Categories: ଜାତୀୟ

୭ ବର୍ଷ ହେଲା ମିଳୁନି କ୍ଷତି ପୂରଣ, ହାଇଟେନଶନ୍‌ ଟାଓ୍ବାରରେ ଖଟ ପକାଇଲେ ଚାଷୀ…

ସତନା, ୧୫।୩ : ମଧ୍ୟପ୍ରଦେଶର ସତନା ଜିଲା ପିଥୋରାବାଦ ଗାଁରେ କ୍ଷତିପୂରଣ ଦାବି କରି ଚାଷୀମାନେ ହାଇଟେନ୍‌ଶନ ବିଦ୍ୟୁତ୍‌ ଟାଓ୍ବାରରେ ଖଟ ପକାଇ ବିରୋଧ ପ୍ରଦର୍ଶନ କରିଛନ୍ତି। ୨୦୧୫ଠାରୁ ଗତ ୭ ବର୍ଷ ଧରି ସେମାନେ କ୍ଷତିପୂରଣ ଟଙ୍କାକୁ ଚାହିଁ ବସିଛନ୍ତି। କିନ୍ତୁ ଅଧିକାରୀଙ୍କ ଟାଳଟୁଳ ନୀତି ଯୋଗୁ କ୍ଷତିପୂରଣ ଟଙ୍କା ଏପର୍ଯ୍ୟନ୍ତ ମିଳି ନାହିଁ।

ଏବେ ଚାଷୀଙ୍କ ଏଭଳି ପ୍ରଦର୍ଶନର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଚାଷୀ ରାମନାଥ କୋଲ କହିଛନ୍ତି  ଯେ, ଶୀଘ୍ର କ୍ଷତିପୂରଣ ନ ମିଳିଲେ ଆମେ ଏଠାରୁ ତଳକୁ ଡେଇଁ ପଡ଼ିବୁ। ତାଙ୍କ ସହିତ ଚାଷୀ ଭାଗୀରଥ ଦ୍ୱିବେଦୀ, କମଲନାଥ ଉରମଲିଆ ମଧ୍ୟ ଟାଓ୍ବାରରେ ଖଟ ପକାଇ ବସିଛନ୍ତି।

ଚାଷ ଜମିରେ ଟାଓ୍ବାର ନିର୍ମାଣ ସମୟରେ ତତ୍କାଳୀନ ଜିଲାପାଳ ଅଜୟ କଟେସରିଆ ପ୍ରତି ଟାଓ୍ବାର ପିଛା ୧୨ ଲକ୍ଷ ଟଙ୍କା ଏବଂ ବିଦ୍ୟୁତ୍‌ ତାର ବିଛାଇବା ପାଇଁ ପ୍ରତି ମିଟର ପିଛା ୩ ହଜାର ଟଙ୍କା କ୍ଷତିପୂରଣ ଧାର୍ଯ୍ୟ କରିଥିଲେ। ମାତ୍ର ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ ଜମିକୁ କ୍ଷତିପୂରଣ ଟଙ୍କା ଆସି ନାହିଁ।

ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ରାଜସ୍ବ ବିଭାଗ ଏବଂ ପାଓ୍ବାର ଗ୍ରୀଡ୍‌ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା ଆରମ୍ଭ କରିଛନ୍ତି।

Share