ଭାକ୍‌ସିନ ନେବା ପରେ ୨ ମାସ ପାଇଁ ଛାଡ଼ିବାକୁ ପଡ଼ିବ ମଦ

ନୂଆଦିଲ୍ଲୀ,୧୦।୧୨- ରୁଷିଆରେ ପ୍ରସ୍ତୁତ ସ୍ପୁଟନିକ ଭି କୋଭିଡ୍‌-୧୯ ଭାକ୍‌ସିନ ନେବା ପରେ ୨ ମାସ ପାଇଁ ମଦ ଛାଡ଼ିବାକୁ ପଡ଼ିବ। ଏ ନେଇ ରୁଷିଆନ ଅଫିସିଆଲ ପରାମର୍ଶ ଦେଇଥିବା ନ୍ୟୁୟର୍କ ପୋଷ୍ଟରେ ଏକ ରିପୋର୍ଟ ପ୍ରକାଶ ପାଇଛି। ମଣିଷଙ୍କ ଶରୀରରେ ସ୍ପୁଟନିକ ଭି କରୋନା ଭାଇରସ ଭାକ୍‌ସିନକୁ କାର୍ଯ୍ୟ କରିବା ପାଇଁ ୪୨ ଦିନ ଦରକାର। ଏହି ସମୟରେ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ରୁଷିଆର ଉପ ପ୍ରଧାନମନ୍ତ୍ରୀ ଟାଟିଆନା ଗୋଲିକୋଭା କହିଥିବା ନ୍ୟୁ ୟର୍କ ପୋଷ୍ଟରେ ଉଲ୍ଲେଖ ହୋଇଛି।

ରୁଷିଆ ନାଗରିକଙ୍କୁ ଜନଗହଳି ସ୍ଥାନକୁ ଯିବାକୁ ବାରଣ କରିବାକୁ ପଡ଼ିବ। ଆବଶ୍ୟକସ୍ଥଳେ ମୁହଁରେ ମାସ୍କ, ସାନିଟାଇଜର ବ୍ୟବହାର, ଆଲକହଲ ଓ ଇମ୍ୟୁନୋପ୍ରେସାଣ୍ଟ ଡ୍ରଗ୍ସ ଠାରୁ ଦୂରେଇ ରହିବାକୁ ପଡ଼ିବ ବୋଲି ଗୋଲିକୋଭା ଟାସ ନ୍ୟୁଜ ଏଜେନ୍ସିକୁ ଦେଇଥିବା ଏକ ସାକ୍ଷାତ୍‌କାରରେ କହିଛନ୍ତି।

ରୁଷିଆର ଗ୍ରାହକ ସୁରକ୍ଷା ନିରୀକ୍ଷକ ରୋସପୋଟ୍ରେବଜାଡଜର ମୁଖ୍ୟ ଆନ୍ନା ପୋପାଭା ମଧ୍ୟ ଆଲକହଲ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦଇଛନ୍ତି। ଆମକୁ ସୁସ୍ଥ ରହିବାକୁ ହେଲେ ଶକ୍ତ ଇମ୍ୟୁନ ଦରକାର। ଏଣୁ ଆଲକହଲ ସେବନ କରନ୍ତୁ ନାହିଁ ବୋଲି ପୋପୋଭା କହିଛନ୍ତି।

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ରିପୋର୍ଟ ଅନୁଯାୟୀ, ରୁଷିଆରେ ମଦ୍ୟପାନ କରୁଥିବା ନାଗରିକଙ୍କ ସଂଖ୍ୟା ବିଶ୍ୱରେ ଚତୁର୍ଥ ସର୍ବାଧିକ। ପ୍ରତ୍ୟେକ ବର୍ଷ ରୁଷିୟମାନେ ୧୫.୧ ଲିଟର ଆଲକହଲ ସେବନ କରିଥାନ୍ତି।

Share