ଜଳ ନିଷ୍କାସନ ହେଉନି: ଚିନ୍ତାରେ ପଞ୍ଚାୟତବାସୀ

ରଘୁନାଥପୁର, ୧୪ ।୮(ଡି.ଏନ୍‌.ଏ.): ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ରଘୁନାଥପୁର ବ୍ଲକ ରାଢ଼ଙ୍ଗ ପଞ୍ଚାୟତବାସୀଙ୍କ ଚିନ୍ତା ବଢ଼ିଯାଇଛି। ଜଳ ନିଷ୍କାସନରେ ସମସ୍ୟା ଯୋଗୁ ଉପରମୁଣ୍ଡରୁ ବର୍ଷାପାଣି ଗଡ଼ି ଏହି ସ୍ଥାନରେ ଜମାହୋଇ ରହୁଛି। ଫଳରେ ରାଢ଼ଙ୍ଗ ଓ ଜିରା ଗ୍ରାମର ଚାଷଜମିରେ ପଡ଼ିଥିବା ତଳିଘେରା ବୁଡ଼ିବା ଆରମ୍ଭ କରିଛି। ସେହିପରି ପୂଜା, କଳିଙ୍ଗା ଓ କରିମୂଳ ଆଦି ଗ୍ରାମର ଚାଷଜମି ମଧ୍ୟ କେତେକାଂଶରେ ବୁଡ଼ିରହିଛି। ଆସନ୍ତା ଦୁଇଦିନ ମଧ୍ୟରେ ଉଦ୍‌ବୃତ ବର୍ଷାପାଣି ସମ୍ପୂର୍ଣ୍ଣ ତଳି ଘେରାକୁ ବୁଡାଇ ନଷ୍ଟ କରିଦେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।
ଜଗତ୍‌ସିଂହପୁର ଗାନ୍ଧୀଛକଠାରୁ ବାହାରିଥିବା ମାଧପୁର ସଫେଇ ଓ କନ୍ଦରପୁରଠାରୁ ଆସୁଥିବା ବର୍ଷାପାଣି ଏହି ପଞ୍ଚାୟତର ଚାଷଜମି ଦେଇ ନାଲିବାରସ୍ଥିତ ହଂସୁଆ ସଫେଇକୁ ନିଷ୍କାସିତ ହୋଇଥାଏ। ଏହା ଖାଲୁଆ ଅଞ୍ଚଳ ହୋଇଥିବାବେଳେ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନ ଥିବାରୁ ପ୍ରତିବର୍ଷ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି।
ଏହି ସମସ୍ୟାର ସମାଧାନ ପାଇଁ ଗତ ଦଶବର୍ଷ ଧରି ପଞ୍ଚାୟତବାସୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ ଓ ଅନଶନ କରାଯାଉଥିଲେ ବି ଜଳସେଚନ ଓ ଡ୍ରେନେଜ୍‌ ବିଭାଗ ପକ୍ଷରୁ ସେପରି ପଦକ୍ଷେପ ନିଆଯାଉନାହିଁ ବୋଲି ନବନିର୍ମାଣ କୃଷକ ସଙ୍ଗଠନ ରାଜ୍ୟ କର୍ମକର୍ତ୍ତା ଦେବୀପ୍ରସାଦ ମହାରଣା କ୍ଷୋଭର ସହ ପ୍ରକାଶ କରିଛନ୍ତି। ଶନିବାର ଅପରାହ୍ନରେ ଚାଷୀମାନେ ମିଳିତ ହୋଇ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ବିପିନ ପାଳ, ବିପିନ ମୁଦୁଲି, ଅତିଥି ସ୍ବାଇଁ, ରାକେଶ ଜେନା, ଚନ୍ଦ୍ରଶେଖର ରାଉତ, ଭାସ୍କର ପାଳ, ଉଲ୍ଲାସ ପାଳ, କିଶୋର ରାଉତ, ଶିଶିର ପାଳ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ ପଣ୍ଡା କୁହନ୍ତି ଯେ, ଉକ୍ତ ପଞ୍ଚାୟତ ଦେଇ ଯାଇଥିବା ଜଳସେଚିତ କେନାଲରେ ଜଳପ୍ରବାହ ବନ୍ଦ କରିଦିଆଯାଇଛି ା ତୁରନ୍ତ ଉକ୍ତ ବାଟ ଦେଇ ବର୍ଷା ପାଣି ନିଷ୍କାସନ ହେବାରେ କୌଣସି ସମସ୍ୟା ରହିବ ନାହିଁ ।