ସୁରଙ୍କୁ ଏଣ୍ଟ୍ରି ମିଳିଲାନି

ଭୁବନେଶ୍ୱର,୧୨।୧୦(ସ୍ପୋର୍ଟସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ(ସୁର)ଙ୍କୁ ଏଣ୍ଟ୍ରି ମିଳିନାହିଁ। ସୁରକ୍ଷା ଦାୟିତ୍ୱରେ ରହିଥିବା ଜନୈକ ବିଦେଶୀ ସୁରକ୍ଷାକର୍ମୀ ତାଙ୍କୁ ଗେଟ୍‌ରେ ପ୍ରବେଶ କରାଇ ଦେଇ ନ ଥିଲେ। ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏସନ୍‌ର ସଭାପତି ଭାବରେ ସୁର ରାଉତରାୟଙ୍କୁ ପାସ୍‌ ମିଳିଥିଲା। ତେବେ ପାସ୍‌କୁ ଅବୈଧ ଦର୍ଶାଇବା ସହିତ ସୁରକ୍ଷାକର୍ମୀ ଜଣଙ୍କ ତାଙ୍କୁ ଗେଟ୍‌ ବାହାରକୁ ପଠାଇ ଦେଇଥିଲେ। ବାହରକୁ ଆସି ସୁର ନିଜ ସମର୍ଥକଙ୍କ ସହିତ ଏହି ଘଟଣାର ତୀବ୍ର ନିନ୍ଦା କରିଥିଲେ। କଳିଙ୍ଗ ଷ୍ଟାଡିୟମ ତିଆରିରେ ମୋର ଭୂମିକା ରହିଛି, ଆଉ ଫୁଟବଲ ଦେଖିବାକୁ ମୁଁ ଭଲପାଏ। ସୁରକ୍ଷାକର୍ମୀଙ୍କ ଦୁର୍ବ୍ୟବହାରର ମୁଁ ଜବାବ ଦେଇ ପାରିଥାନ୍ତି। ମାତ୍ର ଏହାଦ୍ୱାରା ମୋ ରାଜ୍ୟର ଗାରିମା ହାନି ହେବ ବୋଲି ନୀରବ ରହିବାକୁ ଶ୍ରେୟସ୍କର ମନେକଲି। ପାସ୍‌ ମିଳିଥିଲେ ମଧ୍ୟ ଷ୍ଟାଡିୟମ ପ୍ରବେଶ କରିବାରେ ଅସମର୍ଥ ହେବା ପରେ ସେ ଅବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ସଚିବଙ୍କୁ ଦାୟୀ କରିଛନ୍ତି।