ବୃତ୍ତି ପାଇଁ କୃତଜ୍ଞତା ନାହିଁ

ପୁଅ ଏବେ କ’ଣ କରୁଛି ?’ ଢେର୍‌ ଦିନ ପରେ ଦେଖା ହୋଇଥିବା ନିରାକାର ମାଷ୍ଟ୍ରେଙ୍କୁ ପଚାରିଲି। ସେ ଉତ୍ତର ଦେଲେ, ‘ୟୁନିଅନ ବ୍ୟାଙ୍କରେ କିରାଣି। ଗତ ଜୁଲାଇ ମାସରେ ଜଏନ୍‌ କଲା ଜୟପୁରରେ। ’ ‘ଯାହା ହେଉ ଭଲ ହେଲା, ଆପଣଙ୍କ ଚିନ୍ତା ଗଲା’ ; ଉତ୍ତର ଦେଲି। ନିରାକାର ବାବୁ କହୁଥିଲେ, ହଁ ବାପ, ତା’ର ଗୋଟାଏ ଜିଦି ଥିଲା ମାଷ୍ଟର ହେବନି। ଯେଉଁ ଦହଗଞ୍ଜ ଏଇ ଚାକିରିରେ ତମେ ନିଶ୍ଚେ ଜାଣିଛ।’ ତାଙ୍କ ସହ ବିଶେଷ କଥାବାର୍ତ୍ତା ହେବା ଲାଗି ମୋ ପାଖରେ ସମୟ ନ ଥିଲା। ‘ହଁ, ଭଲ କଲେ, କୂଳରେ ଲାଗିଗଲା।’ ଏତକ କହି ମୁହଁ ଘୂରାଇଲି ଅଫିସ ଆଡ଼କୁ।
ସତରେ ନିରାକାର ବାବୁ ଏମିତି କ’ଣ ତିକ୍ତ ଅନୁଭୂତି ସାଉଁଟିଥିଲେ ଯେ, ପୁଅ ମାଷ୍ଟର ହେବାରୁ ବର୍ତ୍ତିଗଲା ବୋଲି ଆତ୍ମହରା ହୋଇଯାଉଥିଲେ। ମାଷ୍ଟର ହେବା କ’ଣ ପାପ ? ଶିକ୍ଷକତା କରିବା ଏକ ମହାନ କାର୍ଯ୍ୟ ବୋଲି ଆମ ପରମ୍ପରା କହେ। ଅଥଚ ଆଜିର ଏ ପରିସ୍ଥିତି !
ଅବଶ୍ୟ ଏ ପ୍ରଶ୍ନ ମୋତେ ଆନ୍ଦୋଳିତ କଲା।
ଆଜିର ଯୁଗରେ ମୋଟା ଅଙ୍କର ଦରମା, ସାମାଜିକ ପ୍ରତିପତ୍ତି, ପ୍ରତିଷ୍ଠା ଗୌରବ ବଢ଼ାଇ ପାରୁଥିବା ଡାକ୍ତର, ଇଞ୍ଜିନିୟର, ଅଧ୍ୟାପକ, ସରକାରୀ ଅଧିକାରୀ, ବ୍ୟାଙ୍କର ହେବା ଅପେକ୍ଷା କିଏ ପଚାରେ ଏ ମାଷ୍ଟର ଚାକିରିକୁ। ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ଥାଇ ତାଲିମପ୍ରାପ୍ତ ଜଣେ ଆଶାୟୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ବିଚରା ଏମିତି ଗୋଟିଏ ଚାକିରି ପାଏ ଯେ, ଛଅ ବର୍ଷ ଗୋତି ଶ୍ରମିକ ଭଳି ଖଟିବାକୁ ହୁଏ। ଜୀବନର ମୂଲ୍ୟବାନ ଛଅ ବର୍ଷ ଜାଳି ପୋଡ଼ି ପାଉଁଶ ହୋଇଗଲା ପରେ ଆଉ କ’ଣ ବଳକା ଥାଏ ଯେ ? ଅବଶ୍ୟ ସମସ୍ତଙ୍କ ଭାଗ୍ୟରେ ଉଚ୍ଚ ପଦପଦବୀ ନ ଥାଏ। ତେବେ କିଛି ସଂଘର୍ଷ ଭିତରେ ଅନାସକ୍ତ ଭାବରେ ଶିକ୍ଷକତା ବୃତ୍ତିରେ ସାମିଲ ହେବାକୁ ହୁଏ। ସେ ଯାହା ହେଉ, କିଛି ବର୍ଷ ପରେ ଏଇ ଶିକ୍ଷକତା ନିଶାରେ ପରିଣତ ହୁଏ। ଆଗାମୀ ସମାଜର ଉତ୍ତମ ନାଗରିକ ଗଢିବାରେ ଶିକ୍ଷକ ଦିନରାତି ଏକ କରିଦିଏ। ସକାଳୁ ଉଠି ନିତ୍ୟକର୍ମ ସାରି ସେଇ ଏକା କାମରେ ବର୍ଷ ବର୍ଷ ଧରି ମଜ୍ଜିଯିବା ବାଲ୍ମୀକିଙ୍କ କଠୋର ସାଧନା ଭଳି ମନେହୁଏ। ଋଣଗ୍ରସ୍ତ ଜୀବନ, ଭଡାଘରର ଦୁଶ୍ଚିନ୍ତା, ପରିବାର ପ୍ରତିପୋଷଣ ଓ ଅଯଥା କାର୍ଯ୍ୟଚାପ ତା’କୁ ବୟସ ଅନୁପାତ ଅପେକ୍ଷା ଆହୁରି ଅଧିକ ବୟସ୍କ କରିପକାଏ। ଏସବୁ ବାଦ୍‌ ତା’ ଭାଗ୍ୟରେ କାହାରି କୃତଜ୍ଞତା ନ ଥାଏ। କାହା ମୁହଁରେ ଧନ୍ୟବାଦର ଭାଷା ନ ଥାଏ । ଛୋଟ ଛୋଟ କୋମଳମତି ଶିଶୁଙ୍କ ହାତରେ ସିଲଟ ଧରାଇ ଅକ୍ଷର ବ୍ରହ୍ମ ସାଥୀରେ ପରିଚୟ କରାଇ ଦେଉଥିବା ଶିକ୍ଷକଟିଏ ଯେମିତି ଅଲୋଡ଼ା ହୋଇଯାଏ।
ଭାଗ୍ୟର ବିଡ଼ମ୍ବନା, ଏ ପ୍ରସଙ୍ଗରେ ଲେଖକର ବି ଏଭଳି କିଛି ଆଖି ଦେଖା ଅନୁଭୂତିଟିଏ ଅଛି, ଯାହା ପାଠକଙ୍କୁ ଆଲୋଡିତ କରିବ। ଶୀତକାଳୀନ ଛୁଟି ଡିସେମ୍ବରରେ ଜଣେ ଶିକ୍ଷକ ତାଙ୍କ ଚାଳିଶ ବର୍ଷର ଦୀର୍ଘ ସାଧନାରୁ ସରକାରୀ ଭାବେ ଅବସର ନେଲେ। ଶିକ୍ଷକ ଜଣକ ଅପନ୍ତରା ଜଙ୍ଗଲୀ ଜନବସତିର ବିଦ୍ୟାଳୟଗୁଡ଼ିକରେ ପୂରା ଚାକିରି କାଳ କଟାଇଥିଲେ। ଜଣେ ଆଦର୍ଶ ସ୍ଥାନୀୟ ଶିକ୍ଷକ ଭାବରେ ତାଙ୍କ କଠୋର ସାଧନାରେ ଅନେକ ମଣିଷ ଗଢିଥିଲେ। ଆଜିକାର ପରିସ୍ଥିତିରେ ହୁଏତ ପ୍ରଶ୍ନ ଉଠିବ, କେତେ ଜଣ ଆଇଏଏସ୍‌ କେତେ ଜଣ ଆଇପିଏସ ପାଇଛନ୍ତି !
ତେବେ ସଂପୃକ୍ତ ଶିକ୍ଷକ ଯେତିକି ମଣିଷ ଗଢ଼ିଛନ୍ତି, ସେମାନେ ସମୟକ୍ରମେ ଭିନ୍ନ ଭିନ୍ନ କ୍ଷେତ୍ରରେ ବେଶ୍‌ ସ୍ବତନ୍ତ୍ର ପରିଚୟ ସାଉଁଟିଛନ୍ତି। ଏହା କିଛି କମ୍‌ ନୁହେଁ। ଯେଉଁ ସମୟରେ ସେ ଅଞ୍ଚଳ ଅଶିକ୍ଷା ଓ କୁସଂସ୍କାରର ଅନ୍ଧକାର ମଧ୍ୟରେ ରହିଥିଲା, ସେତେବେଳେ ଶିକ୍ଷାର ପ୍ରଦୀପଟିଏ ଜାଳି ଲୋକଙ୍କୁ ସାମାଜିକ ସଂସ୍କାର ଆଡ଼କୁ ମୁହାଁଇ ସମାଜର ମୂଳସ୍ରୋତରେ ସାମିଲ କରାଇବା କେତେ ଦୁରୂହ ବ୍ୟାପାର, ସହଜରେ ଅନୁମେୟ। ତେବେ ଏଭଳି ଜଣେ ଶିକ୍ଷକଙ୍କ ଅବସର ବେଳକୁ ଶୀତଦିନିଆ ଛୁଟିର ଆଳ ଦେଖାଇ ବିଦ୍ୟାଳୟର କୌଣସି କର୍ମଚାରୀ, ଅଭିଭାବକ କିମ୍ବା ବିଦ୍ୟାଳୟର ଛାତ୍ରୀଛାତ୍ର ଉପସ୍ଥିତ ନ ଥିଲେ। ଜଣେ ଦୁଇଜଣ ଉପରିସ୍ଥ ଅଧିକାରୀ, ସହକର୍ମୀ ମୋବାଇଲ ଫୋନ ମାଧ୍ୟମରେ ଛୁଟି ପରେ ଦେଖା ହେବ କହି ଅବସରକାଳୀନ ଶୁଭେଚ୍ଛା ଜଣାଇଥିଲେ। ନିରାସକ୍ତ ଶିକ୍ଷକ ଆବେଗକୁ ସିନା ଚାପି ରଖିଥିଲେ, କିନ୍ତୁ ଶେଷ କାର୍ଯ୍ୟ ଦିବସରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କୁ ତାଙ୍କ ଘରେ ଭେଟି ବିଦ୍ୟାଳୟର ଚାବି ହସ୍ତାନ୍ତର ବେଳକୁ ନିଜ କୋହ ସମ୍ଭାଳି ପାରିନଥିଲେ। ଅବଶ୍ୟ ସଂପୃକ୍ତ ଶିକ୍ଷକଙ୍କ ପରିବାର ସେଦିନ ତାଙ୍କ ସହ ବିଦ୍ୟାଳୟରେ କଟାଇଥିବା ଜଣାଯାଏ। ସମାଜ ଜଣେ ଶିକ୍ଷକଙ୍କୁ ଅବସରକାଳୀନ କୃତଜ୍ଞତା ଜଣାଇବାକୁ ଭୁଲିଯିବା କି ପ୍ରକାର ସଂସ୍କାର; ତାହା ନିଶ୍ଚୟ ଉଦ୍‌ବେଗର ବିଷୟ।
ଏହି ଆଲୋଚନାରୁ ହିଁ ବୋଧହୁଏ ସ୍ପଷ୍ଟ ଜଣାପଡେ କାହିଁକି ନିରାକାର ମାଷ୍ଟ୍ରେ ଏଭଳି ଚାକିରିରୁ ପୁଅକୁ ଦୂରେଇ ବେଶ୍‌ ଖୁସି ଥିଲେ। ଶିକ୍ଷକ ପରିବର୍ତ୍ତେ ପୁଅକୁ ଅନ୍ୟ କୌଣସି ଚାକିରିରେ ଭର୍ତ୍ତି ହେବା ଲାଗି ପ୍ରେରିତ କରୁଥିଲେ। ତେବେ ଶେଷରେ ସେଇ ପ୍ରଶ୍ନ ଶିକ୍ଷକତାରେ କ’ଣ କୃତଜ୍ଞତା ନାହିଁ ? ସମାଜ ଲାଗି ନିଜକୁ ତିଳ ତିଳ କରି ଜାଳି ଦେଉଥିଲେ ହେଁ ଏ ବୃତ୍ତି ଲାଗି ଧନ୍ୟବାଦର ଭାଷା ହିଁ ନାହିଁ। ଅବଶ୍ୟ ପରେ ମନକୁ ବୁଝାଇଲି। ଆପଣା ସନ୍ତାନକୁ ମଣିଷଟିଏ ଭଳି ଗଢିବାରେ ଦିନକୁ କୋଡ଼ିଏ ଘଣ୍ଟାର ବାପାଙ୍କ ବିଶ୍ରାମହୀନ ପରିଶ୍ରମ ଲାଗି ସନ୍ତାନ ପାଖରେ କି କୃତଜ୍ଞତାର ଭାଷା ଥାଏ? ଅଧା ପେଟରେ ନିଜକୁ ସବୁବେଳେ ସନ୍ତୁଷ୍ଟ ରଖୁଥିବା, ନିଜ ସୁଖ ସୁବିଧା ପ୍ରତି ଆଦୌ ଧ୍ୟାନ ଦେଉନଥିବା ମାଆର ସେବା ଯତ୍ନ ପ୍ରତିବଦଳରେ ସନ୍ତାନ କି କୃତଜ୍ଞ ରହେ?
ବରଂ ଏହା ହିଁ ନିଷ୍କର୍ଷ ହେଉ କି ଯେକୌଣସି ବୃତ୍ତି, ସାଧନା, ସେବା ମନୋବୃତ୍ତି, ତପସ୍ୟା ଲାଗି କୃତଜ୍ଞତା ନୁହେଁ; ଆତ୍ମତୃପ୍ତି ହିଁ ଈପ୍ସିତ ଲକ୍ଷ୍ୟ ହେଉ। ନା’ କ’ଣ କହୁଛନ୍ତି, ବିଚାର ଆପଣଙ୍କର !

ଶ୍ରୀଧର ପଟ୍ଟନାୟକ
କଲ୍ୟାଣସିଂହପୁର, ରାୟଗଡ଼ା
ମୋ:୮୨୪୯୧୨୧୦୬୦


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri