ଚୁଟି ନାହିଁ ତ ହାଜିରା ନାହିଁ: ଫେସ୍‌ ସ୍କାନ୍‌ର ଅଜବ ସମାଧାନ ବାଟ ବାହାରକଲେ ଶ୍ରମିକ

ନୂଆଦିଲ୍ଲୀ,୩୦ା୫:ଲଣ୍ଡାହେବା ଯୋଗୁ ତେଲଙ୍ଗାନାର ଜଣେ ଏମ୍‌ଜିଏନ୍‌ଆର୍‌ଇଜିଏ ଶ୍ରମିକଙ୍କୁ ହାଜିରା ଆପ୍‌ ଚିହ୍ନିପାରି ନ ଥିଲା। ଶେଷରେ ସେ ଏହାର ଏକ ଅଜବ ସମାଧାନ ବାଟ ବାହାର କରିଥିଲେ। ଏହି ଘଟଣା ପରେ ଚେହେରା ବା ମୁଖମଣ୍ଡଳରେ ପରିବର୍ତ୍ତନ ଆସିଲେ ଫେସିଆଲ ରେକଗ୍‌ନିଶନ (ଚେହେରା ବା ମୁଖମଣ୍ଡଳ ଚିହ୍ନଟ ପ୍ରକ୍ରିୟା) ସିଷ୍ଟମ କେମିତି କାମ କରେ, ତାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାରେ କାମ କରୁଥିବା ତେଲଙ୍ଗାନାର ଜଣେ ଶ୍ରମିକ ଲଣ୍ଡାହେବା ପରେ ସେଠାରେ ଥିବା ହାଜିରା ଆପ୍‌ ତାଙ୍କୁ ଚିହ୍ନଟ କରିପାରି ନ ଥିଲା, ଯେଉଁଥିପାଇଁ ସେ ହାଜିରା ପକାଇ ପାରି ନ ଥିଲେ। ଏହାପରେ ଜଣେ ସହକର୍ମୀ ମହିଳାଙ୍କ ଚୁଟି ସାହାଯ୍ୟରେ ଏକ ଅଜବ ଉପାୟରେ ଏହାର ସମାଧାନ କରାଯାଇଥିଲା। ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ଘଟଣାଟି ତେଲଙ୍ଗାନାର ମହବୁବାବାଦ ଜିଲାରେ ଘଟିଛି। ନିକଟରେ ସେଠାରେ ଏମ୍‌ଜିଏନ୍‌ଆର୍‌ଇଜିଏ ଶ୍ରମିକମାନଙ୍କ ପାଇଁ ଚେହେରା ଚିହ୍ନଟଭିତ୍ତିକ ହାଜିରା ବ୍ୟବସ୍ଥା ଆରମ୍ଭ କରାଯାଇଛି। ଇନୁଗୁର୍ଥୀ ମଣ୍ଡଳ ଅନ୍ତର୍ଗତ କୋମାଟିପଲ୍ଲୀ ଗାଁର ଶ୍ରମିକ ଶ୍ରୀନିବାସ ନିକଟରେ କୋଣ୍ଡାଗାଟ୍ଟୁ ଅଞ୍ଜନେୟ ସ୍ବାମୀ ମନ୍ଦିର ଯାଇ ନିଜ ଚୁଟି ଦାନ ସ୍ବରୂପ ଲଣ୍ଡାହୋଇଥିଲେ। ଗୁରୁବାର ଯେତେବେଳେ ସେ କାମକୁ ଫେରିଲେ, ସେଠାରେ ଉପସ୍ଥିତ ସୁପରଭାଇଜର ଆପ୍‌ ସାହାଯ୍ୟରେ ତାଙ୍କ ହାଜିରା ପକାଇବାକୁ ଚେଷ୍ଟାକଲେ, କିନ୍ତୁ ସିଷ୍ଟମ ତାଙ୍କୁ ବାରମ୍ବାର ଚିହ୍ନଟ କରିବାରେ ବିଫଳ ହେଲା। ଚୁଟି ଶୈଳୀରେ ପରିବର୍ତ୍ତନ ଯୋଗୁ ଟେକ୍ନୋଲୋଜି ତାଙ୍କର ପୁରୁଣା ପ୍ରୋଫାଇଲ ଫଟୋ ସହ ଚେହେରା ମିଶାଇପାରିଲା ନାହିଁ, ଯାହାକୁ ନେଇ ସେଠାରେ ଥିବା ଅନ୍ୟ ଶ୍ରମିକମାନେ ଚିନ୍ତାରେ ପଡ଼ିଯାଇଥିଲେ। ତେବେ ସେଠାରେ କାମ କରୁଥିବା ଜଣେ ମହିଳା ଶ୍ରମିକ ନିଜ ବେଣିକୁ ଶ୍ରୀନିବାସଙ୍କ ଲଣ୍ଡା ମୁଣ୍ଡ ଉପରେ ରଖିଦେଇଥିଲେ। ଏଥର ଫେସିଆଲ ରେକଗ୍‌ନିଶନ ସିଷ୍ଟମ ତାଙ୍କୁ ଚିହ୍ନଟ କରିଥିଲା ଏବଂ ହାଜିରା ମଧ୍ୟ ପଡ଼ିଯାଇଥିଲା। ଏହି ଅଜବ ସମାଧାନ ବିଷୟଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଲୋକେ ଏହାକୁ ଦେଖି ହସିବା ସହ ଚେହେରାରେ ପରିବର୍ତ୍ତନ ଆସିଲେ ଏହି ସିଷ୍ଟମ କେତେଦୂର ବିଶ୍ୱାସଯୋଗ୍ୟ, ତାହାକୁ ନେଇ ବଡ଼ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।

 

Dharitri – Odisha’s No.1 Odia Daily

 

Share