ମଧ୍ୟାହ୍ନଭୋଜନରେ ମିଳୁନି ଅଣ୍ଡା

ଚମ୍ପୁଆ,୮ା୧୦(ମହେଶ୍ୱର ଦାସ)କେନ୍ଦୁଝର ଜିଲା ଚମ୍ପୁଆ ଏନ୍‌ଏସି ଅନ୍ତର୍ଗତ ଗୋଧୂଳି ୟୁଜିୟୁପି ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ୭ ଦିନ ହେବ ମଧ୍ୟାହ୍ନଭୋଜନରେ ଅଣ୍ଡା ମିଳୁନାହିଁ। ଏ ନେଇ ଅଭିଭାବକ ଅସନ୍ତୋଷ ବ୍ୟକ୍ତ କରିବା ସହ ଚମ୍ପୁଆ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅଭିଯୋଗ ପରେ ବ୍ଲକ୍‌ ଶିକ୍ଷା ଅଧିକାରୀ ପ୍ରକାଶ ସାହୁ ଶନିବାର ବିଦ୍ୟାଳୟ ଯାଇ ଘଟଣାର ତଦନ୍ତ କରିଛନ୍ତି। ସ୍ଥାନୀୟ କାଉନ୍‌ସିଲର ବିଦ୍ୟାଳୟ ଯାଇ ଘଟଣା ସମ୍ବନ୍ଧରେ ପ୍ରଧାନ ଶିକ୍ଷକ ରଞ୍ଜିତ ପ୍ରଧାନଙ୍କୁ ପଚାରିବାରୁ ଅର୍ଥ ଅଭାବରୁ ଅଣ୍ଡା ଦେବା ବନ୍ଦ ରହିଛି ବୋଲି କହିଥିଲେ।
ଅନୁଯାୟୀ, ଉପାନ୍ତ ଆଦିବାସୀ ଅଞ୍ଚଳ ଗୋଧୂଳି ୟୁଜିୟୁପି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୫୯ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ଦିଆଯାଉଛି। ସରକାରଙ୍କ ନିୟମ ଅନୁଯାୟୀ ବୁଧବାର ଓ ଶନିବାର ମଧ୍ୟାହ୍ନଭୋଜନରେ ଅଣ୍ଡା ଦେବାର ବ୍ୟବସ୍ଥା ରହିଛି। ଜିଲା ଖଣିଜ ପାଣ୍ଠି ପକ୍ଷରୁ ଅନ୍ୟ ୪ ଦିନ ମଧ୍ୟ ଅଣ୍ଡା ଦେବା ବ୍ୟବସ୍ଥା ହୋଇଛି। ମାତ୍ର ଏହି ବିଦ୍ୟାଳୟରେ ୭ ଦିନ ହେବ ଅଣ୍ଡା ଦିଆଯାଉନାହିଁ। ଏ ନେଇ ଚମ୍ପୁଆ ବ୍ଲକ୍‌ ଶିକ୍ଷା ଅଧିକାରୀ କହିଛନ୍ତି, କାହିଁକି ଅଣ୍ଡା ଦିଆଗଲା ନାହିଁ ସେ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ଚିଠି କରାଯିବ। ଏଥିସହ ଛାତ୍ରୀଛାତ୍ରଙ୍କୁ ବକେୟା ଅଣ୍ଡା ପ୍ରଦାନ କରାଯିବ। ଗ୍ରାମବାସୀଙ୍କ ପକ୍ଷରୁ ପରିଚାଳନା କମିଟି ପରିବର୍ତ୍ତନ ପାଇଁ ଦିଆଯାଇଥିବା ପ୍ରସ୍ତାବର ବିଚାର କରାଯାଇ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି।