହା ଉପରେ ଲଦିଦେବା ଦେଶର ଏକତାକୁ କ୍ଷତି ପହଞ୍ଚାଇବ। ଭାରତର ସୌନ୍ଦର୍ଯ୍ୟର ମୁଖ୍ୟ କାରଣ ହେଉଛି ବିବିଧତା। ସେହି ବିବିଧତାଠାରୁ ଏହି ମାଟିର ଏକତା ସୃଷ୍ଟି ହୋଇଛି। ବିବିଧତାକୁ ଆଘାତ ପହଞ୍ଚାଇବାର ଅର୍ଥ ଏକତାକୁ ଧ୍ୱଂସ କରିବା। ଉଦାହରଣ ସ୍ବରୂପ, କିଛି ହିନ୍ଦୀଭାଷୀ ଲୋକ ହିନ୍ଦୀକୁ ସମର୍ଥନ କଲାବେଳକୁ ଅଣହିନ୍ଦୀ ଅଞ୍ଚଳର ଲୋକ ଜୋର୍‌ ଜବରଦସ୍ତ ଲଦିବାକୁ ବିରୋଧ କରିବେ। ଏହାଫଳରେ ଦେଶ ଭିତରେ ଭାଷାକୁ ନେଇ ଗୋଷ୍ଠୀ ବିବାଦ ଆରମ୍ଭ ହୋଇଯିବ। ଯାହାର ସୂତ୍ରପାତ ଏବେ ରାଜନୈତିକ ସ୍ତରରେ ରହିଛି, କିନ୍ତୁ ପରବର୍ତ୍ତୀ ସମୟରେ ତାହା ସାମାଜିକ ସ୍ତରକୁ ପହଞ୍ଚି ଗୋଷ୍ଠୀ ସୃଷ୍ଟି କରିବ। ପୃଥିବୀ ଇତିହାସରେ ଏଭଳି ଏକ ଭାଷା ଲଦିବାର କୁଫଳ ତତ୍କାଳୀନ ସୋଭିଏଟ୍‌ ରୁଷିଆର ଅଙ୍ଗଗୁଡ଼ିକରେ ଏବେ ଦେଖିବାକୁ ମିଳୁଛି। ବିଭେଦର ଗଭୀରତା କେତେ ଅଧିକ ଘୃଣା ସୃଷ୍ଟି କରିପାରେ ତାହା ୟୁକ୍ରେନବାସୀଙ୍କ ରୁଷିଆ ବିରୋଧୀ ଜିଦିରୁ ପ୍ରମାଣ ମିଳୁଛି। ଗୋଟିଏ ରୁଷୀୟ ଭାଷା ସମସ୍ତଙ୍କ ଉପରେ ଲଦିଦିଆଯାଇଥିବା ସତ୍ତ୍ୱେ ସେହି ଦେଶ ଆଜି ଖଣ୍ଡବିଖଣ୍ଡିତ ହୋଇ ପରସ୍ପର ସାଙ୍ଗରେ ଯୁଦ୍ଧ କରୁଛନ୍ତି। ଏଥିରୁ ବୁଝିବାକୁ ହେବ ଯେ ବିଭିନ୍ନ ଭାଷାକୁ ହତ୍ୟାକରି ଗୋଟିଏ ଭାଷା ଲଦିଦେଲେ ତାହା ଏକତା କଦାପି ଆଣିବ ନାହିଁ। ଅବଶ୍ୟ ଏହି ଆଲୋଚନାରେ ଓଡ଼ିଶା ଭଳି ରାଜ୍ୟବାସୀଙ୍କ ଚରିତ୍ରକୁ ଜାତୀୟ ଚରିତ୍ର ସହିତ ସମାସ୍କନ୍ଧ ଭାବିବା ଉଚିତ ନୁହେଁ। ଓଡ଼ିଆମାନେ ନିଜ ଭାଷା ପ୍ରତି ସେହି ପରିମାଣରେ ଆକର୍ଷିତ ହୋଇ ନ ଥିବାରୁ ରାଜ୍ୟର ସହରାଞ୍ଚଳରେ ହିନ୍ଦୀର ପ୍ରଭାବ ବୃଦ୍ଧି ପାଉଛି। ଏହା ବିଶେଷ ଭାବେ ଅବସୋସର ବିଷୟ ହୋଇଛି, କାରଣ ସ୍ବାଧୀନତା ପୂର୍ବରୁ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ପ୍ରଥମେ ଗଠନ ହୋଇଥିଲା। କିନ୍ତୁ ଆଜିର ଓଡ଼ିଆ କନା ଭୁଲିଯାଇ କପଡ଼ା କହୁଛି।
ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, କ୍ୟାବିନେଟ୍‌ର ୭୦ ପ୍ରତିଶତ କାର୍ଯ୍ୟସୂଚୀ ହିନ୍ଦୀରେ ପ୍ରସ୍ତୁତ ହେଉଛି। ଦେଶର ଏକତା ପାଇଁ ହିନ୍ଦୀକୁ ସରକାରୀ ଭାଷା କରିବାର ଏବେ ସମୟ ଆସିଛି ବୋଲି ସେ କହିଛନ୍ତି। ଦେଖିବାକୁ ଗଲେ ହିନ୍ଦୀ କଦାପି ଇଂଲିଶର ବିକଳ୍ପ ହୋଇପାରିବ ନାହିଁ। ଇଂଲିଶ ଅନ୍ତର୍ଜାତୀୟ ଭାଷା ହେବା ସହ ଭାରତରେ ଏକ ଲିଙ୍କ୍‌ ଲାଙ୍ଗୁଏଜ୍‌ ବା ସମ୍ପର୍କର ଭାଷା ରହିଆସିଛି। ଏଥିପାଇଁ ଐତିହାସିକ ରୂପରେ ବ୍ରିଟେନର ଶାସନ ଦାୟୀ ବୋଲି କୁହାଯାଇପାରେ। ଅନ୍ୟପଟେ ଇଂଲିଶ ଜାଣିଥିବା ଭାରତୀୟ ଯୁବତୀଯୁବକ ପୃଥିବୀର ପ୍ରାୟତଃ ସବୁ ଅଞ୍ଚଳକୁ ଯାଇ ପାଠପଢ଼ିବା ସହିତ ଚାକିରି ଓ ବ୍ୟବସାୟ କରିପାରୁଛନ୍ତି। ଚାଇନା ଭଳି ଦେଶରେ ଅନେକ ଲକ୍ଷ ପିଲାଙ୍କୁ ସ୍କୁଲ ସ୍ତରରୁ ଉଚ୍ଚକୋଟୀର ଇଂଲିଶ ଶିଖାଇବାର କାର୍ଯ୍ୟକ୍ରମ ଅନେକ ବର୍ଷ ଧରି ଚାଲିଆସିଛି। ସଫଳ ବ୍ୟବସାୟିକ ସମ୍ବନ୍ଧ ସୃଷ୍ଟି କରିବାକୁ ହେଲେ ଏକ ଗୁରୁତ୍ୱପୂର୍ଣ୍ଣ ବିଦେଶୀ ଭାଷା ଜାଣିବା ଅନିବାର୍ଯ୍ୟ ହୋଇପଡ଼ିଲାଣି। ସେଥିପାଇଁ ପୃଥିବୀବ୍ୟାପୀ ଇଂଲିଶ ଓ ତା’ପରେ ସ୍ପାନିଶ୍‌କୁ ଗଣାଯାଉଛି। ହିନ୍ଦୀର ଅନ୍ତର୍ଜାତୀୟ ସ୍ତରରେ କୌଣସି ଉପସ୍ଥିତି ଦେଖାଯାଉ ନାହିଁ। ଆଉ ଏକ ବିଷୟକୁ ଦେଖିଲେ ହିନ୍ଦୀ ଯାହାର ମାତୃଭାଷା ସେଭଳି ନାଗରିକଙ୍କ ପାଇଁ ଗୋଟିଏ ଭାରତୀୟ ଓ ଅନ୍ୟ ଏକ ବିଦେଶୀ ଭାଷା ଶିଖିବା ଯଥେଷ୍ଟ ହେବ। ଅଣ ହିନ୍ଦୀଭାଷୀ ଛାତ୍ରୀଛାତ୍ରଙ୍କ ପାଇଁ ନିଜ ମାତୃଭାଷା ସହିତ ହିନ୍ଦୀ ଏବଂ ଏକ ବିଦେଶୀ ଭାଷା ଶିଖିବାକୁ ବାଧ୍ୟ। ଫଳରେ ଅଣ ହିନ୍ଦୀ ପିଲାଙ୍କ ପାଇଁ ସମସ୍ୟା ଅଧିକ ହେବ।
ଅନ୍ୟପଟେ ରାଜନୈତିକ ସ୍ତରରେ ହିନ୍ଦୀ ଭାଷା ଲଦିବାର ଏକ ମନ୍ଦ ଉଦ୍ଦେଶ୍ୟ ରହିଛି। ଅଣହିନ୍ଦୀ ଲୋକର ଉଚ୍ଚାରଣରୁ ସବୁବେଳେ ଜଣାପଡ଼ିଯାଏ କିଏ କେଉଁ ପ୍ରଦେଶର। ଏପରିକି ପଶ୍ଚିମ ଉତ୍ତରପ୍ରଦେଶର ଲୋକ ପୂର୍ବିହା ହିନ୍ଦୀକୁ ବାରି ଦେଇଥାନ୍ତି। ଦିଲ୍ଲୀରେ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତାଇଥିବା ଓଡ଼ିଆର ହିନ୍ଦୀ ଶୁଣିଲେ ତାହା କେବେହେଲେ ଉତ୍ତର ପ୍ରଦେଶ କିମ୍ବା ହରିଆଣାର ହିନ୍ଦୀ ଭଳି ଶୁଣାଯାଏ ନାହିଁ। କେହି ସ୍ବୀକାର କରୁ ବା ନ କରୁ ଏହା ହେଉଛି ବାସ୍ତବତା। ସେଥିପାଇଁ ହିନ୍ଦୀ ଲଦିଲେ କେବଳ ହିନ୍ଦୀ ମାତୃଭାଷା ଅଞ୍ଚଳର ନେତା ରାଜନୀତିରେ ଆଗଧାଡ଼ିରେ ସବୁବେଳେ ରହିବେ। ଏଥିପାଇଁ ଶିବସେନା ନେତ୍ରୀ ମନୀଷା ଉଠାଇଥିବା ପ୍ରସଙ୍ଗକୁ ଅବାସ୍ତବ କହିହେବ ନାହିଁ। ଆଞ୍ଚଳିକ ରାଜନୈତିକ ଦଳ ଯେଉଁମାନେ ଭାଷା ଦ୍ୱାରା ଶକ୍ତିଶାଳୀ ହେଉଛନ୍ତି, ସେହିଠାରେ ସେହି ଭାଷାକୁ ଦୁର୍ବଳ କରିଦେବା ଏକ ଷଡ଼ଯନ୍ତ୍ର ହୋଇପାରେ। ଉଦାହରଣସ୍ବରୂପ ଓଡ଼ିଶାରେ ଭାଜପା ଯେତେ ଗେରୁଆ ପତାକା ଲଗାଇ ଚିତ୍କାର କଲେ ମଧ୍ୟ ନେତୃତ୍ୱବିହୀନ ହୋଇଥିବାରୁ ଉଧେଇ ପାରୁନାହିଁ। ସେହି ଖାଲିସ୍ଥାନକୁ ପୂରଣ କରିବାକୁ ହେଲେ ଓଡ଼ିଆ କହୁଥିବା ଆକର୍ଷଣୀୟ ଭାବମୂର୍ତ୍ତି ଥିବା ନେତାର ପ୍ରୟୋଜନ ରହିଛି। ଓଡ଼ିଶାର ସହରାଞ୍ଚଳରେ ହିନ୍ଦୀ ଭାଷା ଏବଂ ଉତ୍ତର ଭାରତୀୟ ଧାର୍ମିକ ଢଙ୍ଗକୁ ଲୋକ ପସନ୍ଦ କରନ୍ତି ବୋଲି ଭାଜପା ଭୋଟ ପାଇପାରିଲା। କିନ୍ତୁ ଗ୍ରାମାଞ୍ଚଳରେ ଏବେ ମଧ୍ୟ ଲୋକଙ୍କର ହୃଦୟରେ ଜଗନ୍ନାଥ ପ୍ରୀତି ଓ ଓଡ଼ିଆ ଭାଷା ପାଇଁ ଭଲପାଇବା ରହିଛି ବୋଲି ପରିସ୍ଥିତି ଭିନ୍ନ ଅଛି। ଏହିଭଳି ରାଜ୍ୟରେ ରାଜନୈତିକ ପରିବର୍ତ୍ତନ ଆଣି କ୍ଷମତା ଦଖଲ କରିବା ପାଇଁ ହିନ୍ଦୀ ଭାଷାକୁ ବ୍ୟବହାର କରିବା ସବୁଠାରୁ ସହଜ ପ୍ରଣାଳୀ ବୋଲି ଆଜିକାର ନେତୃତ୍ୱ ଚିନ୍ତା କରୁଛନ୍ତି। ହୁଏତ ତତ୍‌କ୍ଷଣାତ୍‌ ହିନ୍ଦୀ ଲଦିବାର କୁଫଳ ଜଣା ପଡ଼ି ନ ପାରେ। ପରବର୍ତ୍ତୀ ସମୟରେ, ରୁଷିଆର ଉଦାହରଣ ଭାବେ, ଭାଷାକୁ ନେଇ ଭାରତ ମଧ୍ୟ ଅନେକ ସାମାଜିକ ସମସ୍ୟାର ସମ୍ମୁଖୀନ ହୋଇପାରେ।
୨୦୧୪ରେ କେନ୍ଦ୍ରରେ କ୍ଷମତାସୀନ ଭାଜପା ସରକାର ଏକ ସୁଦୃଢ଼ ବହିର୍ବ୍ୟାପାର ଓ ଅର୍ଥନୈତିକ ନୀତି ପ୍ରଣୟନରେ ବିଫଳ ହୋଇଛି। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ଦର ସହ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ବଢ଼ିବାରେ ଲାଗିଛି। ନିଯୁକ୍ତି ସୁଯୋଗ ପୂର୍ବାପେକ୍ଷା ଯଥେଷ୍ଟ କମିଯାଇଛି। ଏଭଳି ମୌଳିକ ସମସ୍ୟାର ସମାଧାନ କିଭଳି କରାଯାଇପାରିବ ତାହା ଉପରେ ବିଚାରବିମର୍ଶ କରା ନ ଯାଇ ଭାଷା ଭଳି ବର୍ତ୍ତମାନ ସମୟରେ ଅପ୍ରାସଙ୍ଗିକ ଥିବା ବିଷୟକୁ ଗୁରୁତ୍ୱ ଦେଇ ସରକାର ଦେଶବାସୀଙ୍କୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ତାହା ସହଜରେ ବୁଝା ପଡ଼ିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri