ଝାଞ୍ଜିରୁ ମିଳୁନି ନିସ୍ତାର

ଢେଙ୍କାନାଳ ଅଫିସ, ୧୬।୪ ରାଜ୍ୟରେ ଗ୍ରୀଷ୍ମପ୍ରବାହ ରେକର୍ଡ ଭାଙ୍ଗୁଛି। ଅସହ୍ୟ ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଥିବାବେଳେ ଏଥିରୁ ବାଦ୍‌ ପଡ଼ିନି ଶିଳ୍ପ ଜିଲା ଢେଙ୍କାନାଳ। ଶୁକ୍ରବାର ଜିଲାର ପାରଦ ୪୧ ଡିଗ୍ରୀ ଟପିଥିବାବେଳେ ସକାଳୁ ଅପରାହ୍ନ ଯାଏ ପ୍ରବାହିତ ଝାଞ୍ଜିରେ ସନ୍ତୁଳି ହୋଇଥିଲେ ଜିଲାବାସୀ।
ଜିଲାରେ ସକାଳୁ ସକାଳୁ ଆରମ୍ଭ ହୋଇଯାଉଛି ଖରାର ପ୍ରକୋପ। ପୂର୍ବାହ୍ନ ୧୦ଟା ପରେ ଗରମ ପବନ ପ୍ରବାହିତ ହେଉଛି। ଝାଞ୍ଜିରୁ ନିସ୍ତାର ମିଳୁନି। ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଅପରାହ୍ନ ୪ଯାଏ ବଜାରଘାଟ ଶୂନ୍‌ଶାନ ହୋଇପଡୁଛି। ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଘନ ଘନ ବୈଠକ କରି ଜନସାଧାରଣଙ୍କୁ ସତର୍କ କରାଯାଉଛି। ତଥାପି ପୌର ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇ ନାହିଁ କି ଜଳଛତ୍ର ମଧ୍ୟ ଖୋଲିନାହିଁ। ହାତଗଣତି ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ଯୁବଗୋଷ୍ଠୀ ପକ୍ଷରୁ କେତେକ ସ୍ଥାନରେ ପାଣି, ସରବତ ବଣ୍ଟନ କରାଯାଉଛି। ପଥଚାରୀ, ଯାତ୍ରୀଙ୍କ ଲାଗି ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ପିଇବା ପାଣି ସୁବିଧା କରାଯାଇ ନ ଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଏଭଳି ଗ୍ରୀଷ୍ମପ୍ରବାହ ସମୟରେ ଲୋ-ଭୋଲ୍‌ଟେଜ୍‌ ଏବଂ ବିଦ୍ୟୁତ୍‌ ବିଭ୍ରାଟ ସମସ୍ୟା ଉପଭୋକ୍ତାଙ୍କ ଯନ୍ତ୍ରଣାକୁ ବହୁଗୁଣିତ କରିଦେଉଛି। ବାରମ୍ବାର ବିଦ୍ୟୁତ୍‌ କାଟ୍‌ ଯୋଗୁ ପାନୀୟ ଜଳଯୋଗାଣ ବାଧାପ୍ରାପ୍ତ ହେଉଛି, ଯାହା ଏବେ ପ୍ରମୁଖ ସମସ୍ୟାରେ ପରିଣତ ହୋଇଛି। ସେହିପରି ଶୋଷ ମେଣ୍ଟାଇବା ପାଇଁ ଲସି, ଜୁସ୍‌, ଆଖୁରସ, ଆଇସକ୍ରିମ୍‌, ଦହିବରା ଆଳୁଦମ୍‌, ତରଭୁଜ ବ୍ୟବସାୟୀଙ୍କ ପାଖରେ ନାହିଁ ନ ଥିବା ଭିଡ଼ ଜମୁଛି। ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଅତନୁ ସାମନ୍ତ କୁହନ୍ତି, ସୋମବାର ସୁଦ୍ଧା ସହରରେ ଜଳଛତ୍ର ଖୋଲାଯିବା ପାଇଁ ବ୍ୟବସ୍ଥା ହେଉଛି। ଜିଲା ଜରୁରୀ ଓ ଆପାତ୍‌କାଳୀନ ଅଧିକାରୀ ସ୍ନିଗ୍ଧାଛାୟା ମହାପାତ୍ର କୁହନ୍ତି, ତାପମାପକ ଯନ୍ତ୍ର କାର୍ଯ୍ୟକ୍ଷମ ହେବା ପରେ ଦୈନିକ ଦୁଇଥର ତାପମାତ୍ରା ମପାଯାଉଛି। ଶୁକ୍ରବାର ଢେଙ୍କାନାଳ ସର୍ବାଧିକ ତାପମାତ୍ରା ୪୧.୬ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି।