ଏନ୍‌ଏମ୍‌ଏମ୍‌ଏସ୍‌ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ

ନାଉଗଁା,୬ା୪(ସ୍ବ.ପ୍ର): ଭାରତ ସରକାରଙ୍କର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଏକ ଗୁରୁତ୍ୱପୂନ୍ନ ଯୋଜନା। ଏହାର ସଫଳ ରୂପାୟନ କରାଯିବା ସହ କାର୍ଯ୍ୟରେ ସ୍ବଚ୍ଛତା ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପକ୍ଷରୁ ୨୦୨୨ ମେ ୧୩ରେ ପ୍ରତ୍ୟେକ ରାଜ୍ୟ କମିଶନରଙ୍କ ନିକଟକୁ ନ୍ୟାଶନାଲ ମୋବାଇଲ ମନିଟରିଂ ସିଷ୍ଟମ (ଏନ୍‌ଏମ୍‌ଏମ୍‌ଏସ୍‌) ଆପକୁ ବାଧ୍ୟତାମୂଳକ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ଆପ ମାଧ୍ୟମରେ କାର୍ଯ୍ୟ କରାଗଲେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ସଫଳ ରୂପାୟନ ହେବା ସହ ଗ୍ରାମାଞ୍ଚଳର ଲୋକମାନେ ଠିକ୍‌ ଭାବେ ଶ୍ରମ ପାଇପାରିବେ। କିନ୍ତୁ ଜଗତ୍‌ସିଂହପୁର ଜିଲା ନାଉଗଁା ବ୍ଲକରେ ଉକ୍ତ ଆପକୁ ଠିକ୍‌ ଭାବେ ପରିଚାଳନା କରାଯାଉ ନ ଥିବା ଅଭିଯୋଗ ହେଉଛି।
ଏନ୍‌ଏମ୍‌ଏମ୍‌ଏସ୍‌ ଆପ ମାଧ୍ୟମରେ କାର୍ଯ୍ୟ କରିବା ପାଇଁ ସମସ୍ତ ଜିଆରଏସ୍‌ମାନଙ୍କୁ ଏକ ମୋବାଇଲ ଯୋଗାଇ ଦିଆଯାଇଛି। ଏହି ମୋବାଇଲରେ ଉକ୍ତ ଆପକୁ ଲୋଡ କରାଯାଇଛି। ଏହି ଆପ ମାଧ୍ୟମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାର୍ଯ୍ୟ କରାଯାଉଥିବା ପ୍ରକଳ୍ପଗୁଡ଼ିକର ଫଟୋ ଅପଲୋଡ କରାଯିବ। ନିୟମାନୁସାରେ ଶ୍ରମିକମାନେ ପ୍ରକଳ୍ପ ନିର୍ମାଣ କରୁଥିବା ସମୟରେ ଅର୍ଥାତ ପୂର୍ବାହ୍ନ ସମୟରେ ଶ୍ରମିକମାନଙ୍କ ସହ ଉକ୍ତ ପ୍ରକଳ୍ପର ଏକ ଫଟୋ ଉତ୍ତୋଳନ କରାଯିବ। ସେହିପରି ଉକ୍ତ ଦିନ ଅପରାହ୍ନରେ ସେହି ପ୍ରକଳ୍ପରେ ପୁନର୍ବାର ଫଟୋ ଉତ୍ତୋଳନ କରାଯିବ। ଦିନରେ ୨ଟି ଫଟୋ ଉତ୍ତୋଳନ କରାଯାଇ ଜିଇଓ ଟ୍ୟାଗ କରାଯିବ। ଯେଉଁ ପ୍ରକଳ୍ପରେ ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ କାର୍ଯ୍ୟ କରୁଥବେ। ଫଳରେ ଉକ୍ତ ଯୋଜନାରେ ପ୍ରକୃତରେ ଶ୍ରମିକ କାମ କରୁଛନ୍ତି କି ମେଶିନ ମାଧ୍ୟମରେ ହେଉଛି ତାହା ଜଣାପଡ଼ିବ। କିନ୍ତୁ ନାଉଗଁା ବ୍ଲକରେ ଠିକ୍‌ ଭାବେ ଉକ୍ତ ଆପର ବ୍ୟବହାର କରାଯାଉନାହିଁ। ପ୍ରକଳ୍ପ ନିର୍ମାଣ ହେବା ପୂର୍ବରୁ ଫଟୋ ଉଠାଇବା ଦୂରର କଥା ବିନା ଏଷ୍ଟିମେଣ୍ଟରେ ପ୍ରକଳ୍ପ ନିର୍ମାଣ କରାଯାଉଛି। ମେଶିନ ମାଧ୍ୟମରେ କାମ କରାଯାଇ ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକଙ୍କୁ ଠିଆ କରାଯାଇ ଫଟୋ ଉତ୍ତୋଳନ କରାଯାଉଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଯାହାକୁ ନେଇ ଏନ୍‌ଏମ୍‌ଏମ୍‌ଏସ୍‌ର କାମର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନ୍‌ଏମ୍‌ଏମ୍‌ଏସ୍‌ର ଠିକ୍‌ କାର୍ଯ୍ୟକାରୀ କରୁ ନ ଥିବା ବେଳେ ଏହାର ଫାଇଦା ଠିକାଦାର, ପ୍ରଶସାନିକ କର୍ମଚାରୀ, ଯନ୍ତ୍ରୀ ନେଉଥିବା ଜଣାଯାଇଛି। ଏ ସଂକ୍ରାନ୍ତରେ ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ପଚାରିବାରେ ଯେଉଁ ପ୍ରକଳ୍ପ ଗୁଡ଼ିକ ନିର୍ମାଣ କରାଯାଉଛି। ତାର ପୂର୍ବ ଓ ପରର ଜିଇଓ ଟ୍ୟାଗ୍‌ କରାଯାଉଛି ବୋଲି ସେ କହିଛନ୍ତି।