କର୍ଲାମୁଣ୍ଡା,୭।୮(ପ୍ରଦୀପ କୁମାର ସାହୁ):ପ୍ରଶାସନିକ ଅବହେଳା ଓ ପରିଚୟପତ୍ରର ଅଭାବ ଯୋଗୁ ଜଣେ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଯୁବତୀ ବିଭିନ୍ନ ସରକାରୀ ସହାୟତାରୁ ବଞ୍ଚିତ ରହିଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ଘଟଣା କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରପଦର ଗ୍ରାମପଞ୍ଚାୟତର ଖଲିଆପାଲି ଗାଁରେ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ପ୍ରାୟ ୩୦ ବର୍ଷ ବୟସର ରଜନୀ ଭୋଇଙ୍କର ଗୋଟିଏ ଆଖିର ଦୃଷ୍ଟିଶକ୍ତି ନଷ୍ଟ ହୋଇଥିବାରୁ ସେ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଭାବେ ଜୀବନ ବିତାଉଛନ୍ତି। ଛୋଟବେଳେ ମା’ଙ୍କୁ ହରାଇଥିବାବେଳେ ଗତ ବର୍ଷ ବାପା ସନ୍ତୋଷ ଭୋଇଙ୍କର ମଧ୍ୟ ବିୟୋଗ ଘଟିଥିଲା। ବର୍ତ୍ତମାନ ସେ ଦିନମଜୁରିଆ ଅବିବାହିତା ଭାଇ ଗୋବିନ୍ଦ ଭୋଇ(୨୭)ଙ୍କ ଆୟ ଉପରେ ନିର୍ଭର କରି ଜୀବନ ନିର୍ବାହ କରୁଛନ୍ତି। ଆଜି ପର୍ଯ୍ୟନ୍ତ ରଜନୀଙ୍କ ଆଧାର କାର୍ଡ ପ୍ରସ୍ତୁତ ହୋଇ ନ ଥିବାରୁ ସେ ଦିବ୍ୟାଙ୍ଗ ସାର୍ଟିଫିକେଟ, ଦିବ୍ୟାଙ୍ଗ ଭତ୍ତା, ରାସନ କାର୍ଡ, ଭୋଟର ପରିଚୟପତ୍ର ସହ ବିଭିନ୍ନ ସରକାରୀ ଯୋଜନାର ସୁବିଧା ପାଇବାରୁ ବଞ୍ଚିତ ରହିଛନ୍ତି। ସ୍ଥାନୀୟ ଜିଲା ପରିଷଦ ସଭ୍ୟ ତଥା ସମାଜ ସେବୀ ସୁରେଶ ଚୌଧୁରୀ ରଜନୀଙ୍କ ପାଖରେ ପହଞ୍ଚିଥିଲେ ଓ ଜିଲା ପ୍ରଶାସନଙ୍କୁ ରଜନୀ ଭୋଇଙ୍କ ସମସ୍ତ ଆବଶ୍ୟକ ପରିଚୟପତ୍ର ଓ ଦିବ୍ୟାଙ୍ଗ ସମ୍ବନ୍ଧୀୟ ସୁବିଧା ଶୀଘ୍ର ପ୍ରଦାନ କରି ତାଙ୍କୁ ସରକାରୀ ଯୋଜନାର ସାମିଲ କରିବାକୁ ସେ ଦାବି କରିଛନ୍ତି।