ବୃତ୍ତି ପାଇଁ କୃତଜ୍ଞତା ନାହିଁ

ପୁଅ ଏବେ କ’ଣ କରୁଛି ?’ ଢେର୍‌ ଦିନ ପରେ ଦେଖା ହୋଇଥିବା ନିରାକାର ମାଷ୍ଟ୍ରେଙ୍କୁ ପଚାରିଲି। ସେ ଉତ୍ତର ଦେଲେ, ‘ୟୁନିଅନ ବ୍ୟାଙ୍କରେ କିରାଣି। ଗତ ଜୁଲାଇ ମାସରେ ଜଏନ୍‌ କଲା ଜୟପୁରରେ। ’ ‘ଯାହା ହେଉ ଭଲ ହେଲା, ଆପଣଙ୍କ ଚିନ୍ତା ଗଲା’ ; ଉତ୍ତର ଦେଲି। ନିରାକାର ବାବୁ କହୁଥିଲେ, ହଁ ବାପ, ତା’ର ଗୋଟାଏ ଜିଦି ଥିଲା ମାଷ୍ଟର ହେବନି। ଯେଉଁ ଦହଗଞ୍ଜ ଏଇ ଚାକିରିରେ ତମେ ନିଶ୍ଚେ ଜାଣିଛ।’ ତାଙ୍କ ସହ ବିଶେଷ କଥାବାର୍ତ୍ତା ହେବା ଲାଗି ମୋ ପାଖରେ ସମୟ ନ ଥିଲା। ‘ହଁ, ଭଲ କଲେ, କୂଳରେ ଲାଗିଗଲା।’ ଏତକ କହି ମୁହଁ ଘୂରାଇଲି ଅଫିସ ଆଡ଼କୁ।
ସତରେ ନିରାକାର ବାବୁ ଏମିତି କ’ଣ ତିକ୍ତ ଅନୁଭୂତି ସାଉଁଟିଥିଲେ ଯେ, ପୁଅ ମାଷ୍ଟର ହେବାରୁ ବର୍ତ୍ତିଗଲା ବୋଲି ଆତ୍ମହରା ହୋଇଯାଉଥିଲେ। ମାଷ୍ଟର ହେବା କ’ଣ ପାପ ? ଶିକ୍ଷକତା କରିବା ଏକ ମହାନ କାର୍ଯ୍ୟ ବୋଲି ଆମ ପରମ୍ପରା କହେ। ଅଥଚ ଆଜିର ଏ ପରିସ୍ଥିତି !
ଅବଶ୍ୟ ଏ ପ୍ରଶ୍ନ ମୋତେ ଆନ୍ଦୋଳିତ କଲା।
ଆଜିର ଯୁଗରେ ମୋଟା ଅଙ୍କର ଦରମା, ସାମାଜିକ ପ୍ରତିପତ୍ତି, ପ୍ରତିଷ୍ଠା ଗୌରବ ବଢ଼ାଇ ପାରୁଥିବା ଡାକ୍ତର, ଇଞ୍ଜିନିୟର, ଅଧ୍ୟାପକ, ସରକାରୀ ଅଧିକାରୀ, ବ୍ୟାଙ୍କର ହେବା ଅପେକ୍ଷା କିଏ ପଚାରେ ଏ ମାଷ୍ଟର ଚାକିରିକୁ। ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ଥାଇ ତାଲିମପ୍ରାପ୍ତ ଜଣେ ଆଶାୟୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ବିଚରା ଏମିତି ଗୋଟିଏ ଚାକିରି ପାଏ ଯେ, ଛଅ ବର୍ଷ ଗୋତି ଶ୍ରମିକ ଭଳି ଖଟିବାକୁ ହୁଏ। ଜୀବନର ମୂଲ୍ୟବାନ ଛଅ ବର୍ଷ ଜାଳି ପୋଡ଼ି ପାଉଁଶ ହୋଇଗଲା ପରେ ଆଉ କ’ଣ ବଳକା ଥାଏ ଯେ ? ଅବଶ୍ୟ ସମସ୍ତଙ୍କ ଭାଗ୍ୟରେ ଉଚ୍ଚ ପଦପଦବୀ ନ ଥାଏ। ତେବେ କିଛି ସଂଘର୍ଷ ଭିତରେ ଅନାସକ୍ତ ଭାବରେ ଶିକ୍ଷକତା ବୃତ୍ତିରେ ସାମିଲ ହେବାକୁ ହୁଏ। ସେ ଯାହା ହେଉ, କିଛି ବର୍ଷ ପରେ ଏଇ ଶିକ୍ଷକତା ନିଶାରେ ପରିଣତ ହୁଏ। ଆଗାମୀ ସମାଜର ଉତ୍ତମ ନାଗରିକ ଗଢିବାରେ ଶିକ୍ଷକ ଦିନରାତି ଏକ କରିଦିଏ। ସକାଳୁ ଉଠି ନିତ୍ୟକର୍ମ ସାରି ସେଇ ଏକା କାମରେ ବର୍ଷ ବର୍ଷ ଧରି ମଜ୍ଜିଯିବା ବାଲ୍ମୀକିଙ୍କ କଠୋର ସାଧନା ଭଳି ମନେହୁଏ। ଋଣଗ୍ରସ୍ତ ଜୀବନ, ଭଡାଘରର ଦୁଶ୍ଚିନ୍ତା, ପରିବାର ପ୍ରତିପୋଷଣ ଓ ଅଯଥା କାର୍ଯ୍ୟଚାପ ତା’କୁ ବୟସ ଅନୁପାତ ଅପେକ୍ଷା ଆହୁରି ଅଧିକ ବୟସ୍କ କରିପକାଏ। ଏସବୁ ବାଦ୍‌ ତା’ ଭାଗ୍ୟରେ କାହାରି କୃତଜ୍ଞତା ନ ଥାଏ। କାହା ମୁହଁରେ ଧନ୍ୟବାଦର ଭାଷା ନ ଥାଏ । ଛୋଟ ଛୋଟ କୋମଳମତି ଶିଶୁଙ୍କ ହାତରେ ସିଲଟ ଧରାଇ ଅକ୍ଷର ବ୍ରହ୍ମ ସାଥୀରେ ପରିଚୟ କରାଇ ଦେଉଥିବା ଶିକ୍ଷକଟିଏ ଯେମିତି ଅଲୋଡ଼ା ହୋଇଯାଏ।
ଭାଗ୍ୟର ବିଡ଼ମ୍ବନା, ଏ ପ୍ରସଙ୍ଗରେ ଲେଖକର ବି ଏଭଳି କିଛି ଆଖି ଦେଖା ଅନୁଭୂତିଟିଏ ଅଛି, ଯାହା ପାଠକଙ୍କୁ ଆଲୋଡିତ କରିବ। ଶୀତକାଳୀନ ଛୁଟି ଡିସେମ୍ବରରେ ଜଣେ ଶିକ୍ଷକ ତାଙ୍କ ଚାଳିଶ ବର୍ଷର ଦୀର୍ଘ ସାଧନାରୁ ସରକାରୀ ଭାବେ ଅବସର ନେଲେ। ଶିକ୍ଷକ ଜଣକ ଅପନ୍ତରା ଜଙ୍ଗଲୀ ଜନବସତିର ବିଦ୍ୟାଳୟଗୁଡ଼ିକରେ ପୂରା ଚାକିରି କାଳ କଟାଇଥିଲେ। ଜଣେ ଆଦର୍ଶ ସ୍ଥାନୀୟ ଶିକ୍ଷକ ଭାବରେ ତାଙ୍କ କଠୋର ସାଧନାରେ ଅନେକ ମଣିଷ ଗଢିଥିଲେ। ଆଜିକାର ପରିସ୍ଥିତିରେ ହୁଏତ ପ୍ରଶ୍ନ ଉଠିବ, କେତେ ଜଣ ଆଇଏଏସ୍‌ କେତେ ଜଣ ଆଇପିଏସ ପାଇଛନ୍ତି !
ତେବେ ସଂପୃକ୍ତ ଶିକ୍ଷକ ଯେତିକି ମଣିଷ ଗଢ଼ିଛନ୍ତି, ସେମାନେ ସମୟକ୍ରମେ ଭିନ୍ନ ଭିନ୍ନ କ୍ଷେତ୍ରରେ ବେଶ୍‌ ସ୍ବତନ୍ତ୍ର ପରିଚୟ ସାଉଁଟିଛନ୍ତି। ଏହା କିଛି କମ୍‌ ନୁହେଁ। ଯେଉଁ ସମୟରେ ସେ ଅଞ୍ଚଳ ଅଶିକ୍ଷା ଓ କୁସଂସ୍କାରର ଅନ୍ଧକାର ମଧ୍ୟରେ ରହିଥିଲା, ସେତେବେଳେ ଶିକ୍ଷାର ପ୍ରଦୀପଟିଏ ଜାଳି ଲୋକଙ୍କୁ ସାମାଜିକ ସଂସ୍କାର ଆଡ଼କୁ ମୁହାଁଇ ସମାଜର ମୂଳସ୍ରୋତରେ ସାମିଲ କରାଇବା କେତେ ଦୁରୂହ ବ୍ୟାପାର, ସହଜରେ ଅନୁମେୟ। ତେବେ ଏଭଳି ଜଣେ ଶିକ୍ଷକଙ୍କ ଅବସର ବେଳକୁ ଶୀତଦିନିଆ ଛୁଟିର ଆଳ ଦେଖାଇ ବିଦ୍ୟାଳୟର କୌଣସି କର୍ମଚାରୀ, ଅଭିଭାବକ କିମ୍ବା ବିଦ୍ୟାଳୟର ଛାତ୍ରୀଛାତ୍ର ଉପସ୍ଥିତ ନ ଥିଲେ। ଜଣେ ଦୁଇଜଣ ଉପରିସ୍ଥ ଅଧିକାରୀ, ସହକର୍ମୀ ମୋବାଇଲ ଫୋନ ମାଧ୍ୟମରେ ଛୁଟି ପରେ ଦେଖା ହେବ କହି ଅବସରକାଳୀନ ଶୁଭେଚ୍ଛା ଜଣାଇଥିଲେ। ନିରାସକ୍ତ ଶିକ୍ଷକ ଆବେଗକୁ ସିନା ଚାପି ରଖିଥିଲେ, କିନ୍ତୁ ଶେଷ କାର୍ଯ୍ୟ ଦିବସରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କୁ ତାଙ୍କ ଘରେ ଭେଟି ବିଦ୍ୟାଳୟର ଚାବି ହସ୍ତାନ୍ତର ବେଳକୁ ନିଜ କୋହ ସମ୍ଭାଳି ପାରିନଥିଲେ। ଅବଶ୍ୟ ସଂପୃକ୍ତ ଶିକ୍ଷକଙ୍କ ପରିବାର ସେଦିନ ତାଙ୍କ ସହ ବିଦ୍ୟାଳୟରେ କଟାଇଥିବା ଜଣାଯାଏ। ସମାଜ ଜଣେ ଶିକ୍ଷକଙ୍କୁ ଅବସରକାଳୀନ କୃତଜ୍ଞତା ଜଣାଇବାକୁ ଭୁଲିଯିବା କି ପ୍ରକାର ସଂସ୍କାର; ତାହା ନିଶ୍ଚୟ ଉଦ୍‌ବେଗର ବିଷୟ।
ଏହି ଆଲୋଚନାରୁ ହିଁ ବୋଧହୁଏ ସ୍ପଷ୍ଟ ଜଣାପଡେ କାହିଁକି ନିରାକାର ମାଷ୍ଟ୍ରେ ଏଭଳି ଚାକିରିରୁ ପୁଅକୁ ଦୂରେଇ ବେଶ୍‌ ଖୁସି ଥିଲେ। ଶିକ୍ଷକ ପରିବର୍ତ୍ତେ ପୁଅକୁ ଅନ୍ୟ କୌଣସି ଚାକିରିରେ ଭର୍ତ୍ତି ହେବା ଲାଗି ପ୍ରେରିତ କରୁଥିଲେ। ତେବେ ଶେଷରେ ସେଇ ପ୍ରଶ୍ନ ଶିକ୍ଷକତାରେ କ’ଣ କୃତଜ୍ଞତା ନାହିଁ ? ସମାଜ ଲାଗି ନିଜକୁ ତିଳ ତିଳ କରି ଜାଳି ଦେଉଥିଲେ ହେଁ ଏ ବୃତ୍ତି ଲାଗି ଧନ୍ୟବାଦର ଭାଷା ହିଁ ନାହିଁ। ଅବଶ୍ୟ ପରେ ମନକୁ ବୁଝାଇଲି। ଆପଣା ସନ୍ତାନକୁ ମଣିଷଟିଏ ଭଳି ଗଢିବାରେ ଦିନକୁ କୋଡ଼ିଏ ଘଣ୍ଟାର ବାପାଙ୍କ ବିଶ୍ରାମହୀନ ପରିଶ୍ରମ ଲାଗି ସନ୍ତାନ ପାଖରେ କି କୃତଜ୍ଞତାର ଭାଷା ଥାଏ? ଅଧା ପେଟରେ ନିଜକୁ ସବୁବେଳେ ସନ୍ତୁଷ୍ଟ ରଖୁଥିବା, ନିଜ ସୁଖ ସୁବିଧା ପ୍ରତି ଆଦୌ ଧ୍ୟାନ ଦେଉନଥିବା ମାଆର ସେବା ଯତ୍ନ ପ୍ରତିବଦଳରେ ସନ୍ତାନ କି କୃତଜ୍ଞ ରହେ?
ବରଂ ଏହା ହିଁ ନିଷ୍କର୍ଷ ହେଉ କି ଯେକୌଣସି ବୃତ୍ତି, ସାଧନା, ସେବା ମନୋବୃତ୍ତି, ତପସ୍ୟା ଲାଗି କୃତଜ୍ଞତା ନୁହେଁ; ଆତ୍ମତୃପ୍ତି ହିଁ ଈପ୍ସିତ ଲକ୍ଷ୍ୟ ହେଉ। ନା’ କ’ଣ କହୁଛନ୍ତି, ବିଚାର ଆପଣଙ୍କର !

ଶ୍ରୀଧର ପଟ୍ଟନାୟକ
କଲ୍ୟାଣସିଂହପୁର, ରାୟଗଡ଼ା
ମୋ:୮୨୪୯୧୨୧୦୬୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri