ଦୁର୍ଘଟଣା ପରେ ଆସିଲାନି ଆମ୍ବୁଲାନ୍ସ, ପିକ୍‌ଅପ୍‌ ଡାଲାରେ ବୁହାହେଲେ ଗୁରୁତର

କେନ୍ଦୁଝର,୨୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଠିକଣା ସମୟରେ ସରକାରଙ୍କ ଆମ୍ବୁଲାନ୍ସ ଯୋଜନା ଫେଲ୍‌ ମାରିଲା। ଦୁର୍ଘଟଣା ଦ୍ୱାରା ନିରୀହ ଜୀବନ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସେପଟେ ସରକାରଙ୍କ ଆମ୍ବୁଲାନ୍ସ ଠିକ୍‌ ସମୟରେ ନ ପହଞ୍ଚି ପାରିବାରୁ ପିକ୍‌ଅପ୍‌ରେ ଆଳୁ ବସ୍ତା ପରି ବୁହାହେଲେ ଗୁରୁତର ରୋଗୀ। ଏପଟେ ଦୁର୍ଘଟଣା ଯନ୍ତ୍ରଣାକୁ ସେପଟେ ପିକ୍‌ଅପ୍‌ ଯନ୍ତ୍ରଣା ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ। ଗୋଟିଏ ବାଇକ୍‌ରେ ୪ଜଣ ଯୁବକ ଅତ୍ୟଧିକ ମାଲ୍‌ ପିଇ ଯାଉଥିବା ବେଳେ ବାଂଶପାଳ, କାଦକଳାର ନରସିଂପୁର ଗ୍ରାମ ବନ୍ଧସାହି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇ ବାଇକରୁ ପଡ଼ି ଯାଇଥିଲେ।

ସୂଚନାଯୋଗ୍ୟ, ଘଟଣାସ୍ଥଳରେ ନୟାକୋଟ ପୋଲିସ ପହଞ୍ଚି ବାମେବାରୀ ଥାନା ସେକେରାଡ଼ି ଗ୍ରାମର ଜୁନୁ ମୁଣ୍ଡାଙ୍କ ପୁଅ ୨୮ବର୍ଷୀୟ ଲୁଲୁ ମୁଣ୍ଡା ନାମକ ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ପଠାଇଛନ୍ତି। ଏହି ଦୁର୍ଘଟଣାରେ ଅନ୍ୟ ୩ଜଣ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ନ ଆସିବାରୁ ଗୋଟେ ଗାଡ଼ି ଡାଲାରେ ଲଦି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।