‘ଡାକୋଟାରେ ନାହିଁ ହରିଣ ଚିହ୍ନ, ପ୍ରକୃତ ରଙ୍ଗ ଦିଆଯାଇନି’

ପୁରୀ ଅଫିସ, ୧୮ା୩: ଭୁବନେଶ୍ୱର ବିମାନବନ୍ଦର ନିକଟସ୍ଥ ଡାକୋଟା ବିମାନ ସମ୍ମୁଖରେ ଶୁକ୍ରବାର ଶ୍ରୀଜଗନ୍ନାଥ ସେନା ବିକ୍ଷୋଭ କରିଛି। ପୁରୀ ସହରରେ ଏହି ବିମାନ ରଖାଯିବାକୁ ଦାବି କରାଯାଇଛି। ଏଥିସହ ଡାକୋଟାରେ ଫୁଲ ଦିଆଯାଇ ପୂଜାର୍ଚ୍ଚନା କରାଯାଇଛି। ଡାକୋଟାରେ କଳିଙ୍ଗ ଏୟାର ଲାଇନ୍ସର ହରିଣ ଚିହ୍ନ ନ ଥିବାବେଳେ ପ୍ରକୃତ ରଙ୍ଗ ଦିଆଯାଇନାହିଁ ବୋଲି ଶ୍ରୀଜଗନ୍ନାଥ ସେନା ଅଭିଯୋଗ ଆଣିଛି।
ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ଡାକୋଟା ବିମାନକୁ କବାଡ଼ିିଆକୁ ବିକିଦେବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। ମାତ୍ର ଶ୍ରୀଜଗନ୍ନାଥ ସେନାର ହସ୍ତକ୍ଷେପ ପରେ ବିକ୍ରି ସ୍ଥଗିତ ରହିଥିଲା। ସେହିପରି ଡାକୋଟାକୁ ଓଡ଼ିଶା ଫେରାଇ ଆଣିବା ଲାଗି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ବିମାନ ଚଳାଚଳ ମନ୍ତ୍ରୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ମଧ୍ୟ ଦିଆଯାଇଥିଲା। ଶେଷରେ କୋଲକାତାରୁ ଓଡ଼ିଶାକୁ ଡାକୋଟା ବିମାନ ଫେରିଲା। ବିମାନକୁ ଏକ ଭଲ ସ୍ଥାନରେ ରଖିବା ପାଇଁ କେନ୍ଦ୍ର ବିମାନ ଚଳାଚଳ ବିଭାଗ ଅନୁମତି ଦେଇଥିଲା। ତେବେ ଦୁଃଖର ବିଷୟ ବିମାନ ଆସିବା ବେଳେ ରାଜ୍ୟ ସରକାର ଶ୍ରୀଜଗନ୍ନାଥ ସେନାକୁ ଭୁଲିଗଲେ। ଉଦ୍‌ଘାଟନ ସମୟରେ ନିୟନ୍ତ୍ରଣପତ୍ର ଦେଲେ ନାହିଁ। ଡାକୋଟାକୁ ପୁରୀ ଆଣିବା ପାଇଁ ଶ୍ରୀଜଗନ୍ନାଥ ସେନା ଦାବି କରିଥିଲା। ମାତ୍ର ସରକାର ତାହାକୁ ଭୁବନେଶ୍ୱର ବିମାନ ବନ୍ଦରରେ ରଖିଲେ। ଫଳରେ ବିମାନକୁ ଦେଶ ବିଦେଶର ପର୍ଯ୍ୟଟକ ଦେଖିପାରୁନାହାନ୍ତି। ସେହିପରି ବିମାନରେ ପ୍ରକୃତ ରଙ୍ଗ ଲଗାଯାଇନାହିଁ, ଅଲଗା ରଙ୍ଗ ଦିଆଯାଇଛି। କଳିଙ୍ଗ ଏୟାର ଲାଇନ୍ସର ଚିହ୍ନ ହରିଣ ରହିଥାଏ, ଯାହାକୁ ଡାକୋଟା ବିମାନରେ ଦିଆଯାଇନାହିଁ। ତେଣୁ ସରକାର ଉକ୍ତ ବିମାନରେ ଡାକୋଟାର ପ୍ରକୃତ ରଙ୍ଗ ଦେବା ସହ ହରିଣ ଚିହ୍ନକୁ ସ୍ଥାନିତ କରନ୍ତୁ ବୋଲି ପଟ୍ଟନାୟକ ଦାବି କରିଛନ୍ତି।