Categories: ଜାତୀୟ

ମିଳୁନାହାନ୍ତି ବ୍ରାହ୍ମଣ କନ୍ୟା:ବିବାହ ଅପେକ୍ଷାରେ ୪୦ ହଜାର ତାମିଲ ଯୁବକ

ଚେନ୍ନାଇ, ୧୯ା୧୧:ତାମିଲନାଡୁରେ ବିବାହ ନିମନ୍ତେ ବ୍ରାହ୍ମଣ କନ୍ୟାଙ୍କ ଅଭାବ ଦେଖାଦେଇଛି। ଫଳରେ ୪୦ ହଜାରରୁ ଅଧିକ ଯୁବକ ବିବାହ ପାଇଁ ଅନ୍ୟ ରାଜ୍ୟରେ କନ୍ୟା ଖୋଜୁଥିବା ତାମିଲନାଡୁ ବ୍ରାହ୍ମଣ ଆସୋସିଏଶନ କହିଛି। ବିଶେଷ କରି ଉତ୍ତରପ୍ରଦେଶ ଏବଂ ବିହାରରେ ଏହି ସମ୍ପ୍ରଦାୟର କନ୍ୟା ଖୋଜିବା ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିବା ଆସୋସିଏଶନର ଅଧ୍ୟକ୍ଷ ଏନ୍‌. ନାରାୟଣ କହିଛନ୍ତି। ପ୍ରତି ମାସରେ ପ୍ରକାଶ ପାଉଥିବା ତାମିଲ ମାଗାଜିନ୍‌ର ନଭେମ୍ବର ସଂସ୍କରଣରେ ଏ ବାବଦରେ ରିପୋର୍ଟ ପ୍ରକାଶ ପାଇଛି। ୩୦ରୁ ୪୦ ବର୍ଷ ବୟସ ବର୍ଗର ୪୦ ହଜାରରୁ ଊର୍ଦ୍ଧ୍ୱ ବ୍ରାହ୍ମଣ ଯୁବକ ସେମାନଙ୍କ ପାଇଁ ସମାନ ସମ୍ପ୍ରଦାୟର କନ୍ୟା ଖୋଜିପାରି ନାହାନ୍ତି। ପ୍ରତି ୧୦ ବ୍ରାହ୍ମଣ ଯୁବକଙ୍କ ପାଇଁ ତାମିଲନାଡ଼ୁରେ ମାତ୍ର ୬ ଜଣ କନ୍ୟା ମିଳୁଛନ୍ତି। ତେଣୁ ଲକ୍ଷ୍ନୌ ଏବଂ ପାଟନାରୁ ଉପଯୁକ୍ତ କନ୍ୟାପାତ୍ରୀ ଖୋଜିବା ନିମନ୍ତେ ଏହି ଅଭିଯାନରେ ପ୍ରତିନିଧିଙ୍କୁ ନିଯୁକ୍ତ କରାଯାଇଥିବା ନାରାୟଣ କହିଛନ୍ତି। ଏହାକୁ ଅନେକେ ସ୍ବାଗତ କରିଥିବାବେଳେ କେତେକ ବିରୋଧ ମଧ୍ୟ କରିଛନ୍ତି। ଶିକ୍ଷାବିତ୍‌ ଏମ୍‌. ପରମେଶ୍ୱରନ୍‌ କହିଛନ୍ତି, ତାମିଲ ବ୍ରାହ୍ଣଣ କନ୍ୟାଙ୍କ ଅଭାବ ବିବାହ ନ ହୋଇପାରିବାର ଏକମାତ୍ର କାରଣ ନୁହେଁ। ଧୂମପାନ, ନିଶା ସେବନ ଯୋଗୁ ଅନେକେ ସମ୍ପୃକ୍ତ ଯୁବକଙ୍କୁ ବିବାହ କରିବାକୁ ଚାହୁଁନାହାନ୍ତି। ଏହାସହ ବରପକ୍ଷ ବାହାଘର ଧୁମ୍‌ଧାମ୍‌ରେ କରିବାକୁ ଆଶା ରଖୁଥିବାରୁ ମଧ୍ୟ କନ୍ୟାପକ୍ଷ ଖର୍ଚ୍ଚାନ୍ତ ହେବାକୁ ଇଚ୍ଛା କରୁନାହାନ୍ତି। ଏହା ବଦଳରେ ଅତି ସାଧାରଣ ଭାବେ ମନ୍ଦିର ଆଦିରେ ମଧ୍ୟ କମ୍‌ ଖର୍ଚ୍ଚରେ ବିବାହ ସମ୍ପନ୍ନ ହୋଇପାରିବ।

Share