ଜେଲେନସ୍କିଙ୍କୁ ହତ୍ୟା କରିବା ଛଡା ଅନ୍ୟ କିଛି ବିକଳ୍ପ ନାହିଁ: ଧମକ ଦେଲା ରୁଷିଆ…

ମସ୍କୋ,୪।୫ : ରୁଷିଆ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ କ୍ରେମଲିନ ଉପରେ ଡ୍ରୋନ ଆକ୍ରମଣ ପରେ ରୁଷି ଅତ୍ୟନ୍ତ କ୍ରୋଧିତ ହୋଇଛି। ରୁଷିଆର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଡଭେଡେଭ ୟୁକ୍ରେନ ଉପରେ ଏତେ ରାଗିଛନ୍ତି, ସେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି। ରୁଷିଆର ପୂର୍ବତନ ରାଷ୍ଟ୍ରପତି ତଥା ଭ୍ଲାଦିମିର ପୁଟିନଙ୍କ ନିକଟବର୍ତ୍ତୀ ଦିମିତ୍ରୀ ମେଡଭେଡେଭ କହିଛନ୍ତି,ଆଜିର ଆତଙ୍କବାଦୀ ଆକ୍ରମଣ ପରେ ଆମର କୌଣସି ବିକଳ୍ପ ବାକି ନାହିଁ ଏବଂ ବର୍ତ୍ତମାନ ଜେଲେନସ୍କିଙ୍କୁ ହତ୍ୟା କରିବାକୁ ପଡ଼ିବ।

ବୁଧବାର ରୁଷିଆ ଅଭିଯୋଗ କରିଛି , ୟୁକ୍ରେନ ଭ୍ଲାଦିମିର ପୁଟିନଙ୍କ ବାସଭବନ କ୍ରେମଲିନ ଉପରେ ଡ୍ରୋନ ଆକ୍ରମଣ କରିଥିଲା। ତେବେ ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତିର ଖବର ନାହିଁ। ତେବେ ୟୁକ୍ରେନ ରୁଷିଆ ଅଭିଯୋଗକୁ ଅସ୍ବୀକାର କରି କହିଛି ମସ୍କୋ ଏହି ଆକ୍ରମଣ ଯୋଜନା କରିଛି।

କ୍ରେମଲିନ ଉପରେ ଆକ୍ରମଣ ପରେ ରୁଷିଆ ଏକ ବିବୃତ୍ତି ଜାରି କରି କହିଛି କିଭ ସରକାର ରୁଷିଆ ଫେଡେରେଶନର ରାଷ୍ଟ୍ରପତିଙ୍କ ବାସଭବନ କ୍ରେମଲିନ ଉପରେ ଡ୍ରୋନ ଆକ୍ରମଣ କରିଛନ୍ତି। ଦୁଇଟି ଡ୍ରୋନ କ୍ରେମଲିନକୁ ଟାର୍ଗେଟ କରି ଆକ୍ରମଣ କରିଥିଲା। ତଥାପି ଡିଭାଇସ ଅକ୍ଷମ କରାଯାଇଥିଲା। ରୁଷିଆ ଅଭିଯୋଗ କରିଛି, ଏହି ଆକ୍ରମଣର ଲକ୍ଷ୍ୟ ହେଉଛି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ।

Share