Categories: ଜାତୀୟ

‘ସ୍ଥାୟୀ ବେଞ୍ଚ ଲାଗି ପ୍ରସ୍ତାବ ଦେଇଛନ୍ତି ହେଲେ ସବିଶେଷ ତଥ୍ୟ ନାହିଁ ’

ନୂଆଦିଲ୍ଲୀ,୧୭।୧୨: ଓଡ଼ିଶା ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟରୁ ସବିଶେଷ ପ୍ରସ୍ତାବ ମିଳି ନ ଥିବା କେନ୍ଦ୍ର ସରକାର ଶୁକ୍ରବାର ଲୋକ ସଭାରେ କହିଛନ୍ତି। ଭାଜପା ଏମ୍‌ପି ବସନ୍ତ ପଣ୍ଡା, କଂଗ୍ରେସ ସଦସ୍ୟ ସପ୍ତଗିରି ଉଲାକାଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଲାଗି ରାଜ୍ୟ ସରକାର ଅନୁରୋଧ କରିଥିଲେ। ଏନେଇ ହାଇକୋର୍ଟଙ୍କ ସହ ପରାମର୍ଶ କରି ବେଞ୍ଚ୍‌ ସ୍ଥାପନ ହେବାକୁ ଥିବା ସ୍ଥାନ ସମେତ ସବିଶେଷ ପ୍ରସ୍ତାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ପକ୍ଷରୁ ଅନୁରୋଧ କରାଯାଇଥିଲା। ତେବେ ଏ ପର୍ଯ୍ୟନ୍ତ ଓଡ଼ିଶା ସରକାର ଏହାର ଜବାବ ଦେଇ ନାହାନ୍ତି। ତେଣୁ ବେଞ୍ଚ୍‌ ସ୍ଥାପନ ଲାଗି କୌଣସି ସବିଶେଷ ପ୍ରସ୍ତାବ କେନ୍ଦ୍ରର ବିଚାରାଧୀନ ନ ଥିବା ରିଜିଜୁ କହିଛନ୍ତି।

ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ଲାଗି ରାଜ୍ୟ ସରକାର ଓ ଜନସାଧାରଣଙ୍କ ପକ୍ଷରୁ ଦୀର୍ଘଦିନ ହେଲା ଦାବି ହୋଇଆସୁଛି। ଏଥିପାଇଁ ଅତୀତରେ ରାଜ୍ୟର ଆଇନଜୀବୀମାନେ ଏକାଧିକ ଥର ଧର୍ମଘଟ କରିଛନ୍ତି। ବିଜେଡି ଏମ୍‌ପିମାନେ ପାର୍ଲାମେଣ୍ଟରେ ଅନେକ ଥର ଏହି ପ୍ରସଙ୍ଗ ଉଠାଇଛନ୍ତି। ଚଳିତ ଅଧିବେଶନରେ ମଧ୍ୟ ବିଜେଡି ଏମ୍‌ପିମାନେ କେନ୍ଦ୍ର ସରକାରଙ୍କୁ ଏଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

Share